ଚିଟଫଣ୍ଡ ଠକେଇ : ୧୦ ସଂସ୍ଥାକୁ ନୋଟିସ ପଠାଇଲେ ଜଷ୍ଟିସ ଦାସ କମିସନ

କଟକ : ଚିଟ୍‌ଫଣ୍ଡ ଠକେଇ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ଆଉ ୧୦ଟି ସଂସ୍ଥାକୁ ନୋଟିସ ଜାରି କରିଛନ୍ତି । ନୋଟିସ ଜାରି କରାଯାଇଥିବା ସଂସ୍ଥା ଗୁଡିକ ହେଉଛି ନବଦୀପ ସର୍ଭିସେସ୍‌ ପ୍ରାଇଭେଟ ଲିମିଟେଡ୍‌, ପିଏସିଏଲ୍‌ ଇଣ୍ଡିଆ ଲିମିଟେଡ, ମାଇକ୍ରୋ ଲିଜିଂ ଆଣ୍ଡ୍‌ ଫଣ୍ଡିଂ ଲିମିଟେଡ, ମିଲନ କର୍ପୋରେସନ ଲିମିଟେଡ, ମର୍ଣ୍ଣିଂ ଷ୍ଟାର ଇନଫ୍ରା, ମାଟ୍ଟୁ ମାର୍କେଟିଂ ପ୍ରାଇଭେଟ ଲିମିଟେଡ, ମିଲନ ଆଣ୍ଡ ମିଲନ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ, ମାସ୍‌ ଫୁଚର କ୍ୟାପିଟାଲ ଟ୍ରେଡିଂ ପ୍ରାଇଭେଟ ଲିମିଟେଡ, ମାଗ୍‌ନକ୍ସ ଇନଫ୍ରା ପ୍ରୋଜେକ୍ଟସ ଲିମିଟେଡ, ଏମ୍‌ ପାଓ୍ଵାର ଟ୍ରେଡ୍‌ ଲିଙ୍କ୍‌ ପ୍ରାଇଭେଟ ଲିମିଟେଡ। ଏହି ସଂସ୍ଥାର ପଦାଧିକାରୀ କିମ୍ବା ପ୍ରତିନିଧି ଆସନ୍ତା ଡିସେମ୍ବର ୨୮ ଓ ୩୦ ତାରିଖର ଶୁଣାଣି ସମୟରେ ହାଜର ହୋଇ କ୍ଷୁଦ୍ର ଜମାକାରୀଙ୍କ ଦାବି ଉପରେ ତଥ୍ୟ ରଖିବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଦ୍ୱିତୀୟ ପର୍ଯ୍ୟାୟରେ ସତ୍ୟପାଠ ଯାଞ୍ଚ ପରେ ନୋଟିସ ଜାରି କରାଯାଇଥିବା ଚିଟ୍‌ଫଣ୍ଡ ସଂସ୍ଥାର ସଂଖ୍ୟା ୧୪୭ରେ ପହଞ୍ଚିଛି। ଅଗଷ୍ଟ ୨୨  ୨୦୧୩ରୁ ଅଗଷ୍ଟ ୩୧ ୨୦୧୩ ମଧ୍ୟରେ ଦାଖଲ ୬୧ ହଜାର ୨୫୨ଟି ସତ୍ୟପାଠଟି ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇ ସେମାନେ କ୍ଷତିଗ୍ରସ୍ତ ହୋଇଥିବା ସଂସ୍ଥା ଗୁଡିକୁ ନୋଟିସ୍‌ ଜାରି କରାଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ କମିସନଙ୍କ ନିକଟରେ ଜମାକାରୀଙ୍କ ପକ୍ଷରୁ ମୋଟ ୮ଲକ୍ଷ ୧୭ ହଜାର ୨୫୩ଟି ସତ୍ୟପାଠ ଦାଖଲ କରାଯାଇଥିବା ବେଳେ ପ୍ରଥମ ପର୍ୟ୍ୟାୟରେ ୨୬ ହଜାର ୯୭୬ଟି ସତ୍ୟପାଠ ଯାଞ୍ଚ୍‌ କରାଯାଇଥିଲା।