କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଏଭଳି ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର

ବାଲିଗୁଡ଼ା: ନିର୍ବାଚନ ପାଖେଇ ଆସୁଥିବା ବେଳେ ମାଓବାଦୀମାନେ ଉପଦ୍ରବ ହେଉଥିବାର ଦେଖିବାକୁ ମିଳୁଛି | ତେବେ ଆଜି ପୁଣି କନ୍ଧମାଳ ଜିଲ୍ଲାରେ ପୁଣି ଥରେ ନକ୍ସଲମାନେ ନିଜର ସ୍ଥିତି ଜାହିର କରିଛନ୍ତି । ବାଲିଗୁଡ଼ା-ଦାରିଙ୍ଗବାଡ଼ି ମଧ୍ୟ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥର କାନ୍ଦିବାନ୍ଦା ଗାଁ ନିକଟରେ ଆଜି ନକ୍ସଲଙ୍କ ବାଘୁନା ଡିଭିଜିନାଲ୍‌ କମିଟି ପକ୍ଷରୁ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲଗାଯାଇଥିଲା । ଏଥିରେ ଭୋଟ୍‌ ବର୍ଜନ କରିବା ସହ ବିପ୍ଲବୀ ଗଣ କମିଟି ପ୍ରତିଷ୍ଠା କରିବାକୁ ଉଲ୍ଲେଖ କରାଯାଇଥିଲା ।
ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ନକ୍ସଲମାନେ ଏଥିରେ ଲେଖିଥିଲେ, ଭୋଟ୍‌ ପଥରେ ମୁକ୍ତି ନାହିଁ । ମୁକ୍ତି ପାଇଁ ଲଢ଼େଇ କରିବାକୁ ହେବ । ସବୁ ନେତା ଚୋର। ଯିଏ ଭୋଟ୍‌ ମାଗିବାକୁ ଆସିବ ତାକୁ ଗୋଡ଼େଇ ମାର । ସେମାନେ ଆହୁରି ଲେଖିଥିଲେ ଯେ ଯିଏ ଭୋଟ କଥା କହୁଛି, ସିଏ ସାମ୍ରାଜ୍ୟବାଦୀଙ୍କ ଦଲାଲ । ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ଥର ପାଇଁ ନକ୍ସଲମାନେ ଏଭଳି ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ଏହା ପୂର୍ବରୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ସୁକୁଙ୍ଗିଆ ଛକ ନିକଟରେ ନକ୍ସଲମାନେ ବ୍ୟାନର ଲଗାଇଥିଲେ । ଏଥିରେ ଭୋଟ୍ ବର୍ଜନ କରିବାକୁ ସେମାନେ ଲୋକଙ୍କୁ ଆହ୍ୱାନ ଦେଇଥିଲେ । ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଏଭଳି ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ସ୍ଥାନୀୟ ନେତା ଏବଂ ଭୋଟରଙ୍କ ଚିନ୍ତା ବଢ଼ାଇଛି ।

ମାଓବାଦୀ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଦେଲେ ଆହ୍ୱାନ