ଜିଲ୍ଲା ସଭାପତିଙ୍କୁ ନିରଂଜନଙ୍କ ପରାମର୍ଶ, ମିଳିମିଶି କାମ କର

ଭୁବନେଶ୍ୱର, ୧୩ା୦୬ା୨୦୧୮: ରାଜ୍ୟ କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ପରେ ନୂତନ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କ ୨ ଦିନିଆ ବୈଠକ ବୁଧବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିରଞ୍ଜନ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କୁ ମିଳିମିଶି କାର୍ଯ୍ୟ କରିବା ଓ ଦଳକୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ । ମିଳିମିଶି କାମ କଲେ ଦଳ ଆଗକୁ ବଢ଼ିବ । ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ନିରଞ୍ଜନ କହିବା ସହ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଗାମୀ ଗସ୍ତ କାର୍ଯ୍ୟ ସଫଳ କରିବା ନେଇ ମଧ୍ୟ ସଭାପତିମାନଙ୍କୁ ପରାମର୍ଶ ଦେଇଥିଲେ । ନୂତନ ପିସିସି ଟିମ୍ ରାହୁଲ ଗାନ୍ଧିଙ୍କୁ ଆଣି ଏକ ବଡ଼ ଧରଣର ସମାବେଶ କରିବା ପାଇଁ ଯୋଜନା କରିଥିବାରୁ ଜିଲ୍ଲା ସଭାପତି ମାନଙ୍କ ସହଯୋଗ ଲୋଡ଼ିଥିଲେ ।
କଂଗ୍ରେସର ୩୩ ସାଂଗଠନିକ ଜିଲ୍ଲାରେ ପ୍ରଥମ ଥର ପାଇଁ ଜିଲ୍ଲା ସଭାପତି ସହ ଏକାଧିକ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ କରାଯାଇଛି । ପ୍ରଥମ ଥର ପାଇଁ ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ଢ଼ାଞ୍ଚାରେ ଜିଲ୍ଲା କମିଟି ଗଠନ କରାଯାଇଛି । ପିସିସି ପାଇଁ ଜଣେ ଯେପରି ଜଣେ ସଭାପତି ଓ ୩ଜଣ କାର୍ଯ୍ୟକାରୀ ସଭାପତି ଅଛନ୍ତି । ସେହିପରି ଜିଲ୍ଲାରେ ସଭାପତି ଓ କାର୍ଯ୍ୟକାରୀ ସଭାପତି ରହିଛନ୍ତି । ଏହାକୁ ନେଇ କିଛି ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି । କେତେ ଜଣ ସଭାପତି ସେମାନଙ୍କ ଅସନ୍ତୋଷ ଜଣାଇ ସାରିଛନ୍ତି । ସବୁ ବିବାଦକୁ ମେଣ୍ଟାଇ ଆଗକୁ ଯିବା ପାଇଁ ଆଜିଠୁ ଆରମ୍ଭ ହୋଇଥିବା ବୈଠକରେ ୧୧ଟି ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତି ଯୋଗଦେଇଥିଲେ । ବୈଠକରେ ପରେ କିଛି ସଭାପତି କହିଛନ୍ତି ତଳସ୍ତରରୁ ସଂଗଠନକୁ କିପରି ମଜବୁତ କରାଯିବ ସେ ସଂପର୍କରେ ଆଲୋଚନା ହୋଇଥିଲା । ସଭାପତି ଓ କାର୍ଯ୍ୟକାରୀ ସଭାପତି କିପରି ମିଳିମିଶି କାର୍ଯ୍ୟ କରିବେ ଏବଂ ଜିଲ୍ଲା କମିଟି ଗୁଡ଼ିକ ଶୀଘ୍ର ଗଠନ ହେବ ସେ ସଂପର୍କରେ ଆଲୋଚନା ହୋଇଥିଲା । ରାହୁଲ ଗାନ୍ଧି ଆସୁଥିବାରୁ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ଆଲୋଚନା କରାଯାଇଥିବା କଥା ସଭାପତିମାନେ କହିଛନ୍ତି । ୨୦୧୯ ନିର୍ବାଚନ କିପରି ଜିତିବେ ସେ ନେଇ ଆଲୋଚନା ହୋଇଥିଲା ।
ପିସିସି ସଭାପତି ନିରଞ୍ଜନ ପଟ୍ଟନୟକ କହିଛନ୍ତି, “ଆମ ଦଳ ବର୍ତ୍ତମାନ କେତେଦୂର ସକ୍ରିୟ ଅଛି ଗ୍ରାମାଞ୍ଚଳରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ । ତା’ ଉପରେ ଆମେ ଅନୁଧ୍ୟାନ କରୁଛୁ । ଆମେ ଶୋଇକି ରହିଥିଲୁ କମିତି ଆମେ କାର୍ଯ୍ୟଦକ୍ଷ ହେବୁ, ଲୋକଙ୍କ ପାଖକୁ କିପରି ଯିବୁ । ଜନସାଧାରଣଙ୍କ ଯେଉଁ ସମସ୍ୟା ଅଛି ତାକୁ କିପରି ଉତ୍ଥାପନ କରିବୁ । ଲୋକଙ୍କ କିପରି ଶ୍ରଦ୍ଧାଭାଜନ ହେବୁ ଓ ବିଶ୍ୱାସଭାଜନ ହେବୁ ଏହା ହେଉଛି ଦଳର କାର୍ଯ୍ୟ । ବୁଥ୍ ସ୍ତରରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ କଂଗ୍ରେସ ସଂଗଠନକୁ ମଜବୁତ କରାଯିବ । ସୋସିଆଲ ମିଡିଆରେ କିପରି ଯୋଗାଯୋଗ ହୋଇପାରିବ । ଏ ସବୁ ବିଷୟରେ ଜିଲ୍ଲା ସଭାପତିମାନଙ୍କ ସହ ଆଲୋଚନା କରାଯାଇଛି । ଆଜି ୧୦ଟି ଜିଲ୍ଲାର ହୋଇଛି ଆଉ ୨୩ଟି ଜିଲ୍ଲାର ଅ।।ଲୋଚନା କାଲି ହେବ ।”
ନିରଞ୍ଜନ କହିଛନ୍ତି ଏଠି ଖାଲି ବୁଲିଲେ ହେବନି । ଗ୍ରାମାଞ୍ଚଳରେ ଯିଏ ଲୋକଙ୍କ ସହ ଥିବେ ସେ ପ୍ରାର୍ଥୀ ହେବେ । କେଉଁମାନେ ଲୋକଙ୍କ ସହ ଅଛନ୍ତି, ତାହା ୩-୪ମାସ ମଧ୍ୟରେ ଜଣାପଡ଼ି ଯିବ । ୧୫ ଦିନ ଭିତରେ ଜିଲ୍ଲା କମିଟି ପୋଗ୍ରେସ ରିପୋର୍ଟ ଦେବ ।
କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, “ ପ୍ରତି ଜିଲ୍ଲା ପରିଷଦକୁ ଗୋଟିଏ ଲେଖାଏଁ ବ୍ଲକ୍ର ଜୋନ୍ ଭାବେ ବିବେଚନା କରାଯାଇଛି । ଏଣୁ ପ୍ରତି ଜିଲ୍ଲାପରିଷଦ ଜୋନ୍ରେ ଜଣେ ଲେଖାଏଁ ସଭାପତି ନିଯୁକ୍ତ ହେବେ । ଏହି ସଭାପତି ନିଯୁକ୍ତ ଜୁନ୍ ସୁଦ୍ଧା ସରିବ । ଜୁଲାଇ ୧୦ ସୁଦ୍ଧା ବୁଥ୍ କମିଟି ପ୍ରକ୍ରିୟା ଶେଷ ହେବ । କିଛି ଜିଲ୍ଲାରେ ଅସନ୍ତୋଷ ରହିଛି ସେସବୁ ଦୂର ହୋଇଯିବ ।”

LEAVE A REPLY

Please enter your comment!
Please enter your name here