ଏବେ ନୂଆ ସମିକରଣ ନେଇ ଚର୍ଚ୍ଚା

https://www.facebook.com/nnsodia/videos/267154983995629/?t=5

ବିଜୁଙ୍କ ନାଁ ନେଇ ହେବ ରାଜନୀତି

ଭୁନନେଶ୍ୱର: ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ଏକ ନୂଆ ସମୀକରଣ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡିରୁ ଡାକ୍ତର ଦାମୋଦର ରାଉତ ବହିଷ୍କୃତ ହେବା ପରେ ଏହି ଆଲୋଚନାକୁ ଅଧିକ ଖୋରକ ଯୋଗାଇଛି । ବର୍ତମାନ ବିଜେପିର ଦୁଇ ବିଦ୍ରୋହୀ ନେତା ଯେ କି ଏକ ପ୍ରକାର ଦଳକୁ ବାଏବାଏ କରିସାରିଲେଣି ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାଏ ଏବଂ ବିଜେଡିରୁ ଯାଇଥିବା ବୈଜୟନ୍ତ ପଣ୍ଡା ଓ ଡାକ୍ତର ଦାମୋଦର ରାଉତ ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ୱବହନ କରୁଛନ୍ତି । ବିଜୟ ଓ ଦିଲ୍ଲୀପ ଏବେ ବିଜେପିରେ ଥିଲେ ବି ଏକଦା ବିଜେଡିରେ ଥିଲେ । ଏଣୁ ଏହି ୪ ବିଜେଡିର ପୂର୍ବତନ ନେତା ଏକାଠି ହୋଇ ବିଜୁ ବାବୁଙ୍କ ନାଁକୁ ରଖି ଏକ ନୂଆ ଆଂଚଳିକ ଦଳ ଗଠନ କରିବା ସମ୍ଭାବନା ଅଧିକ ଅଛି ବୋଲି ଅନେକ ମତ ଦେଉଛନ୍ତି । ବର୍ତମାନର ରାଜନୀତିକ ପୃଷ୍ଠଭୂମି ଯାହା ଏବଂ ଏହି ନେତାମାନଙ୍କର ସ୍ଥିତି ଯାହା ସେଥିରେ ସେମାନେ ମିଳିତ ଭାବରେ ଅନ୍ୟମାନଙ୍କୁ ସାଥୀରେ ନେଇ ନୂଆ ଦଳ ଗଢ଼ିବା ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି ।
ଆଲୋଚନା ହେଉଛି ଏହି ନେତାମାନଙ୍କର କିଛି ନିଜସ୍ୱ ରାଜନୀତିକ ସ୍ଥିତି ଓ ନେତୃତ୍ୱ ରହିଛି । କୌଣସି ଏକ ନିର୍ଦ୍ଦିଷ୍ଟ ଦଳରେ ଆଉ ସାମିଲ ନ ହୋଇ ନୂଆ ଆଂଚଳିକ ଦଳ ବିଜୁ ବାବୁଙ୍କ ନାଁରେ ଗଠନ କରି କଂଗ୍ରେସ ସହ ମେଂଟ କରିପାରନ୍ତି । ଏଥିରେ ସେମାନେ ଆଉ କୌଣସି ଦଳରେ ରହିଲେ ବୋଲି ଧରାଯିବ ନାହିଁ । ନିର୍ବାଚନ ଏକାକୀ ଜିତିବା ସମ୍ଭବ ନୁହେଁ । ଏଣୁ ଏହି ପଦ୍ଧତିରେ ନିଜର ସମ୍ମାନ ଓ ରାଜନୀତିକ ପ୍ରତିଷ୍ଠାକୁ ବଜାୟ ରଖି କାର୍ଯ୍ୟ କରିପାରିବେ ବୋଲି କେତେକ ମତ ଦେଉଛନ୍ତି । ବର୍ତ୍ତମାନ ପ୍ରତ୍ୟେକଙ୍କର ଭିନ୍ନଭିନ୍ନ ରାଜନୀତିକ ବାଧ୍ୟବାଧକତା ଓ ବିଭେଦ ରହିଛି । ବିଜୟ ମହାପାତ୍ର ଓ ଦିଲ୍ଲୀପ ରାଏଙ୍କର ବିଜେପି ସହ ତିକ୍ତତା ଏତେ ବଢ଼ିଯାଇଛି ଯେ, ସେମାନେ ଆଉ ଦଳରେ ରହିବା ସ୍ଥିତିରେ ନାହାଁନ୍ତି । ଦଳକୁ ସେମାନେ ଏକପ୍ରକାର ବାଏବାଏ କରିସାରିଲେଣି । ବିଜେପି ଛାଡିଲେ ବିଜେଡିରେ ଯୋଗଦେବାର ସମ୍ଭବନା ଏମାନଙ୍କର ନାହିଁ । ଯେଉଁ ପରିସ୍ଥିତିରେ ବିଜେଡିରୁୁ ଏମାନେ ଆସିଥିଲେ ସେଥିରେ ଆଉ ଫେରିବା ଉଭୟଙ୍କ ପକ୍ଷେ ସମ୍ମାନଜନକ ହେବନାହିଁ ବୋଲି କୁହାଯାଉଛି । ଅବଶ୍ୟ ଦିଲ୍ଲୀପ ବିଜେଡିକୁ ଫେରିବା ପାଇଁ ବହୁ ଉଦ୍ୟମ କରିଥିଲେ ହେଲେ ସଫଳ ହୋଇ ନାହାଁନ୍ତି । ବିଜୟ ବିଜେପି ବିରୋଧରେ ମତ ରଖି ବିଜେଡିକୁ ସୁହାଇଲା ଭଳି କାର୍ଯ୍ୟ କରୁଥିଲେ ବି ନବୀନ ତାଙ୍କୁ ଆଉ ଗ୍ରହଣ କରିବା ସମ୍ଭବ ନୁହେଁ । ଏପରିକି ଯଦିବା କିଛି ସେଭଳି ପରିସ୍ଥିତି ଉପୁଜେ ଓ ନବୀନ ଆମନ୍ତ୍ରଣ କରନ୍ତି ସେ କ୍ଷେତ୍ରରେ ବିଜୟ ଯଦି ଫେରିବାକୁ ଚାହାଁନ୍ତି ତେବେ ତାଙ୍କ ପାଇଁ ଆତ୍ମଘାତୀ ସଦୃଶ ହେବ ବୋଲି ମଧ୍ୟ କେତେକ ମତ ରଖୁଛନ୍ତି । କଂଗ୍ରେସକୁ ଯିବା ପାଇଁ ଏହି ଦୁଇ ନେତାଙ୍କର କିଛି ଅସୁବିଧା ନାହିଁ । କିନ୍ତୁ ଯେତେବେଳେ ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ସେ ସମୟରେ ବିଜୟ କଂଗ୍ରେସରେ ମିଶିବା ନେଇ ଏକ ଉଦ୍ୟମ ହୋଇଥିଲା ହେଲେ ସେ ଯାଇ ନ ଥିଲେ । ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସର ନିଜର ସ୍ଥିତି ଯାହା ସେଥିରେ ସେଠାକୁ ଯାଇ ଆଉ ଏ ବୟସରେ ବିଜୟ ହିନସ୍ତା ହେବାକୁ ଚାହୁଁ ନଥିବେ । ବର୍ତ୍ତମାନ ହୁଏତ ବହୁ ଆଶାଦେଇ ସେମାନଙ୍କୁ କଂଗ୍ରେସ ନେଇପାରେ ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କ ସ୍ଥିତି ନେଇ କହିବା କଷ୍ଟକର ହେବ ।
ବୈଜୟନ୍ତ ବିଜେପିକୁ ଯିବା ପାଇଁ ବାଟ ରହିଛି । କିନ୍ତୁ ଯେତେଦିନ ହେଲା ସେ ବିଜେଡି ଛାଡ଼ିଲେଣି ବିଜେପିରେ ଯୋଗ ଦେବାକୁ ହୋଇଥିଲେ ଏ କାର୍ଯ୍ୟ ସରନ୍ତାଣି । ବୋଧହୁଏ ବିଜେପିରେ ଯିବା ନେଇ ସେ ଯେଉଁ ସର୍ତ୍ତମାନ ରଖିବାକୁ ଚାହୁଁଛନ୍ତି ତାହା ବାସ୍ତବ ରୂପ ନେଇପାରୁନି । ସେଥିପାଇଁ ସେ ଯାଇ ପାରୁନାହାଁନ୍ତି । ଏବେ ଦାମ ଆସିଲା ପରେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି । ସେ ଘୋଷଣା କରିଛନ୍ତି ବିଜେପି କିମ୍ବା କଂଗ୍ରେସକୁ ଯିବେ ନାହିଁ । ଅବଶ୍ୟ ଏହି ଦୁଇ ନେତାଙ୍କର ବିଜେପିକୁ ସମର୍ଥନ ଦେବାରେ କିଛି ଅସୁବିଧା ନାହିଁ । ହେଲେ ବିଜୟ ଓ ଦିଲ୍ଲୀପଙ୍କର ସମସ୍ୟା ରହିଛି । ଏ ଦୁଇଜଣଙ୍କର ବିଜେଡିକୁ ସମର୍ଥନ ଦେବାରେ କିଛି ବାଧାନାହିଁ । କିନ୍ତୁ ଯେଉଁଭଳି ପରିସ୍ଥିତିରେ ବିଜେଡିରୁ ବିଜୟ ବିତାଡିତ ହୋଇଛନ୍ତି ବୋଧହୁଏ ସେ ଆଘାତ ଭୁଲିପାରି ନ ଥିବେ । ଏଣୁ ବିଜୟ ଦିଲ୍ଲୀପଙ୍କର ବିଜେପି ବିରୋଧୀ ମନୋଭାବ ଏବଂ ବୈଜୟନ୍ତ ଦାମଙ୍କର ବିଜେଡି ବିରୋଧୀ ମନୋଭାବ ରହିଛି । ଏ କ୍ଷେତ୍ରରେ ଏହି ୪ ନେତା ଏକାଠି ହୋଇ ଏକ ମିଳିତ ମଂଚ ବା ଆଂଚଳିକ ଦଳ ନିଜର ରାଜନୀତିକ ଭବିଷ୍ୟତ ପାଇଁ ଗଠନ କରିପାରନ୍ତି । ଏଣୁ ସେମାନେ ବିଜେଡିକୁ କ୍ଷମତାଚ୍ୟୂତ କରିବା ଏବଂ ଆଗକୁ ମାଡ଼ି ଚାଲିଥିବା ବିଜେପିର ବାଟ ଓଗାଳିବା ପାଇଁ କଂଗ୍ରେସ ସହ ମେଂଟ କରିପାରନ୍ତି । ଏଭଳି ପଦକ୍ଷେପ ନେଲେ କୁହାଯାଉଛି ଉଭୟ ପକ୍ଷଙ୍କ ଲକ୍ଷ୍ୟ ସାଧନ ହେବ । କଂଗ୍ରେସ ଏମାନଙ୍କ ପାଇଁ ଅଛୁଆଁ ନୁହେଁ । ଏଣୁ କଂଗ୍ରେସ ସହ ମେଣ୍ଟ କରି ଏମାନେ ଯଦି ଯଦି ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିବେ ତେବେ ଉଦ୍ଦେଶ୍ୟ ପୂରଣ ହୋଇପାରିବ ।
ଏମାନେ ସମସ୍ତେ ବିଜୁବାବୁଙ୍କ ଅନୁଗାମୀ ଥିବାରୁ ତାଙ୍କ ନାଁରେ ଏକ ଦଳ ଗଠନ କରିବାରେ କିଛି ସମସ୍ୟା ହେବନାହିଁ ବୋଲି କୁହାଯାଉଛି । ଏଥି ସହ ପଂଚାନନନ କାନୁନଗୋଙ୍କ ଭଳି ଅନ୍ୟ ଯେଉଁମାନେ ବିଜୁ ଅନୁଗାମୀ ବିଜେଡିରୁ ବହୁ ଆଗରୁ ଦୂରେଇ ଯାଇଛନ୍ତି ସେମାନେ ମଧ୍ୟ ସାମିଲ ହେବେ । ପୂର୍ବରୁ ଏକ ଆଂଚଳିକ ଦଳ ପାଇଁ ବହୁ ପରିକଳ୍ପନା କରାଯାଇଥିଲା । ଅବଶ୍ୟ ସେତେବେଳେ ଦାମ କି ବୈଜୟନ୍ତ ବିଜେଡି ଛାଡ଼ି ନ ଥିଲେ । କିନ୍ତୁ ବୈଜୟନ୍ତ ସେତେବେଳକୁ ବିଜେଡିରେ ବିଦ୍ରୋହୀ ସାଜିସାରିଥିଲେ । ତାଙ୍କର ଅଲଗା ହେବାର ସୂଚନା ମିଳିସାରିଥିଲା । ସେ ସମୟରେ କଂଗ୍ରେସ ସୌମ୍ୟରଂଜନକୁ ବିଦା କରିଦେଇଥିବାରୁ ଏବଂ ନିରଂଜନକୁ ପିସିସି ସଭାପତି ପଦ ମିଳୁ ନ ଥିବାରୁ ସେମାନେ ଏକାଠି ହୋଇ ଆଂଚଳିକ ଦଳ ପାଇଁ ବେଶ କିଛିଦିନ ଧରି କସରତ ଚଳାଇଥିଲେ । ବିଜୟ, ଦିଲ୍ଲୀପ, ପଂଚାନନ, ନିରଞ୍ଜନ, ସୌମ୍ୟରଂଜନ, ବୈଜୟନ୍ତ ମିଶି ଅନ୍ୟମାନଙ୍କ ପାଇଁ ଏକ ଦଳ ଗଠନ କରିଥାନ୍ତେ । ଏଭଳି ଆଲୋଚନା ଚାଲିଥିଲା । କିନ୍ତୁ ହଠାତ ସୌମ୍ୟରଂଜନଙ୍କୁ ଡାକି ବିଜେଡି ସାମିଲ କରିନେଲା ଏବଂ ରାଜ୍ୟସଭାକୁ ପଠାଇଲା । ପରେ ପରେ ନିରଂଜନଙ୍କୁ ପିସିସି ସଭାପତି ପଦ ମିଳିଗଲା । ଫଳରେ ମେଣ୍ଟ ଆଲୋଚନା ଦୂର୍ବଳ ହୋଇଗଲା । କାରଣ ଯେଉଁ ଆଂଚଳିକ ଦଳ ଗଠନ ହୋଇଥାନ୍ତା ସେଥିପାଇଁ ସୌମ୍ୟରଂଜନ ଗଣମାଧ୍ୟମର ସହାୟତା ଆଉ ନିରଂଜନ ଆର୍ôଥକ ସହାୟତା ଯୋଗାଇଥାନ୍ତେ । ଦୁଇ ମୂଳ ଅସ୍ତ୍ର ଚାଲିଯିବା ପରେ ଏପରି କଳ୍ପନାର ପୂର୍ଣ୍ଣଛେଦ ପଡ଼ିଲା । କିନ୍ତୁ ଏବେ ବୈଜୟନ୍ତ ବିଜେଡି ଚାଲିଆସିବା ଓ ବିଜେପି ସହ ତାଙ୍କର ଡିଲ ହୋଇ ନ ପାରିବା ଏବଂ ଡାକ୍ତର ଦାମରାଉତଙ୍କ ଭଳି ନେତା ବିଜେଡିରୁ ବହିଷ୍କୃତ ହେବା ପରେ ବିରୋଧୀ ପକ୍ଷଙ୍କ ପ୍ରଭାବ ବୃଦ୍ଧି ପାଇଲା । ଫଳରେ ଏହି ନୂଆ ସମୀକରଣ ନେଇ ଆଲୋଚନା ଜୋର ଧରିଲା ।
ବରିଷ୍ଠ ନେତା ପଂଚାନନ କାନୁନଗୋଙ୍କ ବକ୍ତବ୍ୟ ମଧ୍ୟ ଏହି ଆଲୋଚନାକୁ ଅଧିକ ପ୍ରଭାବିତ କରୁଛି । ଶ୍ରୀ କାନୁନୁଗୋ କହିଛନ୍ତି ଯେଉଁ ଆଲୋଚନା ଚାଲିଛି ତାହା ଅସମ୍ଭବ ନୁହେଁ । ରାଜନୀତିରେ ସବୁ ସମ୍ଭବ । ସେଭଳି ଯଦି କୌଣସି ପରିସ୍ଥିତି ଆସିବ ସମସ୍ତେ ଏକାଠି ହୋଇପାରନ୍ତି । ଦାମବାବୁ ଓ ବୈଜୟନ୍ତ ପଣ୍ଡାଙ୍କ ଅନୁପସ୍ଥିତି କୌଣସି ନା କୌଣସି କାରଣରୁ କଂଗ୍ରେସ ଓ ବିଜେପିକୁ ଉତ୍ସାହିତ କରୁଛି । ମୁଁ ଦାମବାବୁଙ୍କ ସହ ଗତ କାଲି ରାତି କଥା ହୋଇଛି । ବିଜୟ ମହାପାତ୍ରଙ୍କ ସହ ମଧ୍ୟ ଆଲୋଚନା କରୁଛି । ତେଣୁ କୌଣସି କଥାକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।
ଏଥିରେ କୁହାଯାଇଛି ପଞ୍ଚାନନ ହିଁ ମଧ୍ୟସ୍ଥ ଭୂମିକା ଗ୍ରହଣ କରି ସମସ୍ତଙ୍କୁ ଏକାଠି କରାଇବାକୁ ଉଦ୍ୟ କରିପାରନ୍ତି । କାରଣ ସେ ଦୀର୍ଘଦିନ ହେଲା ପ୍ରତ୍ୟେକ୍ଷ ରାଜନୀତିରୁ ଦୂରେଇ ରହିଛନ୍ତି । ତାଙ୍କ ଭଳି ଜଣେ ରାଜନେତା କୌଣସି ଉପଯୁକ୍ତ ଫୋରମ ପାଉ ନ ଥିବାରୁ ପ୍ରତ୍ୟେକ୍ଷ ରାଜନୀତିକୁ ଫେରିପାରୁନାହାଁନ୍ତି । ଏବେ ଗୋଟିଏ ସୁଯୋଗ ଆସିଛି ଯାହାକୁ ନେଇ ସେ ଆଗେଇବାକୁ ଉଦ୍ୟମ କରିପାରନ୍ତି ବୋଲି ଅନେକ ମତ ରଖିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here