ସବୁ କଟକଣା ହଟିଲା,ସ୍ୱାଭାବିକ ହେଲା କଶ୍ମୀର

https://www.facebook.com/nnsodia/videos/267154983995629/?t=5

ଶ୍ରୀନଗର: ଦୀର୍ଘ ୪ ମାସର ଆତଙ୍କ ଓ ଅଚଳାବସ୍ଥା ଅବସାନ ଘଟାଇ କଶ୍ମୀର ଏବେ ତା’ର ପୂର୍ବ ସ୍ଥିତିକୁ ଫେରିଆସିଛି। ସମସ୍ତ ଅଂଚଳରୁ କର୍ଫ୍ୟୁ ହଟିବା ସହ ମୋବାଇଲ ଇଣ୍ଟରନେଟ୍‌ ସେବା ମଧ୍ୟ ପୁନଃ କାର୍ୟ୍ୟକ୍ଷମ କରାଯାଇଛି। ସମସ୍ତ ଅଂଚଳରେ ବ୍ୟବସାୟିକ କାର୍ୟ୍ୟ ଓ ପରିବହନ ସ୍ୱାଭାବିକ ହୋଇଥିବାରୁ ଏହା ବିମୁଦ୍ରୀକରଣର ଏକ ବଡ଼ ବିଜୟ ବୋଲି ପିଡିପି-ବିଜେପି ମେଣ୍ଟ ନେତାମାନେ କହିଛନ୍ତି। ଶ୍ରୀନଗର ସମେତ ସମସ୍ତ ଅଂଚଳରେ ଜନଜୀବନ ସ୍ୱାଭାବିକ ହେବାସହ ଆଜି   ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାଜ୍ୟବ୍ୟାପୀ ସ୍ୱାଭାବିକ ଭାବେ କାର୍ୟ୍ୟ କରିଛି। ଶ୍ରୀନଗର ରାସ୍ତାରେ  ଆଜି ପ୍ରବଳ ଗହଳି ଦେଖିବାକୁ ମିଳିଥିବା ବେଳେ ବାଣିଜ୍ୟିକ କାରବାର  ଜୋର୍‌ ଧରିଛି। ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ବ୍ୟାଙ୍କ୍‌ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ଥିତି ସ୍ୱାଭାବିକ ହୋଇଥିବାରୁ ସରକାର ଆଶ୍ୱସ୍ତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ନୋଟ୍‌ ଅଚଳ ନିଷ୍ପତ୍ତିର  ଏଭଳି ଆଶ୍ଚଯ୍ୟଜନକ ପ୍ରଭାବ କଶ୍ମୀରରେ ପଡ଼ିବା ଅନେକଙ୍କ ପାଇଁ ବିସ୍ମୟ ସୃଷ୍ଟି କରିଛି। ଜାଲ୍‌ ନୋଟ ଓ କଳାଟଙ୍କା କାରବାର  ଠପ୍‌୍‌ ହୋଇଯାଇଥିବାରୁ ହିଂସା ସୃଷ୍ଟି ପାଇଁ ଯୁବକଙ୍କୁ ନିୟୋଜିତ କରିବାରେ ବିଚ୍ଛିନ୍ନତାବାଦୀ ବିଫଳ ହୋଇଛନ୍ତି। ଜୁଲାଇ ୨୭ରେ ଆତଙ୍କବାଦୀ ବୁରହନ ଓ୍ଵାନିର ମୃତ୍ୟୁ ପରଠାରୁ ଲାଗି ରହିଥିବା କଶ୍ମୀର ହିଂସାର ଏଭଳି ଅବସାନ ବିଚ୍ଛିନ୍ନତାବାଦୀଙ୍କୁ ହତାଶ କରିଛି।  କଶ୍ମୀରରେ ଏବେ ଦଶମ ଓ  ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୁରୁଖୁରୁରେ ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ପରିବହନ କ୍ଷେତ୍ରରେ କୌଣସି ସମସ୍ୟା ନାହିଁ।
ନଭେମ୍ବର ୮ରେ ମୁଦ୍ରା ଅଚଳ ନିଷ୍ପତ୍ତିର ମାତ୍ର ୨ ଦିନ ପରେ କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ପଥର ମାଡ଼ ହଠାତ ବନ୍ଦ ହୋଇଯାଇଥିଲା। ନୋଟ୍‌ ଅଚଳ ହେବାପରେ ଯୁବକମାନଙ୍କୁ ପଥରମାଡ଼ରେ ନିୟୋଜିତ କରୁଥିବା ଶକ୍ତିମାନେ ଏବେ ଆତ୍ମଗୋପନ କରି ରହିଛନ୍ତି।  ପଥରମାଡ଼  ସଂପୂର୍ଣ୍ଣ ବନ୍ଦ ହେବା ସୁରକ୍ଷା ବାହିନୀ ଓ ସରକାର ପାଇଁ ଆଶ୍ୱସ୍ତିର କାରଣ ହୋଇଛି।  ଗତରାତିରୁ ମୋବାଇଲ ଇଣ୍ଟରନେଟ୍‌ ସେବା ଚାଲୁ କରାଯିବା ପରେ ସବୁ ମହଲ ଏହାକୁ ସ୍ୱାଗତ କରିଛନ୍ତି।  କଶ୍ମୀରରେ ଦୀର୍ଘ ୪ ମାସର ହିଂସାରେ ୮୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦୦ରୁ ଅଧିକ ସୁରକ୍ଷା କର୍ମୀ ଆହତ ହୋଇଥିଲେ।

ମତାମତ ଦିଅନ୍ତୁ

Please enter your comment!
Please enter your name here