ବିଧାନସଭାରେ ନୀଳଗିରି ଓ ସୋର ଦୁଷ୍କର୍ମ ତାତି : ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି ବିରୋଧୀ

ଭୁବନେଶ୍ବର : ବିଧାନସଭାରେ ନୀଳଗିରି ଓ ସୋର ଦୁଷ୍କର୍ମ ତାତି । ରାଜ୍ୟରେ ଏବେ ମହିଳା ଓ ନାବାଳିକାଙ୍କ ଉପରେ ଅତ୍ୟାଚାର ବଢିଚାଲିଥିବା ବେଳେ ସରକାର କିଭଳି ନିରବଦ୍ରଷ୍ଟା ସେନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।ଏହା ଉପରେ ମୋସନ ଆକାରରେ ଆଲୋଚନା ପାଇଁ ବିରୋଧୀ ଅଡିବସିବା ସହ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦିଅନ୍ତୁ ବୋଲି ଦାବି କରିଛନ୍ତି । ଶେଷରେ ୧୯ ତାରିଖରେ ଏନେଇ ଗୃହରେ ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି । ସେପଟେ ନୀଳଗିରି ମାମଲାରେ ସ୍ଥାନୀୟ ବିଧାୟକଙ୍କ ସଂପର୍କୀୟ ଅଭିଯୁକ୍ତ ବୋଲି ଖବର ଆସିବା ପରେ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି ..
ନୀଳଗିରି , ସୋର ଦୁଷ୍କର୍ମ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ । ରାଜ୍ୟରେ ମହିଳା ଓ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ଘଟଣା ବଢିଚାଲିଛି । ହେଲେ ରାଜ୍ୟ ସରକାର ସବୁ ଜାଣି ଚୁପ୍ ବସିଛନ୍ତି ।ଏହାକୁ ପ୍ରସଙ୍ଗକରି ଗୃହରେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି ବିରୋଧୀ ।ପ୍ରଶ୍ନକାଳ ବାତିଲକରି ରାଜ୍ୟରେ ମହିଳାଙ୍କ ସୁରକ୍ଷା ଉପରେ ମୋସନ ଆକାରରେ ଟିକିନିଖି ଆଲୋଚନା ହେଉ ବୋଲି ବିରୋଧୀ ଦାବି କରିଛନ୍ତି । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହ ଦିନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ବିରୋଧୀଙ୍କ ଯୁକ୍ତି ଓଡିଶା ମହିଳା ଓ ନାବାଳିକା ଧର୍ଷଣରେ ପଛରେ ନାହିଁ । ପ୍ରତିଦିନ ଏଠି ୬ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । କିନ୍ତୁ ବର୍ଷକରେ ମାତ୍ର ୬ ଜଣ ଦୋଷୀ ସାବ୍ୟସ୍ତ ହେଉଛନ୍ତି । ପୀଡିତା ଥାନାକୁ ଗଲେ ପୋଲିସ ପ୍ରଥମେ ସିଏ କେଉଁ ଦଳ ସହ ସଂପୃକ୍ତ ତାହା ପଚାରି ବୁଝୁଛି । ପ୍ରଶାସନ ପୋଲିସକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ହେଲେ ସରକାରୀ ଦଳ କହିଛି ଆଇନ ଅନୁସାରେ ସବୁକିଛି କରାଯାଉଛି ।
ସେପଟେ ନୀଳଗିରି ପ୍ରସଙ୍ଗ ରାଜନୈତିକ ମୋଡ ନେଲାଣି । ଦୁଷ୍କର୍ମ ଅଭିଯୁକ୍ତ, ସ୍ଥାନୀୟ ବିଧାୟକଙ୍କ ସମ୍ପର୍କୀୟ ବୋଲି ଅଭିଯୋଗ ଆସିଲାଣି । ବିଜେପି କହିଛି ସେଇଥିପାଇଁ ସ୍ଥାନୀୟ ପୋଲିସ ହାତବାନ୍ଧି ବସିଛି । ତେବେ ନୀଳଗିରି ବିଧାୟକ ସୁକାନ୍ତ ନାଏକ କହିଛନ୍ତି ଅଭିଯୁକ୍ତ ସହ ତାଙ୍କର କୌଣସି ସଂପର୍କ ନାହିଁ । ଆଇନ ତାବାଟରେ ଯିବ ।
ବିରୋଧୀ ଜିଦ୍ କରିଥିଲେ ଗୃହମନ୍ତ୍ରୀ ହିସାବରେ ସୋରୋ ଓ ନୀଳଗିରି ପ୍ରସଙ୍ଗରେ ଖୋଦ୍ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦିଅନ୍ତୁ । ଏଥିପାଇଁ ବାରମ୍ବାର ଗୃହକୁ ମୁଲତବୀ କରାଯାଇଥିଲା । ଶେଷରେ ସର୍ବଦଳୀୟ ବୈଠକରେ ନିସ୍ପତି ହୋଇଛି ମହିଳା ଓ ନାବାଳିକାଙ୍କ ନିର୍ଯାତନା ଉପରେ ୧୯ ତାରିଖରେ ଗୃହରେ ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here