ମି ଠୁ ଚଡ଼କ, ବିଗ ବିଙ୍କୁ ମଧ୍ୟ ଆସିଲା ଧମକ

0
7

ଭୁନନେଶ୍ୱର: ମି ଠୁ ଏବେ ବଲିଉଡ୍ ଜଗତରେ ଚଡ଼କ ପକାଇଛି । ଦିନକୁ ଦିନ ନୂଆ ନୂଆ ତାରକା ଏଥିରେ ଫସିବାର ଲାଗିଛନ୍ତି । କେବଳ ସାଧାରଣ ତାରକା ନୁହଁନ୍ତି ପ୍ରତିଷ୍ଠିତ ତାରକାମାନଙ୍କ ନାଁ ଆସୁଛି । ବଲିଉଡ ଜଗତରେ ଏବେ ସବୁଠୁ ଅଧିକ ଚହଳ ପକାଇଛି ଯେତେବେଳେ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାଁ ମଧ୍ୟ ଏଥିରେ ଯୋଡ଼ି ହେବାକୁ ଯାଉଥିବା କଥା ମଧ୍ୟ କୁହାଯାଉଛି । ଏକାଧିକ ତାରକା ଏବେ ଏଥିରେ ଫସିଛନ୍ତି । କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧି ଏ ସବୁର ତଦନ୍ତ କରିବା ପାଇଁ କହିଲେଣି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିମାନଙ୍କୁ ନେଇ ଏକ କମିଟି ଗଠନ କରି ଏହିସବୁ ଅଭିଯୋଗର ତଦନ୍ତ କରାଯିବ ବୋଲି ଶ୍ରୀମତୀ ଗାନ୍ଧି କହିଛନ୍ତି ।
ମି ଠୁଁ ଅଭିଯାନକୁ ସ୍ୱାଗତ ଓ ସମର୍ଥନ ଦେଇଥିବା ବିଗ୍ ବି ଅମିତାଭଙ୍କୁ ତାଙ୍କର ପୂର୍ବତନ ବିଗ୍ ବସ୍ ପ୍ରତିଦ୍ୱନ୍ଦ୍ୱୀ ତଥା ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ ସପ୍ନା ଭାବନାନି ତାଙ୍କ ବିରୋଧରେ ଅଭିଯୋଗ ଆସିବା ନେଇ ସୂଚନା ଦେଇଛନ୍ତି । ଏକ ଟ୍ୱିଟ୍ କରି ସେ ବିଗ୍ ବିଙ୍କୁ ସମ୍ବୋଧନ କରି କହିଛନ୍ତି, ଅଭିଯାନକୁ ଆପଣ ସମର୍ଥନ କରି ବଡ଼ ବଡ଼ କଥା କହୁଛନ୍ତି । କିନ୍ତୁ ଆପଣଙ୍କ ଦିନ ଖୁବଶୀଘ୍ର ଆସୁଛି । ସେଥିପାଇଁ ପ୍ରସ୍ତୁତ ରହିବାକୁ ହେବ । ସେ ଆହୁରି କହିଛନ୍ତି, ମହାଶୟ, ଚଳଚ୍ଚିତ୍ର “ଫିଙ୍କ୍” ମୁକ୍ତିଲାଭ କରି ଚାଲିଗଲାଣି । ସେହିଭଳି ଜଣେ ସାମାଜିକକର୍ମୀ ଭାବେ ଆପଣଙ୍କ ଭାବମୂର୍ତ୍ତି ମଧ୍ୟ ଶୀଘ୍ର ଚାଲିଯିବ ବୋଲି ସେ ଚେତାବନୀ ଦେବା ପରେ ବଲିଉଡ ଜଗତରେ ଏବେ ଚହଳ ପଡ଼ିଯାଇଛି । କାରଣ ଅମିତାଭଙ୍କ ବିରୋଧରେ ଅଭିଯୋଗ ଆସିବା ଘଟଣାକୁ ସମସ୍ତେ ଚକିତ ହୋଇଯାଇଛନ୍ତି । ସତରେ କଣ ଏଭଳି ଏକ ସୁପରଷ୍ଟାରଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଅଛି । ଏଭଳି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରୁଛି । ସମଗ୍ର ଦେଶରେ ବିଗ୍ ବିଙ୍କ ପ୍ରଶଂସକ କଳାନ କରିବା କଷ୍ଟକର । ଏବେ ବି ସେ ସମସ୍ତଙ୍କ ମନରେ ସୁପରଷ୍ଟାର ହୋଇ ରହିଛନ୍ତି । ଯଦି ସତରେ ସପ୍ନା ଭାବନାନିଙ୍କ କଥା ସତ ହୁଏ ତେବେ ସବୁ କିଛି ଓଲଟପାଲଟ ହୋଇଯିବ । ସମସ୍ତଙ୍କ ବିଶ୍ୱାସ ମଧ୍ୟ ତୁଟିଯିବ ।
ସୋଶାଲ ମିଡ଼ିଆରେ ଏହି ମି ଠୁ କୁ ନେଇ ଜଣକ ପରେ ଜଣେ ମହିଳା ଅଭିଯୋଗ ଆଣିବା ପରେ ଚାରିଆଡ଼େ ଏବେ ହଇଚଇ ସୃଷ୍ଟି ହୋଇଛି । ଦିନକୁ ଦିନ ସଂଖ୍ୟା ମଧ୍ୟ ବଢ଼ୁଛି । ଏଥିରେ କେବଳ ଚଳଚ୍ଚିତ୍ର ଜଗତର ତାରକା ନୁହଁନ୍ତି । ପ୍ରତିଷ୍ଠିତ ସାମ୍ବାଦିକ, କର୍ପୋରେଟ୍ ହାଉସ୍ର ବରିଷ୍ଠ ଅଧିକାରୀଙ୍କଠୁ ଆରମ୍ଭ କରି ବିଭିନ୍ନ ବ୍ୟକ୍ତିଙ୍କ ବିରୋଧରେ ଏହି ଅଭିଯୋଗ ଆସିବାରେ ଲାଗିଛି । ନିର୍ଦ୍ଦେଶକ ସାଜିଦ ଖାନ୍ଙ୍କ ବିରୋଧରେ ଏକାଥରେ ୩ଟି ଯୌନ ନିର୍ଯାତନା ଅଭିଯୋଗ ଆସିଛି । ଅଭିନେତ୍ରୀ ସଲୋନି ଚୋପ୍ରା, ରାଚେଲ୍ ହ୍ୱାଇଟ୍ ଓ ଜଣେ ସାମ୍ବାଦିକା ଏଭଳି ଅଭିଯୋଗ କରିଛନ୍ତି । ଅଭିନେତ୍ରୀ ସଲୋନିଙ୍କ କହିବାନୁଯାୟୀ ଏକ ଚଳଚ୍ଚିତ୍ରରେ ସେ ଓ ସାଜିଦ୍ ମିଳିତ ଭାବେ ନିର୍ଦ୍ଦେଶନା ଦେଉଥିବା ବେଳେ ସାଜିଦ୍ ତାଙ୍କୁ ବାରମ୍ବାର ଅସଦାଚରଣ କରିଥିଲେ । କେବଳ ତାଙ୍କୁ ନୁହେଁ ସାଜିଦ୍ ଅନ୍ୟ କେତେକ ଯୁବତୀଙ୍କୁ ଅସଦାଚରଣ କରିଥିବା ସଲୋନୀ କହିଛନ୍ତି । ସେହିଭଳି ରାଚେଲ୍ କହିଛନ୍ତି ଏକ ଫିଲ୍ମ ନିମନ୍ତେ ଅଭିନୟ କରିବାକୁ ସୁଯୋଗ ଦେବା ପାଇଁ ସାଜିଦ୍ ତାଙ୍କୁ କ୍ଷୁଦ୍ର କପଡ଼ା ପିନ୍ଧିବାକୁ କହୁଥିଲେ । କ୍ଷୁଦ୍ର କପଡ଼ା ପିନ୍ଧିବା ପରେ ସାଜିଦ୍ ତାଙ୍କୁ ଯଦି ସୌନ୍ଦର୍ଯ୍ୟ ଦ୍ୱାରା ପ୍ରଭାବିତ କରିପାରିଲି ତେବେ ଫିଲ୍ମରେ ନିଶ୍ଚିତ କାମ କରିବାକୁ ସୁଯୋଗ ମିଳିବ ବୋଲି କହିଥିଲେ । ଏହାପରେ ରାଚେଲ୍ ସେଠାରୁ ପଳାଇ ଆସଥିବା କହିଛନ୍ତି । ତେବେ ସାଜିଦ୍ ନୈତିକତା ଦୃଷ୍ଟିରୁ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଦେଖି “ହାଉସ୍ଫୁଲ୍ ୪” ନିର୍ଦ୍ଦେଶନାରୁ ଓହରି ଯାଇଛନ୍ତି । ଅନ୍ୟ ଜଣେ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାନ୍ତୁ ବୋଲି ସେ ଚାହିଁଛନ୍ତି । “ହାଉସ୍ଫୁଲ ୪” ପାଇଁ ସାଇନ୍ କରିଥିବା ଅଭିନେତା ଅକ୍ଷୟ କୁମାର ଇତିମଧ୍ୟରେ ଏହି ଚଳଚ୍ଚିତ୍ର ସୁଟିଂରୁ ଓହରିଯାଇଛନ୍ତି ।
ଏ ବାବଦରେ ଟ୍ୱିଟ୍ କରି ଅକ୍ଷୟ କହିଛନ୍ତି, ବର୍ତ୍ତମାନ ବିଦେଶରୁ ଆସି ପହଂଚିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହା ମୋତେ ବ୍ୟଥିତ କରିଛି । ବର୍ତ୍ତମାନ ପିରସ୍ଥିତିରେ ମୁଁ ହାଉସ୍ପୁଲ ୪ସୁଟିଂ କରିବାକୁ ଚାହୁନାହିଁ । ନିର୍ମାତାମାନଙ୍କ ସହିତ ଆଲୋଚନା କରି କୌଣସି ସମାଧାନ ବାହାର କରିବା ପର୍ଯ୍ୟନ୍ତ ସୁଟିଂରେ ସାମିଲ ହେବିନାହିଁ । ତା’ଛଡ଼ା ଚଳଚ୍ଚିତ୍ରର ନିର୍ଦ୍ଦେଶକଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ଅଛି ବୋଲି ସେ କହିଛନ୍ତି । ଅଭିନେତ୍ରୀ ବିପାସା ବସୁ କହିଛନ୍ତି ଯେ, ସାଜିଦ୍ ମହିଳାଙ୍କ ପ୍ରତି ସର୍ବଦା ଅଭଦ୍ରୋଚିତ ବ୍ୟବହାର ଦେଖାଇଥାନ୍ତି ଏବଂ ଏହା ତାଙ୍କର ପୁରୁଣା ଅଭ୍ୟାସ ।
ଅନ୍ୟପକ୍ଷରେ ଟ୍ୱିଟ୍ କରି ସାଜିଦ୍ କହିଛନ୍ତି, ପ୍ରକୃତ ଘଟଣା ସାମ୍ନାକୁ ନ ଆସିବା ପର୍ଯ୍ୟନ୍ତ ମୋର ବଲିଉଡ୍ ବନ୍ଧୁମାନେ କୌଣସି ନର୍ଯାସରେ ଉପନୀତ ହେବା ଉଚିତ ନୁହେଁ । ତା’ ଛଡ଼ା ପରିବାର ଏବଂ ଫିଲ୍ମ ନିର୍ମାତାମାନଙ୍କ ଉପରେ ପଡୁଥିବା ଚାପକୁ ଆଖିରେ ରଖି ମୁଁ ହାଉସ୍ଫୁଲ ୪ ନିର୍ଦ୍ଦେଶନାରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି । ସେପଟେ ସାଜିଦ୍ଙ୍କ ଭଉଣୀ ତଥା କୋରିଓଗ୍ରାଫର ଏବଂ ନିର୍ଦ୍ଦେଶକ ଫାରା ଖାନ୍ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଏହା ମୋ ପରିବାର ପାଇଁ ଏକ ହୃଦୟବିଦାରକ ଘଟଣା । ଯଦି ମୋ ଭାଇ ସେଭଳି କିଛି କରିଥାଏ ତେବେ ମୁଁ କଦାପି ଏହାକୁ ବରଦାସ୍ତ କରିବି ନାହିଁ । ସେହିଭଳି ପୀଡ଼ିତାଙ୍କ ପ୍ରତି ମୋର ଯଥେଷ୍ଟ ସହାନୁଭୂତି ରହିଛିବୋଲି ଫାର କହିଛନ୍ତି । ନିର୍ମାତା କରିମ୍ ମୋରାନିଙ୍କ ବିରୋଧରେ ଜଣେ ୨୫ ବର୍ଷୀୟା ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ଚଳଚ୍ଚିତ୍ର “ପ୍ୟାର୍ କା ପଞ୍ଚନାମା” ନିର୍ଦ୍ଦେଶକ ଲଭ୍ ରଂଜନଙ୍କ ବିରୋଧରେ ଜଣେ ଅଜଣା ମହିଳା ମଧ୍ୟ ଅଭିଯୋଗ କରିଛନ୍ତି । ଏହି ପରି ଗୋଟିଏ ପରେ ଗୋଟିଏ ଅଭିଯୋଗ ବଲିଉଡ୍ ଜଗତକୁ ଦୋହଲାଇ ଦେଇଛି ।

LEAVE A REPLY

Please enter your comment!
Please enter your name here