ଘାଂଟୁଛି ସିବିଆଇ, ଆସ୍ଥା ମାମଲାରେ ଆଉ ଜଣେ ବିଧାୟକଙ୍କୁ ଧରିବାକୁ ଯୋଜନା

ଭୁବନେଶ୍ୱର: ଚିଟ୍ଫଣ୍ଡ ମାମଲରେ ସିବିଆଇରେ ପୁଣି ପୁରୁଣା ଫର୍ମକୁ ଫେରୁଛି । ବିଜେଡି ନେତାମାନଙ୍କୁ ଧରିବା ପାଇଁ ପୂରାଦମ୍ରେ ଲାଗିପଡ଼ିଛି । ପ୍ରଥମେ ଯେପରି ଛାନଭିନ୍ କରି ବିଜେଡିକୁ ଘାଇଲା କରିଥିଲା ଏବେ ଠିକ୍ ସେହି ଷ୍ଟାଇଲରେ ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ଚାର୍ଜସିଟ ଦାଖଲ କରିସାରିଥିବା ଅନେକ ଚିଟଫଣ୍ଡ ସଂସ୍ଥାର ଫାଇଲ ପୁଣି ଖୋଲିବାରେ ଲାଗିଛି । ଅର୍ଥତତ୍ୱ ଓ ସିସୋର୍ ଫାଇଲ ପୁଣି ଖୋଲିଥିଲା ବେଳେ ଏବେ ଆଉ ଏକ ଚିଟ୍ଫଣ୍ଡ ସଂସ୍ଥା ଆସ୍ଥାର ଫାଇଲ ଖୋଲିଛି । ଆସ୍ଥା ଚିଟ୍ଫଣ୍ଡ ଦୂର୍ନୀତି ମାମଲାରେ ସିବିଆଇ ବିଜେଡିର ଆଉଜଣେ ଟାଣୁଆ ବିଧାୟକଙ୍କ ନିକଟକୁ ପହଂଚିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଉପକୂଳ ଓଡ଼ିଶାର ଆଉଜଣେ ବିଧାୟକ ଏବେ ଆସ୍ଥା ମାମଲାରେ ଫସିବାକୁ ଯାଉଛନ୍ତି । ସମ୍ପୃକ୍ତ ବିଧାୟକ କଟକ ଜିଲ୍ଲାର ବୋଲି ସୂଚନା ମିଳୁଛି । ଇତିମଧ୍ୟରେ ସମ୍ପୃକ୍ତ ବିଧାୟକଙ୍କ ଖାସ୍ ସହଯୋଗୀଙ୍କୁ ସିବିଆଇ ଡାକି ଜେରା କରିସାରିଲାଣି । ୬୦ ଲକ୍ଷ ଟଙ୍କା ମୂଲ୍ୟର ଦାବି ଗାଡ଼ିକୁ ୮ ଲକ୍ଷ ଟଙ୍କାରେ ବିଧାୟକଙ୍କ ସହଯୋଗୀ କିପରି ଆସ୍ଥାରୁ କିଣିଲେ ତାକୁ ନେଇ ଖୋଳତାଡ଼ ଚାଲିଛି । ଏଣୁ ସିବିଆଇ ଅର୍ଥତତ୍ୱ ଓ ସିସୋର ମାମଲାରେ ଦୁଇଜଣ ବିଧାୟକଙ୍କୁ ନୋଟିସ ଜାରି କରିସାରିଛି । ଏମାନଙ୍କୁ ୭ ଦିନ ସମୟ ଦିଆଯାଇଥିଲା । ଇତିମଧ୍ୟରେ ଦୁଇତିନି ଦିନ ବିତିଗଲାଣି । କୁହାଯାଉଛି ଏମାନେ ହାଜର ନହେଲେ ସିବିଆଇ କଠୋର ଆଭିମୁଖ୍ୟ ଗ୍ରହଣ କରିବ ।
ମିଳିଥିବା ଖବର ଅନୁସାରେ ଆସ୍ଥା ଇଟରନ୍ୟାଶନାଲର ଫାଇଲ ସିବିଆଇ ପୁଣି ଖୋଲିଛି । ଆସ୍ଥାର ଓଡ଼ିଶା ମୁଖ୍ୟ ସୁଭ୍ରାଂଶୁ ଲେଙ୍କାକୁ ପୁଲିସ୍ ଗିରଫ କରିସାରିଛି । ସେ ଜଗତସିଂହପୁରରେ ରହି ତାଙ୍କ କାର୍ଯ୍ୟକଳାପକୁ ବିସ୍ତାର କରିଥିଲେ । ସିବିଆଇ ଏହି ସଂସ୍ଥାର ଯାଂଚ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା । ସେସବୁ ତଥ୍ୟକୁ ଆଧାର କରି ସୁଭ୍ରାଂଶୁ ଗିରଫ କରିଥିଲେ ମଧ୍ୟ ଆଉ କେତେଜଣଙ୍କୁ ଛାଡ଼ି ଦେଇଥିଲା । ସେହି କାଗଜପତ୍ରକୁ ଧରି ଏବେ ଖୋଳତାଡ଼ ଚଳାଇଛି । ଏଥିରେ ଆସ୍ଥାର ଦାମି ଗାଡ଼ି ସମ୍ପର୍କରେ ସୁଭ୍ରାଂଶୁଠାରୁ ମିଳିଥିବା ସୂଚନାକୁ ଭିତିକରି ତଦନ୍ତ କରାଯାଉଛି । ସୁଭ୍ରାଂଶୁ ତାଙ୍କରଥିବା ପ୍ରାୟ ୬୦ ଲକ୍ଷ ଟଙ୍କା ମୂଲ୍ୟର ମର୍ସିଡିଜ୍ ଗାଡ଼ିକୁ ମାତ୍ର ୮ ଲକ୍ଷ ଟଙ୍କାରେ ପିଲାସ୍କି କୁମାର ସ୍ୱାଇଁକୁ ବିକ୍ରୀ କରିଛନ୍ତି । ଏହିଗାଡ଼ିର ନମ୍ବର ହେଉଛି ଓଆର୍୦୨ଏଜେଡ୍୧୧୧୧ । ବର୍ତମାନ ସିବିଆଇ ଏହି ଗାଡ଼ିକୁ ନେଇ ଖୋଳତାଡ଼ ଚଳାଇଛି । ପିଲାସ୍କିଙ୍କୁ ଗତ ୧୩ ତାରିଖରେ ଡାକି ୩ ଘଂଟାରୁ ଊଦ୍ଦ୍ୱର୍ ସମୟ ଧରି ଜେରା କରିଛି । ୬୦ ଲକ୍ଷ ଟଙ୍କାର ଗାଡ଼ିକୁ କାହିଁକି ୮ ଲକ୍ଷ ଟଙ୍କାରେ ବିକ୍ରି କଲେ ସେହିକଥା ଏବେ ସିବିଆଇ ଜାଣିବାକୁ ଚାହିଁଛି । ପିଲାସ୍କିଙ୍କ ମାଧ୍ୟମରେ ବିଧାୟକଙ୍କ ପାଖରେ ସିବିଆଇ ପହଂଚିବାକୁ ଚାହୁଁଛି । କାରଣ ବିଧାୟକଙ୍କୁ ଖୁସି କରିବା ପାଇଁ ଏବଂ ତଦନ୍ତରେ ଛାଡ଼ ପାଇବା ପାଇଁ ସୁଭ୍ରାଂଶୁ ଏଭଳି ପଦକ୍ଷେପ ନେଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଉକ୍ତ ଦାମି ଗାଡ଼ିକୁ ପିଲାସ୍କିଙ୍କ ନାଁରେ କିଣାଯାଇଥିଲେ ବି ମୁଖ୍ୟତଃ ବିଧାୟକ ହିଁ ବ୍ୟବହାର କରୁଥିଲେ । କୁହାଯାଉଛି ବିଧାୟକ ନିଜେ ଚିହ୍ନା ନ ପଡ଼ିବା ପାଇଁ ତାଙ୍କ ସହଯୋଗୀଙ୍କ ନାଁରେ କିଣିଥିଲେ । ନହେଲେ ସୁଭ୍ରାଂଶୁ ଏତେ ଦାମି ଗାଡ଼ିକୁ ଶାଗମାଛ ମୂଲ୍ୟରେ ଜଣେ ସାଧାରଣ ଲୋକଙ୍କୁ କାହିଁକି ଦେଇଥାନ୍ତେ । କାରଣ ପ୍ରଥମେ ଚିଟ୍ଫଣ୍ଡ ମାମଲାର ତଦନ୍ତଭାର ରାଜ୍ୟ ସରକାରଙ୍କ କ୍ରାଇମବ୍ରାଂଚ ନେଇଥିଲା । ସମ୍ପୃକ୍ତ ବିଧାୟକଙ୍କର ପ୍ରଶାସନରେ ବେଶ ପ୍ରଭାବ ରହିଛି । ଏଣୁ ତାଙ୍କ ମାଧ୍ୟମରେ ନିଜର କଳାକାର୍ଯ୍ୟରୁ ରକ୍ଷା ପାଇବା ପାଇଁ ହୁଏତ ସେ ଏଭଳି ପଦକ୍ଷେପ ନେଇଥାଇ ପାରେ । ସିବିଆଇ ସେହି ଗାଡ଼ିକୁ ଧରି ଭୁବନେଶ୍ୱର ଆର୍ଟିଓଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଯାଂଚ କରିସାରିଛି ।
ଆସ୍ଥା ଚିଟ୍ଫଣ୍ଡ ସଂସ୍ଥା ରାଜ୍ୟରେ ପ୍ରାୟ ୫୦୦ କୋଟି ଟଙ୍କା ଠକେଇ କରିଛି । ଏହାର କାରବାର ଓଡ଼ିଶା ଓ ଓଡ଼ିଶାବାହାରର ଅନ୍ୟ କେତେକ ରାଜ୍ୟରେ ଅଛି । ସୁଭ୍ରାଂଶୁ ଓଡ଼ିଶା ମୁଖ୍ୟ ଭାବେ କାର୍ଯ୍ୟକରୁଥିଲେ । ସହିଦନଗରରେ ତାଙ୍କର ଏକ କାର୍ଯ୍ୟାଳୟ ଥିଲା । ତାଙ୍କ ଘର ଜଗତସିଂହପୁରରେ । ସେ ହେଲିକପ୍ଟରରେ ଜଗତସିଂହପୁର ଯିବା ଆସିବା କରନ୍ତି । ୨୦୧୩ରେ କ୍ରାଇବ୍ରାଂଚର ଅପରାଧିକ ଶାଖା ସୁଭ୍ରାଂଶୁଙ୍କୁ ଗିରଫ କରିଥିଲା ।
ଏହିପରି ଭାବେ ସିବିଆଇ ବର୍ତମାନ ଚଢ଼ାଉ କରି ବିଜେଡିର ନେତାମାନଙ୍କ ପାଖରେ ପହଂଚିବା ପାଇଁ ଉଦ୍ୟମ ଚଳାଇଛି । ସିବିଆଇର ବରିଷ୍ଠ ଅଧିକାରୀମାନେ ଘନଘନ ଓଡ଼ିଶା ଗ୍ରସ୍ତରେ ଆସି ଚଢ଼ାଉ କରିଛନ୍ତି ।