You are here
Home > ପଲିଟିକ୍ସ > ଧାନର ସହାୟକ ମୂଲ୍ୟ ପର୍ଯ୍ୟାପ୍ତ ନୁହେଁ: ନିରଞ୍ଜନ

ଧାନର ସହାୟକ ମୂଲ୍ୟ ପର୍ଯ୍ୟାପ୍ତ ନୁହେଁ: ନିରଞ୍ଜନ

ଭୁବନେଶ୍ୱର :  କେନ୍ଦ୍ର ସରକାର ବୁଧବାର ଦିନ ୨୦୧୮-୧୯ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଘୋଷଣା କରିଛନ୍ତି । ଏହା କୁଇଂଟାଲ ପିଛା ୨୦୦ ଟଙ୍କା ବୃଦ୍ଧି କରାଯାଇଛି । ୨୦୧୭- ୧୮ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ ପିଛା ୧୫୫୦ ଟଙ୍କା ଥିଲା । ଚଳିତ ଥର ଘୋଷଣା କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ପର୍ଯ୍ୟାପ୍ତ ନୁହେଁ ଏବଂ ଏହାଦ୍ୱାରା ଚାଷୀ ବିଶେଷ ଲାଭବାନ ହେବେନାହିଁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ ଏକ ବିବୃତିରେ କହିଛନ୍ତି ଯେ ଖରିଫ ଋତୁରେ ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା କେନ୍ଦ୍ର ସରକାର କୃଷି ଉତ୍ପାଦ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଆସୁଥିଲେ ମଧ୍ୟ ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ଏହାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଦୁଇଦିନ ତଳେ ଏହି ଦାବି ଉପସ୍ଥାପନ କରାଯାଇ ତୁରନ୍ତ ଏମଏସ୍ପି ଘୋଷଣା କରିବାକୁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ କେନ୍ଦ୍ର ସରକାର ପ୍ରାୟ ଏକମାସ ବିଳମ୍ବରେ ଯେତିକି ଏମଏସ୍ପି ଘୋଷଣା କଲେ ତାହା ଚାଷୀଙ୍କ ପାଇଁ ବିଶେଷ ସହାୟକ ହେବନାହିଁ । କାରଣ ପୂର୍ବରୁ ରାଜ୍ୟ ସରକାର ସାଧାରଣ କିସମ ଧାନ କୁଇଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । ତେବେ କୃଷି ଉତ୍ପାଦନ ଖର୍ଚ୍ଚ ଓ ମୂଲ୍ୟ ନିର୍ଦ୍ଧାରଣ ଆୟୋଗ (ସିଏସିପି) ସାଧାରଣ କିସମ ଧାନ କୁଇଂଟାଲ ପିଛା ୧୭୪୫ ଟଙ୍କା ଏବଂ ‘ଏ’ ଗ୍ରେଡ ଧାନ କୁଇଂଟାଲ ପିଛା ଏମଏସ୍ପି ୧୭୭୦ ଟଙ୍କା ଧାର୍ଯ୍ୟ କରିବାକୁ ସୁପାରିଶ କରିଥିଲେ । ତାହାକୁ ବିଚାରକୁ ନେଇ କେନ୍ଦ୍ର ସରକାର ଏମଏସ୍ପି ୨୦୦ ଟଙ୍କା ବୃଦ୍ଧି କରିଛନ୍ତି । ପୂର୍ବରୁ ପ୍ରଧାନମବୀ ସର୍ବନିମ୍ନ ସହାୟକ ମୂଲ୍ୟ କୃଷି ଉତ୍ପାଦନ କ୍ଷେତ୍ରରେ ହେଉଥିବା ଖର୍ଚ୍ଚର ଦେଢଗୁଣ ଧାର୍ଯ୍ୟ କରିବାକୁ ଘୋଷଣା କରିଥିଲେ । କିନ୍ତୁ ବୁଧବାର ଘୋଷଣା କରାଯାଇଥିବା ଏମଏସ୍ପି ଚାଷୀଙ୍କୁ ପ୍ରତାରଣା କରିବାଭଳି ହୋଇଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିବା ସହିତ ଏଥିରେ ସଂଶୋଧନ ପାଇଁ ଦାବି କରିଛନ୍ତି ।

Loading...
ONA

Leave a Reply

Top