ବଢୁଛି ନିରଞ୍ଜନ-ଶ୍ରୀକାନ୍ତଙ୍କ କଳି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: କଂଗ୍ରେସରେ କନ୍ଦଳ ଏବେ ପୁଣି ଉଗ୍ର ରୂପ ଧାରଣ କରିଛି । ଦୁଇ ବରିଷ୍ଠ ନେତାଙ୍କ ଭିତରେ କଳି ଚରମସୀମାରେ ପହଂଚିଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଭିତରେ ଆକ୍ଷେପ ପ୍ରତିଆକ୍ଷେପ ବେଳକୁ ବେଳ ବଢ଼ିବାରେ ଲାଗିଛି । ଦୁଇ ଜଣ ପରସ୍ପରକୁ ନାଲି ଆଖି ଦେଖାଇବାର ଆରମ୍ଭ କରିଦେଇଛନ୍ତି । କେହି ଆଉ ପଛରେ ପଡ଼ିବାକୁ ଚାହୁଁ ନାହାଁନ୍ତି । ଏକ ପ୍ରକାର ଉଭୟଙ୍କ ମଧ୍ୟରେ ଜବାବ ସୁଆଲ ଚାଲିଛି । ଆଜି ପୁଣି ନିରଂଜନଙ୍କୁ ଶ୍ରୀକାନ୍ତ ଆକ୍ଷେପ କରି ଖଣି ଚୋରଭାବେ ଚିତ୍ରଣ କରିଛନ୍ତି । ନିରଂଜନ ପାଲଟା ଜବାବ ଦେବାକୁ ଯାଇ ସିଧା ଧମକ ଦେଇଛନ୍ତି ଅପେକ୍ଷା କର ଆଗକୁ କଣ ହେଉଛି ଦେଖ । ଶ୍ରୀକାନ୍ତଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ଦଳ ବିରୋଧୀ ଷଡ଼ଯନ୍ତ୍ର କାର୍ଯ୍ୟଲାଗି ବିଦା କରାଯାଇଛି । ଏବେ ତାଙ୍କ ବିରୋଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ଉଦ୍ୟମ ଚାଲିଥିବା ନେଇ ମଧ୍ୟ ନିରଂଜନ ଇସାରା ଦେଉଛନ୍ତି । ଦୁଇ ନେତାଙ୍କ ଭିତରେ ବିବାଦ କୁଆଡ଼କୁ ଯାଉଛି ତାହା କେହି କଳନା କରିପାରୁନାହାଁନ୍ତି ।
ଶ୍ରୀକାନ୍ତ ଗତକାଲି ରଖିଥିବା ମତକୁ ନେଇ ନିରଂଜନ ପ୍ରତିକ୍ରୀୟାଶୀଳ ହୋଇଛନ୍ତି । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀକାନ୍ତ କହିଥିଲେ ରାଜ୍ୟରେ ୪୦ ବର୍ଷ ଧରି କେବଳ ଦୁଇଟି ପରିବାର ଶାସନ ଚଳାଇ ଆସୁଛନ୍ତି । ଲୋକେ ସେହି ପଟ୍ଟନାୟକ ଫାମିଲିର ଶାସନ ଚାହୁଛନ୍ତି ନାଁ ପରିବର୍ତନ ଚାହୁଁଛନ୍ତି ଏ ନେଇ ଗାଁ ଗାଁ ବୁଲି ଲୋକଙ୍କୁ ପଚାରିବେ ଓ ବାକ୍ସ ବସାଇ ସେମାନଙ୍କ ମତାମତ ନେବେ । ଯଦି ରାଜ୍ୟ କଂଗ୍ରେସ ଏହି ପ୍ରସଙ୍ଗକୁ ଗୁରୁତ୍ୱ ନ ଦେଲେ ତେବେ ଆଗମୀ ଦିନରେ ପଙ୍ଗୁ ହୋଇଯିବ ବୋଲି ସେ ଅଭିଶାପ ଦେଇଥିଲେ ।
ଏହି ଆଟାକର ଜବାବ ଆଜି ନିରଂଜନ ଦେଇଛନ୍ତି । ସେ କହିଛନ୍ତି ଶ୍ରୀକାନ୍ତ ଜେନା କେବଳ ଗପ କହୁଛନ୍ତି । ଗପ କହିବା ତାଙ୍କର ଏକ ଚିରାଚରିତ ଅଭ୍ୟାସ । ସେ ଜନତା ଦଳରେ ଥିବାବେଳେ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ସମାଲୋଚନା କରୁଥିଲେ । ତେଣୁ ତାଙ୍କର ଏହା ପୁରୁଣା ରୋଗ । ଦଳରେ ସ୍ୱଚ୍ଛତା ଅଛି କି ନାହିଁ ସେ ଠିକ ସମୟରେ ପ୍ରମାଣ ପାଇବେ । ଆଗକୁ କଣ ହେଉଛି ଦେଖ ବୋଲି ନିରଂଜନ କହିଛନ୍ତି ।
ନିରଂଜନଙ୍କ ଏହି ମତ ଉପରେ ଶ୍ରୀକାନ୍ତ ପ୍ରତିକ୍ରୀୟାଶୀଳ ହୋଇ କହିଛନ୍ତି, ଖଣି ମାଫିଆ ପ୍ରସଙ୍ଗରେ ସେ କାହାକୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରିନାହାଁନ୍ତି । ବରଂ ସାମଗ୍ରିକ ଭାବେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି । ରାଜ୍ୟ ସରକାର ଖଣି ଚୋରଙ୍କ ନା କାହିଁକି ଖୁଲାସା କରୁନାହାଁନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଶ୍ରୀକାନ୍ତ ଆହୁରି କହିଛନ୍ତି ରାଜନୀତିରେ ଗପ କହିବା ଅଭ୍ୟାସ ରହିବା ଦରକାର । ମୋର କଥା ଯାହାକୁ ଗପ ବୋଲି ଲାଗୁଛି ଲାଗୁ ବୋଲି ମଧ୍ୟ କହିଛନ୍ତି । ବିଜୁ ବାବୁଙ୍କ ପ୍ରସଙ୍ଗରେ ଶ୍ରୀକାନ୍ତ କହିଛନ୍ତି ଯେ, ସେ ୩୦ ବର୍ଷ ଧରି ବିଜୁବାବୁଙ୍କ ସହ ଥିଲେ । ତେବେ ସେତେବେଳେ ବି ବିଜୁ ବାବୁ କିଛି ଭୁଲ କରୁଥିଲେ ତାକୁ ସେ ତୁରନ୍ତ ସମାଲୋଚନା କରୁଥିଲେ । ଏହି ସବୁ ସମାଲୋଚନାକୁ ବିଜୁ ବାବୁ ସକାରାତ୍ମକ ଭାବେ ନେଉଥିଲେ । ରାଜନୀତିରେ ବାଦ ବିବାଦ ଓ ମତ ଭେଦ ଏକାନ୍ତ ଜରୁରୀ । ମତ ଭେଦ ନ ରହିଲେ କୌଣସି ବିଷୟରେ ନିର୍ଯ୍ୟାସ ବାହାରିବନି ବୋଲି ଶ୍ରୀକାନ୍ତ କହିଛନ୍ତି ।

2 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here