ନବୀନଙ୍କୁ ନିରଂଜନଙ୍କ ଆହ୍ୱାନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ବିଧାନସଭା ଓ ଲୋକସଭାରେ ସଂରକ୍ଷଣ କରିବାକୁ ସରକାର ଏକ ସଂକଳ୍ପ ଆଣି ତାକୁ ଗୃହୀତ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏହି ଆଗୁଆ ପଦକ୍ଷେପକୁ ନେଇ ସବୁଆଡ଼େ ଆଲୋଚନା ଚାଲିଛି । ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ବୋଲି ବିଜେଡି ଡିଣ୍ଡିମ ପିଟୁଛି । ଏହି ଘଟଣାରେ ବିରୋଧୀ ସମାଲୋଚନା କରିବାକୁ ଆଗେଇ ଆସିଛନ୍ତି । ଏଥିରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏହାକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଆସନ୍ତା ସାଧାରଣ ନିର୍ବାଚନରେ ନିଜ ଦଳରେ ଉଭୟ ବିଧାନସଭା ଓ ଲୋକସଭାରେ ମହିଳାଙ୍କୁ ୩୩ ପ୍ରତିଶତ ଟିକେଟ ଦେଇ ଆଗେ ଆଦର୍ଶ ଦେଖାନ୍ତୁ । ଏଥିସହ ଶ୍ରୀ ପଟ୍ଟନାୟକ ବିଜେଡି କଂଗ୍ରେସ ସମ୍ପର୍କକୁ ନେଇ ଗତକାଲି ବିଧାନସଭାରେ ବିଜେପି କରିଥିବା ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରୀୟା ରଖି ପାଲଟା ଚଢ଼ାଉ କରିଛନ୍ତି । ଉଭୟ ବିଜେପି-ବିଜେଡି ଭିତରେ କୋଳାକୋଳି ହେଉଥିବା ଘଟଣା ପ୍ରଘଟ ହୋଇଯିବାରୁ ଏହାକୁ ଘଣ୍ଟ ଘଉଡ଼ାଇବା ପାଇଁ ଅନ୍ୟକୁ ଦୋଷ ଦେବାରେ ଲାଗିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଆଗେ ଦଳରେ ୩୩% ଲାଗୁକର

ଶ୍ରୀ ପଟ୍ଟନାୟକ ପ୍ରତିକ୍ରୀୟା ରଖି କହିଛନ୍ତି ଆମ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ଅଛି କି ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିବାର । ୧୮ ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ହୋଇ ରହିଲେ ତାଙ୍କର ଦିନେ ମନ ପଡ଼ିଲାନି । ଏଇନେ କାହିଁକି ମନେ ପଡୁଛି । ମହିଳାମାନେ ନିର୍ବାଚନରେ ଭୋଟ ଦେବାରେ ସହଯୋଗ କରିବା ପାଇଁ ? ଠିକ ଅଛି, ସ୍ୱାଗତ ଯୋଗ୍ୟ । ତାଙ୍କର କରିବାର ଅଧିକାର ନାହିଁ । କେବଳ ଲୋକ ଦେଖାଣିଆ ପାଇଁ ଏମିତି ଗୋଟେ କରିଛନ୍ତି । ନବୀନ ବାବୁ ତାଙ୍କ ଦଳରେ ଟିକେଟ ବାଂଟିଲା ବେଳେ ବିଧାନସଭା ଓ ଲୋକସଭାରେ ୩୩% ମହିଳାଙ୍କୁ ଦିଅନ୍ତୁ ତାହାହେଲେ ଆମେ ଜାଣିବୁ ପ୍ରକୃତରେ ତାଙ୍କର ଏ ଦିଗରେ ଆନ୍ତରିକତା ଅଛି ବୋଲି ସେ କହିଛନ୍ତି ।

ନିଜ ଦୁର୍ବଳତା ଧରା ପଡ଼ିବାରୁ ଘଣ୍ଟ ଘଉଡ଼ାଇବାକୁ ଉଦ୍ୟମ

ବିଜେଡି କଂଗ୍ରେସ ଫିକ୍ସିଂ ସମ୍ପର୍କରେ ଉଠୁଥିବା ଅଭିଯୋଗ ଉପରେ ପିସିସି ସଭାପତି କହିଛନ୍ତି ଆମେ ଯଦି ବିଜେଡି ସାଙ୍ଗରେ ଫିକ୍ସିଂ କରିବୁ ତାହାହେଲେ ଓଡ଼ିଶାରେ ଲଢ଼ିବୁ କାହା ସାଙ୍ଗରେ । ବିଜେପି-ବିଜେଡିଙ୍କର ଯେଉଁ ଦୁର୍ବଳତାଟା ଅଛି ସେଥିରେ ବାହାରେ ଯେଉଁ ବଦନାମ ହେଲେଣି ବିଜେପି-ବିଜେଡି ଭାଇ ଭାଇ କୋଳାକୋଳି ଏବଂ ଭୁବନେଶ୍ୱର କଳି ଦିଲ୍ଲୀରେ କୋଳାକୋଳି ଏହାକୁ ଘଣ୍ଟ ଘଉଡ଼ାଇବା ପାଇଁ କଂଗ୍ରେସ ନାଁରେ ଆଶ୍ରୟ ନେଉଛନ୍ତି । ନିଜର ଦୁର୍ବଳତା ଘୋଡ଼ାଇବା ପାଇଁ ଏହା ତାଙ୍କର ଏକ ଅପଚେଷ୍ଟା । ସତ ସତ ହେବ, ଲୋକେ ଜାଣିବେ ଆଉ ଜାଣିଛନ୍ତି । ସାଢ଼େ ୪ବର୍ଷ ଭିତରେ ବିଜେପିକୁ ବିଜେଡି ସମର୍ଥନ କରିଛି । ବିମୁଦ୍ରାକରଣ ହେଲା, ଜିଏସଟି ହେଲା, ପେଟ୍ରୋଲ ଡିଜେଲ ଦର ବଢ଼ିଗଲା, ବିମାନ ପଇସା କୋଟିକୋଟି ଟଙ୍କା ଖାଇଗଲେ ହେଲେ ପାଟିଫିଟାଇଲେ ନାହିଁ । ଏଥିପାଇଁ ଲୋକେ ହନ୍ତସନ୍ତହେଲେ ବି ହେଲେ । ଚିଟଫଣ୍ଡ ପଇସା ଖାଇଯାଇଛନ୍ତି, ମାଇନିଂ ପଇସା ଖାଇଯାଇଛନ୍ତି । କାଳେ ସିବିଆଇ ଧରିବ ସେଥିପାଇଁ ସବୁ ଆତ୍ମସମର୍ପଣ କରି ରହିଛନ୍ତି । ଭିତରେ ସେମାନେ କୋଳାକୋଳି ଏଥିରେ ସନ୍ଦେହ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here