ଚାଷୀ ଆତ୍ମହତ୍ୟା ରୋକିବାକୁ ଋଣଛାଡ କରିବା ଲାଗି ନବୀନଙ୍କୁ ନିରଞ୍ଜନଙ୍କ ଟ୍ୱିଟ

ଭୁବନେଶ୍ୱର: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ଥମିବାର ନାଁ ଧରୁନି । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଘୋଷଣା ସର୍ତ୍ତ୍ବ ଆତ୍ମହତ୍ୟା ଘଟିଚାଲିଛି । ଆଜି ଗଞ୍ଜାମ ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ରବିବାର ଝାରସୁଗୁଡା ଜିଲ୍ଲାରେ ଆଉ ଜଣେ ଚାଷୀ ମଧ୍ୟ ଆତ୍ମହତ୍ୟା କରିଥିଲେ । ଏହି ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃଷି ଋଣ ଛାଡ କରିବାକୁ ଅନୁରୋଧ କରିଛନ୍ତି ।
ନିରଞ୍ଜନ ତାଙ୍କ ଟ୍ୱିଟରେ କହିଛନ୍ତି ଋଣଭାର ସହି ନପାରି ଚାଷୀମାନେ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରିଚାଲିଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ବି ସମୟ ଅଛି ଚେତନ୍ତୁ । ଦିଲ୍ଲୀ ପିକନିକ ରିବାକୁ ଯାଇ ସମସ୍ତଙ୍କୁ ବୋକା ବନେଇବା ପାଇଁ ଉଦ୍ୟମରୁ ନିବୃତ୍ତ ରୁହନ୍ତୁ । ଛତିଶଗଡ, ରାଜସ୍ଥାନ ଓ ମଧ୍ୟପପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପରି ଆପଣଙ୍କର ବି ଋଣଛାଡ କରିବାର କ୍ଷମତା ରହିଛି । ତୁରନ୍ତ ଏହିୠଣ ଛାଡ କରନ୍ତୁ ଓ ଚାଷୀଙ୍କୁ ବଞ୍ଚାନ୍ତୁ । କାଳିଆ ଯୋଜନାରେ ଚାଷୀ ଆତ୍ମହତ୍ୟା କମୁନଥିବାରୁ ପିସିସି ସଭାପତି ଏନେଇ ଋଣଛାଡ ଉପରେ ଗୁରୁତ୍ୱ ଦେଇଛନ୍ତି । ଅନ୍ତତଃ ପକ୍ଷେ ଋଣ ଛାଡ ହୋଇଗଲେ ଚାଷୀଙ୍କ ମନରେ ଭରସା ଆସିବ । ଆଉ ଋଣ ବୋଝ ପଡିବ ନାହିଁ ଏହି ଆଶାରେ ସେ ଆଉ ଜୀବନ ହାରିବ ନାହିଁ ।


ବୁଧବାର ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପାଟପୁର ଗାଁରେ ଏନ ପ୍ରକାଶ ରେଡ୍ଡ୍ି ନାମକ ଜଣେ ଚାଷୀ ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ମହାଜନଙ୍କ ଠାରୁ ୫୦ ହଜାର ଟଙ୍କା ଚାଷ ପାଇଁ ଋଣ ଆଣିଥିଲେ । ଫସଲ ହାନୀ ଯୋଗୁଁ ଋଣ ସୁଝିିନପାରିବା ଭୟରେ ସେ ଦୀର୍ଘଦିନ ହେଲା ମାନସିକ ଦୁଶ୍ଚିନ୍ତାରେ ଥିଲେ ବୋଲି କୁହାଯାଉଛି । ସେହିପରି ଗତ ରବିବାର ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକର ସାମ ସିଙ୍ଘା ଗାଁର ଜଣେ ଚାଷୀ ଜୁଧିଷ୍ଠିର ମଲ୍ଲିକ ମଧ୍ୟ ଏହି ଋଣଭାର ଭୟରେ ଆତ୍ମହତ୍ୟା କରିଛନ୍ତି । ସେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏ କ୍ଷେତ୍ରରେ ପିସିସି ସଭାପତି ଏ ସବୁ ବିଷୟ ତାଙ୍କ ଟ୍ୱିଟରେ ଦର୍ଶାଇ ଆଉ କାଳ ବିଳମ୍ବ ନକରି ମୁଖ୍ୟମନ୍ତ୍ରୀ ଚେତନ୍ତୁ ଓ କୃଷିଋଣ ଛାଡ କରନ୍ତୁ ବୋଲି ଦାବୀ କରିଛନ୍ତି ।