ନିରଂଜନଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଯୁବକ ଓ ମହିଳାମାନଙ୍କୁ ଆକୃଷ୍ଟ କରିବା ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ବଡ଼ ଧରଣର ଘୋଷଣା କରିଛନ୍ତି । ତାଙ୍କ ସରକାର କ୍ଷମତାକୁ ଆସିଲେ ରାଜ୍ୟରେ ସବୁ ଶିଳ୍ପ ସଂସ୍ଥାରେ ୮୦ ଭାଗ ଓଡ଼ିଶା ଯୁବକ ନିଯୁକ୍ତ ପାଇବେ ଏବଂ ଝିଅମାନଙ୍କୁ ଆରମ୍ଭରୁ ବିଦେଶ ଯିବା ଯାଏଁ ମାଗଣାରେ ପଢ଼ିବାକୁ ସୁଯୋଗ ମିଳିବ । ଝିଅମାନେ ଯେତେ ପାଠ ପଢ଼ିଲେ ସବୁ ଖର୍ଚ୍ଚ ସରକାର ବହନ କରିବେ ବୋଲି ନିରଂଜନ କହିଛନ୍ତି ।
ନିକଟରେ ଆୟୋଜିତ ଏକ ସମାବେଶକୁ ଉଦବୋଧନ ଦେଇ ନିରଂଜନ କହିଛନ୍ତି ଆମେ ସରକାରକୁ ଆସିଲେ କହିବୁ ଓଡ଼ିଶାରେ ଯିଏ ଶିଳ୍ପ କରିବ ୩୦ ଭାଗ ଆନୁସଙ୍ଗିକ ଶିଳ୍ପ ଏଠାରେ କରିବାକୁ ପଡ଼ିବ । ଯେଉଁ କଳକାରଖାନା ବସିବ ସେଥିରେ ୮୦ଭାଗ ଓଡ଼ିଶାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବ । ଚାକିରି କରିବାକୁ ଓଡ଼ିଶାରେ ଆଉ ଟୋକା ମିଳିବେନି । ସେହିପରି କହିଛନ୍ତି ହାଇସ୍କୁଲକୁ ଯେତିକି ଝିଅ ପଢ଼ିବାକୁ ଯାଉଛନ୍ତି ସେଥିରୁ ୮୭ ଭାଗ ଝିଅ ୧୦ମ ଶ୍ରେଣୀ ଆଗରୁ ପଳାଇ ଆସୁଛନ୍ତି । ଆମେ ସରକାରୁ ଆସିଲେ ଝିଅମାନେ ଯେତେ ପର୍ଯ୍ୟନ୍ତ ପାଠ ପଢ଼ିବେ ସେତେ ପର୍ଯ୍ୟନ୍ତ ସରକାରୀ ସାହାର୍ଯ୍ୟ ତାଙ୍କୁ ମିଳିବ । ଏମଏ ପଢ଼ନ୍ତୁ, ଡାକ୍ତରୀ ପଢ଼ନ୍ତୁ କି ଇଂଜିନିୟରିଂ ପଢ଼ନ୍ତୁ କି ବିଦେଶ ଯାଆନ୍ତୁ ଯାହା ବି ହେଉ ସବୁ ଖର୍ଚ୍ଚ ସରକାର ବହନ କରିବ । କୁହାଯାଉଛି ମା’କୁ ସମ୍ମାନ ଓ ଗାଁ କୁ କାମ । ଗାଁକୁ ଯେଉଁ କାମ ଆସିଲା ତାକୁ ଲୁଟିକି ଖାଇଲ । ୨୦୦୧ରୁ ୨୦୦୫ ଭିତରେ ଦୈନିକ ୪ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିଲେ । ଏବେ ୨୦୧୫ରୁ ୨୦୧୮ ଭିତରେ ପ୍ରତିଦିନ ୮ ଜଣ ମା ଭଉଣୀମାନଙ୍କୁ ଦୁଷ୍କର୍ମ କରାଯାଉଛି । ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥା କରାଯିବ । ଯେଉଁ ପର୍ଯ୍ୟନ୍ତ ଆମେ ମା’କୁ ସମ୍ମାନ ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ବିକାଶ ସମ୍ଭବ ନୁହେଁ । ଭାରତ ବର୍ଷର ଆତ୍ମା କଣ ତାହା କଂଗ୍ରେସ ଜାଣିଛି ବୋଲି ସେ କହିଛନ୍ତି ।
ପିଠାଠୁ ଆରମ୍ଭ କରି ଚାଷୀ ସହାୟକମୂଲ୍ୟ ପର୍ଯ୍ୟନ୍ତ ସବୁକଥା ମନେ ପଡୁଛି । ଏହି ୧୮ ମାସ ଭିତରେ କେଜାଣି ୧୮ରୁ ଅଧିକ ଯୋଜନା ଘୋଷଣା କରିସାରିଲେଣି । ଆମେ ଲଢ଼ିଥିଲେ ରାଜତନ୍ତ୍ର ଓ ବ୍ରିଟିଶ ବିରୋଧରେ । ବର୍ତ୍ତମାନ ଆସନ୍ତୁ ଲଢ଼ିବା ଚୋରଙ୍କ ସହିତ । ଯୁବକମାନଙ୍କୁ କର୍ମନିଯୁକ୍ତି ଦିଆଯାଇ ପାରିବ । କିଛି ଶିଳ୍ପ ବିକାଶର କାର୍ଯ୍ୟକ୍ରମ କଣ କରିଛନ୍ତି । ଟିଟଲାଗଡ଼ରେ ଯେଉଁ ଡିଫେନ୍ସ କାରଖାନା ହୋଇଛି ତାକୁ କିଏ କରିଥିଲା । କଂଗ୍ରେସ ସରକାର ସବୁବେଳେ ବିକାଶର କଥା ଚିନ୍ତା କରେ । କିଏ ଦଳରେ ଥାନ୍ତୁ ନ ଥାନ୍ତୁ । ବଲାଙ୍ଗୀରରେ ଗୋଟିଏ ପରିବାରକୁ ଲଗାତର ଭାବେ ଜିତାଇ ଚାଲିଛନ୍ତି । କଂଗ୍ରେସକୁ ଏହିଥର ଗୋଟିଏ ଆସନ ଦେଇଛନ୍ତି ବଲାଙ୍ଗୀର ବାସୀ । ଇନ୍ଦିରା ଗାନ୍ଧୀଙ୍କ ସମୟରୁ ପେନସନ ୩୦୦ ଟଙ୍କା ହୋଇଅଛି । ବିଧବା ମା’ ଭଉଣୀ, ବୁଢ଼ାବୁଢ଼ି ସମସ୍ତେ ୩୦୦ ଟଙ୍କା ପାଉଛନ୍ତି । କପେ ଚା’ର ଦାମ ୫ ଟଙ୍କା ହେଲାଣି । ଖଣ୍ଡେ ପାନର ଦାମ ଅଢ଼େଇ ଟଙ୍କା । ଆଉ ସରକାର ଦିନକୁ ୧୦ ଟଙ୍କା ଦେଉଛନ୍ତି । ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ଦରମା ବଢ଼ିବ । ସରକାରି ଚାକିରିଆଙ୍କ ଦରମା ବଢ଼ିବ କିନ୍ତୁ ଗାଁ ଗଣ୍ଡାରେ ଯେଉଁ ଗରିବ ଅଛନ୍ତି ତାଙ୍କର ବଢ଼ିବ ନାହିଁ । ଆମେ ଯଦି ସରକାରଙ୍କୁ ଆସିଲେ ତାକୁ ୧୦୦୦ ଟଙ୍କା କରିବୁ । ଦରକାର ପଡ଼ିଲେ ଆହୁରି ବେଶୀ ବଢ଼ାଇବୁ । ଇଏ ଗରିବ ଲୋକର ସରକାର ନୁହେଁ । ଇଏ ଚାଷୀର ସରକାର ନୁହେଁ । ଇଏ ବେକାର ଯୁବକଙ୍କ ସରକାର ନୁହେଁ କି ଆଦିବାସୀ ଦଳିତ ଲୋକଙ୍କ ସରକାର ନୁହେଁ । ଆମେ ସରକାରକୁ ଆସିଲେ ୨ ବର୍ଷ ଭିତରେ କେହି ଭୂମିହୀନ ହୋଇ ରହିବେ ନାହିଁ ।
କିନ୍ତୁ ସେମାନେ ଭାବୁଛନ୍ତି ଓଡ଼ିଶା ଲୋକଗୁଡ଼ା ଗରିବ, ଭିକାରି ତାଙ୍କୁ ଟଙ୍କାକିଆ ଚାଉଳ ଦେଇଦେଲେ ସିଏ ଖୁସ ଆମେ ଚିଟଫଣ୍ଡରେ ପଇସା ପାଇବୁ, ମାଇନିଂରେ ପଇସା ଖାଇବୁ, ରାସ୍ତାଘାଟରେ ପଇସା ଖଇବୁ, ଡାଲି, ଆଳୁ, ପାଣି ସବୁଥିରୁ ଖାଇବୁ । ଆମ ଦୁର୍ବଳତାର ସୁଯୋଗ ନେଇ ଆମକୁ ମୋବାଇଲ, ଚପଲ, ସାଇକେଲ ଦେଖାଇ ଭୋଟ ନେଉଛନ୍ତି । ପିଲାମାନଙ୍କ ପାଇଁ ଚାକିରି ନାହିଁ ସରକାରଙ୍କ ପାଖରେ ୧ ଲକ୍ଷ ୩୧ ହଜାର ଚାକିରି ମହଜୁଦ ଅଛି । ଗୋଟେ ବିଜୁ ବାହିନୀ ତିଆରି କରିଛନ୍ତି । ସେ ବିଜୁ ବାହିନୀ ୧୦ ହଜାରରୁ ୪୦ ହଜାର ଟଙ୍କା ପାଇବେ । ସେମାନେ ତାଙ୍କ ବୁଥ ଜଗିବେ । ସରକାରୀ ପଇସାରେ କର୍ମନିଯୁକ୍ତି ଦେଇ ତାଙ୍କ ଦ୍ୱାରା ଭୋଟ ଆଣିବେ ।
ଆମେ କେତେଟା ନେତା ଏପଟସେପଟ ହୋଇ କଂଗ୍ରେସକୁ ଦୂର୍ବଳ କରିଦେଉଛୁ କିନ୍ତୁ କଂଗ୍ରେସ ଦୂର୍ବଳ ନୁହେଁ । କଂଗ୍ରେସ ଭଳି ଦଳ ନାହିଁ ଯିଏକି ଭାରତବର୍ଷର ଆତ୍ମକୁ ଚିହ୍ନିଛି । ଓଡ଼ିଶାର ଚିତ୍ରକୁ ସମ୍ପୂର୍ଣ୍ଣ ବଦଳାଯାଇପାରିବ । ଆମେ ଭିକ୍ଷା ଚାହୁଁ ନାହୁଁ ଆମେ ଶିକ୍ଷା ଚାହୁଁଛୁ ବୋଲି ନିରଂଜନ କହିଛନ୍ତି ।