ମୋଦିଙ୍କୁ ନିରଂଜନଙ୍କ ପ୍ରଶ୍ନ: ଛଳନା ଛାଡ଼ି କେବେ କାର୍ଯ୍ୟାନୁଷ୍ଠା ନେବେ

ଭୁନନେଶ୍ୱର: ପିସିସି ସଭାପତି ନିରଂଜନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣି ସାରିଲା ପରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ତାଙ୍କୁ ପଚାରିଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ଭାଷଣ ଦେବା ବେଳେ ବିନା ପିସିରେ ବା ଲାଂଚରେ ସରକାରରେ ଲୋକଙ୍କ କାମ ହୁଏନାହିଁ ଏବଂ ଏହାକୁ ସରକାରଙ୍କ ଲୋକ ଓ କର୍ମୀମାନେ ନେଉଥିବା ଅଭିଯୋଗ କରିଛନ୍ତି । ଏହା ଉପରେ ପ୍ରତିକ୍ରୀୟା ରଖିବାକୁ ଯାଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମୋଦିଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି । ଟ୍ୱିଟ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ପ୍ରଧାନମନ୍ତ୍ରୀ ଓଡ଼ିଶାରେ ପିସି ବିନା କୌଣସି କାମ ହେଉନାହିଁ ବୋଲି ଯାହା କହିଛନ୍ତି ସେଥିରେ ମୁଁ ସହମତ । କିନ୍ତୁ କାହିଁକି ଚିଟଫଣ୍ଡ ଘଟଣାରେ ବିଜେଡିକୁ ସିବିଆଇ ସୁରକ୍ଷା ଦେଉଛି? ବ୍ଲକରୋଜ ଘଟଣାରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି? ପ୍ରଧାନମନ୍ତ୍ରୀ କେବେ ତାଙ୍କର ଏହି ଅର୍ଥହୀନ ଛଳନା ବନ୍ଦ କରି ପଦକ୍ଷେପ ନେବେ? ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ରହି ଭାଗବାଣ୍ଟି ଖାଆନ୍ତୁ ନଚେତ ଓଡ଼ିଶା ଲୋକଙ୍କ ସହ ରୁହନ୍ତୁ ।
ଏଥିସହ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଅତିତର ମଥ୍ୟା ପ୍ରତିଶ୍ରୁତି କଥା ଦର୍ଶାଇ ମନେପକାଇ ଦେବାକୁ ଚାହିଁଛନ୍ତି । ପ୍ରଧାନମନ୍ତ୍ରୀ ରାଉରକେଲା ଆଇଜିଏଚକୁ ସୁପରସ୍ପେଶାଲିଟି ହସ୍ପିଟାଲ କରିବା ପାଇଁ ଘୋଷଣା କରିଥିଲେ କିନ୍ତୁ ଏବେ ଆରଟିଆଇରେ ମିଳିଥିବା ତଥ୍ୟ ଅନୁସାରେ ଏଭଳି ସୁପରସ୍ପେଶାଲିଟି ହସ୍ପିଟାଲ ଓଡ଼ିଶାରେ କରିବାର ପ୍ରସ୍ତାବ ନାହିଁ । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ଏହି ପ୍ରତିଶ୍ରୁତି ରଖିପାରି ନଥିଲା ବେଳେ ଆଜି ପୁଣି କିଛି ନୂଆ ପ୍ରତିଶ୍ରୁତି ଓଡ଼ିଶା ଲୋକଙ୍କ ପାଖରେ ରଖିଛନ୍ତି । ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ସେ ଉତ୍ସୁକତାର ସହ ଶୁଣୁଥିଲେ । ଏଥିରେ ରାଫେଲ, ମହାନଦୀ, ବ୍ରାହ୍ମଣୀ ସେତୁ ଓ ରାଉରକେଲା ସ୍ପିଟାଲ ସମ୍ପର୍କରେ କୌଣସି କଥା ପ୍ରଧାନମନ୍ତ୍ରୀ କହିଲେ ନାହିଁ । ରାଫେଲ ସ୍କାମ ଯୋଗୁ ଓଡ଼ିଶା ହଜାରେ ହଜାରେ ନିଯୁକ୍ତି ସୁଯୋଗ ହରାଇଲା । ବିଜେପିର ଛତିଶଗଡ଼ ସରକାର ମହାନଦୀରେ ବିଶ୍ୱାସଘାତକତା କାର୍ଯ୍ୟ କରିଛନ୍ତି । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ରାଉରକେଲା ହସ୍ପିଟାଲ ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ମିଥ୍ୟା ପ୍ରମାଣିତ ହୋଇଛି । ଏସବୁ ଜୁମୁଲା ବୋଲି ଶେଷରେ ଜଣାପଡ଼ିଛି ।