ନିରଞ୍ଜନଙ୍କ ଯୁକ୍ତି, ମହାନଦୀ ହେଉଛି ଛତିଶଗଡର

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ରାଜ୍ୟ ରାଜନୀତିରେ ବହୁ ହଇଚଇ ସୃଷ୍ଟି ହୋଇଛି । ମହାନଦୀ ବିବାଦ ରାଜନୈତିକ ପ୍ରସଙ୍ଗ ହୋଇ ରହିଛି । ବିଭିନ୍ନ ସମୟରେ ରାଜନୈତିକ ଦଳମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗା ମଧ୍ୟ ଚାଲିଛି । ଛତିଶଗଡ଼ ଓଡ଼ିଶା ମଧ୍ୟରେ ଦେଖା ଦେଇଥିବା ବିବାଦ ତୁଟିନାହିଁ । ମାମଲା ଏବେ ଟ୍ରିବ୍ୟୁନାଲରେ ଅଛି । ଏ କ୍ଷେତ୍ରରେ ଛତିଶଗଡ଼ ସରକାର ବଦଳିଛନ୍ତି । କଂଗ୍ରେସ ନେତୃତ୍ୱାଧୀନ ନୂଆ ସରକାର ଆସିଛି । ଆସୁ ଆସୁ ନୂଆ ସରକାରଙ୍କ ନୂଆ ଜଳସମ୍ପଦ ମନ୍ତ୍ରୀ ରଖିଥିବା ବୟାନକୁ ନେଇ ବିବାଦ ଘନେଇଛି । ବିଶେଷ କରି ଛତିଶଗଡ଼ମନ୍ତ୍ରୀ ମହାନଦୀ ତାଙ୍କର ବୋଲି କହିବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏହାକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ସମର୍ଥନ କରିବା ହେଉଚି ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ । କିଭଳି ଭାବରେ ମହାନଦୀ ଛତିଶଗଡ଼ର ବୋଲି ନିରଂଜନ ମତ ରଖିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।


ନଦୀ ଏକ ପ୍ରାକୃତିକ ସମ୍ପଦ । ଏଥିରେ କାହାରି ଏକ ଚାଟିଆ ଅଧିକାର ନାହିଁ । ଯିଏ ଯାହା ଚାହିଁବ କରିପାରିବ ନାହିଁ । ପ୍ରକୃତି ଉପରେ ସମସ୍ତଙ୍କର ଅଧିକାର ରହିଛି । ମହାନଦୀ ଛତିଶଗଡ଼ରୁ ବାହାରିଥିବାରୁ ତାହା ତାଙ୍କର ବୋଲି ନିରଂଜନଙ୍କ ମତ ସବୁଠାରୁ ସାଂଘାତିକ । କାରଣ ଛତିଶଗଡ଼ରେ କଂଗ୍ରେସ ସରକାର ଆସିବା ପରେ ନିଜେ ନିରଂଜନ ରଖିଥିବା ମତ ଆଉ ଏବେ ଛତିଶଗଡ଼ ମନ୍ତ୍ରୀଙ୍କ ବୟାନ ପରେ ଦେଉଥିବା ମତ ଭିତରେ ଅନେକ ପାର୍ଥକ୍ୟ ରହୁଛି ।
ଛତିଶଗଡ଼ର ଜଳସମ୍ପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେ କହିଛନ୍ତି ମହାନଦୀ ଛତିଶଗଡ଼ରୁ ବାହାରିଥିବାରୁ ଶେଷ ପର୍ଯ୍ୟନ୍ତ ପୁରା ଅଧିକାର ହେଉଛି ଛତିଶଗଡ଼ର । ତାଙ୍କ ପାଖରେ ରାଜ୍ୟ ସ୍ୱାର୍ଥ ବଡ଼ ବୋଲି କହିଛନ୍ତି । ମହାନଦୀ ଉପରେ କିଭଳି ଭାବରେ ପୁରା ଅଧିକାର ଛତିଶଗଡ଼ର ରହିବ ତାହା ମଧ୍ୟ ବୁଝା ପଡୁନାହିଁ । ଯଦି ତାଙ୍କର ବୋଲିକି ଧରାଯାଏ ଓ ପୁରା ଅଧିକାର ଥାଏ ତେବେ ସେମାନେ ଯାହା ଚାହିଁବେ ତାହା କରିପାରିବେ । ଏଥିରେ ଓଡ଼ିଶା ଆପତ୍ତି ଉଠାଇ ପାରିବ ନାହିଁ । ତେବେ ଏ କ୍ଷେତ୍ରରେ ଓଡ଼ିଶା ଯେଉଁ ଅନ୍ୟାୟ ହୋଇଛି ବୋଲି ଦାବି କରି କୋର୍ଟକୁ ଯାଇଛି ସେଥିରେ ଫାଇଦା ମିଳିବ ନାହିଁ । ନିରଂଜନ ନିଜେ କହୁଛନ୍ତି ମହାନଦୀ ହେଉଛି ଛତିଶଗଡ଼ର । ଏ କ୍ଷେତ୍ରରେ ଛତିଶଗଡ଼ ଯାହା ଚାହିଁବ ତାହା କରିବ । ଏହାକୁ ବିରୋଧ କରିିବାର କିଛି ଫାଇଦା ହେବନାହିଁ ବୋଲି କୁହାଯାଉଛି । କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ପ୍ରାକୃତିକ ଝରଣା ବା ନଦୀ ଏସବୁ କୌଣସି ଗୋଟିଏ ରାଜ୍ୟର ଏକ ଛାଟିଆ ଅଧିକାର ନୁହେଁ । ଏହି ଚିରସ୍ରୋତା ଯେଉଁସବୁ ଅଂଚଳ ଦେଇ ଯାଇଛି ସେମାନଙ୍କର ମଧ୍ୟ ଅଧିକାର ରହିଛି । ଏହାକୁ କେହି ଚାହିଁଲେ ବି ନିଜ ରାଜ୍ୟରେ ସମ୍ପୂର୍ଣ୍ଣ ଅଟକାଇ ପାରିବେ ନାହିଁ । ଏଥିପାଇଁ ନଦୀ ଜଳ ଆବଣ୍ଟନ ନିୟମ ମଧ୍ୟ ରହିଛି । ଏ କ୍ଷେତ୍ରରେ ନିରଂଜନଙ୍କ ଭଳି ଜଣେ ଅଭିଜ୍ଞ ଓ ବରିଷ୍ଠ ରାଜନେତା କିଭଳି ଭାବରେ ମହାନଦୀ ଛତିଶଗଡ଼ର ବୋଲି କହିଲେ ତାକୁ ନେଇ ଉଠିଛି ପ୍ରଶ୍ନ ।
ଛତିଶଗଡ଼ ମନ୍ତ୍ରୀଙ୍କ ପ୍ରଶ୍ନ ଉପରେ ନିରଂଜନ ଗଣମାଧ୍ୟମକୁ କହିଛନ୍ତି “ମହାନଦୀଟା ତାଙ୍କର ସେଠୁ ବାହାରିଛି ତାଙ୍କର ନୁହେଁ ଆଉକଣ । ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେଇଛି ଆଉ ଦୁଇଜଣ ଯିଏ ମନ୍ତ୍ରୀ ହେଉଛନ୍ତି ମିଷ୍ଟର ସିଂହ ଆଉ ସାହୁ ତାଙ୍କ ସହିତ କଥା ହୋଇଛି । ଆମେ କହି ନ ଥିଲୁ ତାଙ୍କ ତରଫରୁ ସେ ନିଜେ ସମସ୍ତ ଷ୍ଟେଟମେଟ ଦେଇଥିଲେ ତାଙ୍କ ରାଜ୍ୟର ନେତାମାନେ । ଯେ ଅଯଥାରେ ଗୋଟିଏ କଳ ସୃଷ୍ଟି କରିଛି ବିଜେପି ସରକାର । ଏହା ବିଷୟରେ ନିଶ୍ଚିତ ଭାବରେ ନ୍ୟାୟଚୁତ ଭାବରେ ଏହାର ସମାଧାନ ହେବ । ସିଏତ କହିଛନ୍ତି ଆମେତ କହିନୁ । ଶୁଣନ୍ତୁ ଏହା ଏକ ଟେକନିକାଲ ସଲ୍ୟୁସନ । ଏହା ସତ୍ୟ ମହାନଦୀ ସେଠୁ ବାହାରିଛି ଆମେ କହିପାରିବୁ ନାହିଁ ଯେ, ଛତିଶଗଡ଼ ବାସୀଙ୍କର କିଛି ଅଧିକାର ନାହିଁ ବୋଲି କିନ୍ତୁ ତାଙ୍କର ଯେଉଁ ଅଧିକାର ଅଛି ଏବଂ ଆମରଯେଉଁ ଅଧିକାର ଅଛନ୍ତି ସେ ଟେକନିକାଲ ତାର ସମାଧାନ ହେବା ସମ୍ଭାବନା ଅଛି ।”