ଇଣ୍ଡିଆ ଟୁଡେରେ ନବୀନ ମିଷ୍ଟିକ୍: ଇମେଜ ବିଲ୍ଡିଂ ପ୍ରୟାସ

1
  • ଇଂରାଜୀ ଗଣମାଧ୍ୟମରେ ପ୍ରଶଂସା ହେଲେ ଦିଲ୍ଲୀ ଦରବାରରେ ନେତାଙ୍କର ଭାଉ ବଢ଼େ। ସେଥିପାଇଁ ବିଜୁ ବାବୁ ହୁଅନ୍ତୁ କି ଏବେକାର ସାଂସଦ ବୈଜୟନ୍ତ ପଣ୍ଡା ଅଥବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମସ୍ତେ ଦିଲ୍ଲୀ ନେତୃତ୍ୱକୁ ପ୍ରଭାବିତ କରିବା ପାଇଁ ସବୁବେଳେ ମିଡିଆ ଜରିଆରେ ଚେଷ୍ଟା କରିଥାନ୍ତି। ଏବେ ଏଥିରେ ସମସ୍ତଙ୍କୁ ମାତ୍ ଦେଇଛନ୍ତି ନବୀନ ପଟ୍ଟନାୟକ। ଏକଦା ଲୋକଙ୍କଠାରୁ ଦୂରେଇ ନିଜର ପ୍ରଚାରପ୍ରସାରରେ ମାତିଥିବା ଚନ୍ଦ୍ରବାବୁ ନାଇଡୁଙ୍କୁ ବୁଡ଼ାଇଥିଲା ଗଣମାଧ୍ୟମର ପ୍ରଶଂସା। ଏପରିକି ଇଣ୍ଡିଆ ସାଇନିଂରେ ଇମେଜ୍ ବିଲ୍ଡିଂ କରୁ କରୁ ବାଜପେୟୀଙ୍କୁ ଗାଦିଚ୍ୟୁତ କରାଇଦେଲେ ଆଡଭାନୀ, ପ୍ରମୋଦ ମହାଜନ। ଏବେ ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖୁଥିବା ବେଳେ ନିଜର ଇମେଜ୍ ବିଲ୍ଡିଂ ସମୟରେ ନାଇଡୁ-ମହାଜନଙ୍କ ଭୁଲରୁ କିଛି ଶିଖିବେ କି ?
    ବିନୟ ବରାଳ
    ରାଜନୀତିରେ ଲୋକଙ୍କ ଧାରଣା ଢେର ଗୁରୁତ୍ୱ ବହନ କରେ । ଯଦିଓ ସେହି ଧାରଣା ଅନେକ ସମୟରେ ଭୋଟରେ ପରିଣତ ହୁଏନାହିଁ । କିନ୍ତୁ ଏହା ନିଶ୍ଚୟ ଭାବେ ସରକାରଙ୍କର ଲୋକପ୍ରିୟତାର ଟେମ୍ପରେଚର ମାପିଥାଏ । ଏହି ଫଣ୍ଡାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଭଲ ଭାବେ ବୁଝିଥିଲେ । ସେଥିପାଇଁ ଭାରତର ସ୍ୱନାମଧନ୍ୟ ଶିଳ୍ପପତି ମିଡିଆ ମୋଗଲଙ୍କ ସହ ସଂପର୍କ ସ୍ଥାପନରେ ବିଜୁ ବାବୁ କେବେ ହେଲେ ଊଣା କରୁନଥିଲେ । ଗଣମାଧ୍ୟମ ସାହାଯ୍ୟରେ ନିଜର ପାରିବା ପଣିଆକୁ ଦିଲ୍ଲୀ ଦରବାରରେ ସଠିକ ଭାବରେ ଉପସ୍ଥାପନ କରିପାରୁଥିଲେ । ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ପରେ ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ସେ ଯୋଗ୍ୟ ବ୍ୟକ୍ତି ବୋଲି ଧାରଣା ସୃଷ୍ଟି କରିବାରେ ସଫଳ ମଧ୍ୟ ହୋଇଥିଲେ । ଏଥିରେ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କୁ ସହାୟତା କରିଥିଲେ କୁଳଦୀପ ନାୟର, ଖୁସୱନ୍ତ ସିଂଙ୍କ ପରି ବରିଷ୍ଠ ସାମ୍ବାଦିକମାନେ । ଅବଶ୍ୟ ପରବର୍ତ୍ତୀ ସମୟରେ ଏହା ବିଜୁ ବାବୁଙ୍କୁ ମହଙ୍ଗା ପଡ଼ିଥିଲା । ତଥାପି ବିଜୁ ବାବୁ ନିଜକୁ ଜାତୀୟସ୍ତରର ଆଗଧାଡ଼ିର ନେତା ଭାବରେ ଧାରଣା ସୃଷ୍ଟି କରିବାରେ ସଫଳ ହୋଇଥିଲେ । ଆଉ ବାପାଙ୍କର ସେହି ଫଣ୍ଡାକୁ ଆରମ୍ଭରୁ ଆପଣାଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ, ଏନ୍ଡି ଟିଭି ପରି ଜାତୀୟ ଗଣମାଧ୍ୟମ ସହ ନବୀନଙ୍କର ସଂପର୍କ ଅତି ଉତ୍ତମ । କଂଗ୍ରେସ ହେଉ କି ବିଜେପି ହେଉ ଉଭୟ କ୍ୟାମ୍ପର ମିଡିଆ ଆଡଭାଇଜରଙ୍କ ସହ ନବୀନଙ୍କର ସଂପର୍କ ବି ମଧୁର । ଏନ୍ଡି ଟିଭିର ମାଲିକ ପ୍ରଣୟ ରାୟ ହୁଅନ୍ତୁ କିମ୍ବା ବିଜେପି କ୍ୟାମ୍ପର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ସପନ ଦାସଗୁପ୍ତା ହୁଅନ୍ତୁ ସମସ୍ତେ ନବୀନଙ୍କର ଦିଲ୍ଳୀ ଦରବାରରେ ଇମେଜ ବିଲ୍ଡିଂ କରିବାରେ ଲାଗିଥାନ୍ତି । ଏପରିକି ସେମାନଙ୍କର ସଂସ୍ଥା ଦ୍ୱାରା ମଝିରେ ମଝିରେ ହେଉଥିବା ସର୍ଭେରେ ନବୀନଙ୍କୁ ଆଗରେ ରଖାଯାଇଥାଏ । ଏବେ ପୁଣି ଇଣ୍ଡିଆ ଟୁଡେର କଭରଷ୍ଟୋରୀରେ ସ୍ଥାନ ପାଇଛନ୍ତି ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକଙ୍କ ଯୋଗୁଁ ଓଡ଼ିଶା ପରି ଗରିବ ରାଜ୍ୟ ବିକାଶର ଧାରାରେ ଯୋଡ଼ି ହୋଇଛି । ରାଜ୍ୟ ଉନ୍ନତିରେ ଶିଖରରେ ପହଞ୍ଚିପାରିଛ ବୋଲି ଏ ସଂପର୍କିତ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ନବୀନ କ୍ୟାମ୍ପରୁ ମିଳିଥିବା ଖବର ଅନୁସାରେ ମୁଖ୍ୟମନ୍ତ୍ରୀ ଇମେଜ ବିଲ୍ଡିଂ ପାଇଁ ଇଣ୍ଡିଆ ଟୁଡେର ଆଗାମୀ ଜୁଲାଇ ୩ ସଂସ୍କରଣ ବହୁତ ସାହାଯ୍ୟ କରିପାରେ ।
              ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ଦିଲ୍ଲୀ ମିଡିଆରେ ନବୀନଙ୍କର ଇମେଜ୍ ମଳିନ ପଡ଼ିଥିଲା । ଅଧିକାଂଶ ଜାତୀୟ ଗଣମାଧ୍ୟମ ବିଜେଡି ଗଡ଼ରେ ବିଜେପି ଧସେଇ ପଶିଛି ବୋଲି ଖବର ପରିବେଷଣ କଲେ । ଏପରିକି ମୋଦି ସରକାରର ତୃତୀୟ ବର୍ଷ ପୂର୍ତ୍ତି ବେଳେ ବିଭିନ୍ନ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ଓଡ଼ିଶାରେ ବିଜେପିକୁ ନମ୍ବର ୱାନ୍ ପାର୍ଟି ହେବ ବୋଲି ନିଜ ସର୍ଭେରେ ଦର୍ଶାଇଲେ । ଏଭିତରେ ସବୁବେଳେ ଜନମତ ସର୍ଭରେ ଆଗୁଆ ରହୁଥିବା ନବୀନ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ନିନ୍ଦିତ ହେଲେ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲଗାତର ଓଡ଼ିଶା ଗସ୍ତ ନବୀନଙ୍କ ପପୁଲାରଟି ସିନ୍ଧୁକ ଉପରେ ପ୍ରଭାବ ପକାଇଲା । ଯଦିଓ ପ୍ରଧାନମନ୍ତ୍ରୀଙ୍କ ଆଖିକାନ ତଥା କେନ୍ଦ୍ର ରାଜସ୍ୱ ସଚିବ ହସମୁଖ ଅଧିଆ ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ଖୁବ୍ ପ୍ରଶଂସା କରିଛନ୍ତି । କିନ୍ତୁ ଦାନ ମାଝୀ ନିଜ ସ୍ତ୍ରୀର ମୃତ ଦେହ ହସପିଟାଲରୁ କାନ୍ଧରେ ବୋହି ନେବା, ନଗଡ଼ା ଶିଶୁ ମଡ଼କ, ମାଲକାନଗିରି ଜାପାନୀ ଜ୍ୱର ରେ ଶିଶୁଙ୍କ ମୃତ୍ୟୁ ଘଟଣା ନବୀନଙ୍କର ୧୭ବର୍ଷର ଇମେଜକୁ ଅନ୍ତର୍ଜାତୀୟ ମିଡିଆରେ ଦଳିଚକଟି ଦେଲା । କେବଳ ଏତିକି ନୁହେଁ ରାଜ୍ୟରେ ପ୍ରମୁଖ ଗଣମାଧ୍ୟମରେ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବେଶୀ ଗୁରୁତ୍ୱ ଦିଆଯାଉଛି । ଏପରିକି ବିଜେଡି ସାଂସଦଙ୍କ ଦ୍ୱାରା ପରିଚାଳିତ ଓଟିଭି, ଧରିତ୍ରୀ ପରି ଆଗଧାଡ଼ିର ଗଣମାଧ୍ୟମରେ ମଧ୍ୟ ନବୀନଙ୍କ କାର୍ଯ୍ୟକ୍ରମକୁ ସେପରି ପ୍ରଭାବୀ ଢଙ୍ଗରେ ପ୍ରସାର କରାଯାଉନାହିଁ । ସେହିପରି ବିଜେଡିର ଅନ୍ତଃଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଦଳୀୟ ଛାମୁଆ ନେତାମାନେ ସୋସିଆଲ ମିଡିଆରେ ଜରିଆରେ ୱାର କରୁଛନ୍ତି । ଯେଉଁଥିପାଇଁ ବିଜେଡିର ଅନ୍ଦର ମହଲ କଥା ପଦାକୁ ଆସୁଛି । ଦଳ ଭାବମୂର୍ତ୍ତିରେ ଦାଗ ଲାଗୁଛି । ତେବେ ରାଜ୍ୟର ବିଜେପିର ଗ୍ରୋଥ୍ ହେଉଥିବା ପରିଲକ୍ଷିତ ହେଉଛି । ରାଜ୍ୟବାସୀଙ୍କ ଆଗରେ ନବୀନଙ୍କ ଚେହେରା ମଳିନ ପଡ଼ିଯାଉଥିଲା ବେଳେ ସେ ଏବେ ଜାତୀୟ ଗଣମାଧ୍ୟମ ଜରିଆରେ ନିଜର ଦବଦବା ଜାହିର ପାଇଁ ଉଦ୍ୟମ ଚଳାଇଛନ୍ତି । ଯାହାର ପ୍ରତିଫଳନ ହେବ ଆଗାମୀ ଜୁଲାଇ ୩ ଇଣ୍ଡିଆ ଟୁଡେ ସଂସ୍କରଣରେ । ଏହି ମାଗାଜିନର ପ୍ରଚ୍ଛଦ ପୃଷ୍ଠାରେ ନବୀନ ମିଷ୍ଟିକ୍ ବା ନବୀନ ପେହଲି ବୋଲି ଦର୍ଶାଇ ତାଙ୍କ ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି । ଏହାସହ ନବୀନଙ୍କର ସାଦାସିଧା ଚେହେରା ଓ ଚିନ୍ତିତ ମୁଦ୍ରାରେ ଏକ ଫଟୋ ଛାପିଛି । ତାହା ସହ ଓଡ଼ିଶାକୁ ବିକଶିତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦର୍ଶାଯାଇଛି । ତେବେ ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇପାରିବେ କି ନାହିଁ ସେ ସଂପର୍କରେ ମଧ୍ୟ ଏକ ରିପୋର୍ଟରେ ଅନୁଶୀଳନ କରାଯାଇଛି । ଏସବୁ ପଛରେ ନବୀନଙ୍କର ଡୁନ୍ ସ୍କୁଲର ବନ୍ଧୁ ତଥା ଇଣ୍ଡିଆ ଟୁଡେର ଏଡିଟର ଅରୁଣ ପୁରୀ ରହିଛନ୍ତି ବୋଲି କୁହାଯାଉଛି ।
                  ଅବଶ୍ୟ ନବୀନ ପଟ୍ଟନାୟକ ଯେବେଠାରୁ ମୁଖ୍ୟମନ୍ତ୍ରୀ ହେଲେଣି ପ୍ରତିବର୍ଷ ଜାତୀୟ ଗଣମାଧ୍ୟମରେ ପେଡ୍ ଫିଚର ଷ୍ଟୋରୀ ପ୍ରକାଶ ପାଇବା କିଛି ନୂଆ କଥା ନୁହେଁ । କିନ୍ତୁ ବର୍ତ୍ତମାନ ଇଣ୍ଡିଆ ଟୁଡେରେ ନବୀନଙ୍କର କଭର ଷ୍ଟୋରୀ ପ୍ରକାଶ ପାଇବା କିଛି ଭିନ୍ନ କଥା । ଏହା ବିଜେଡି ସୁପ୍ରିମୋ ନବୀନଙ୍କ ପାଇଁ ବାଧ୍ୟବାଧକତା କାରଣ ଦେଶର ଅଧିକାଂଶ ଗଣମାଧ୍ୟମ ବିଜେପି ସପକ୍ଷରେ ରହିଛି । ଏପରିକି ଯେଉଁ କେତୋଟି ମିଡିଆ ହାଉସ୍ ମୋଦି ସରକାରଙ୍କୁ ସମାଲୋଚନା କରୁଛନ୍ତି ସେମାନଙ୍କୁ ବିଜେପି ସମର୍ଥକମାନେ ସୋସିଆଲ ମିଡିଆରେ ସମାଲୋଚନା କରୁଛନ୍ତି । ତେଣୁ ନବୀନ ନିଜର ଇମେଜ୍ ବିଲ୍ଡିଂ ପାଇଁ କୌଣସି ଢିଲା ବା କୋହଳ ମନୋଭାବ ପୋଷଣ କରିବାକୁ ଚାହୁଁନାହାନ୍ତି । ଗତ କିଛି ଦିନ ହେବ ସୋସିଆଲ ମିଡିଆ ଫେସବୁକ୍ ଏବଂ ଟ୍ୱିଟର୍ରେ ନବୀନ ଯେପରି ଛାଇ ରହୁଛନ୍ତି ଏଥିରୁ ବୁଝା ପଡୁଛି ନବୀନ ନିଜ ସରକାରର ପ୍ରତିଛବି ବଜାୟ ରଖିବା କେତେ ତତ୍ପର । କେବଳ ସେତିକି ନୁହେଁ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ସୋସିଆଲ ମିଡିଆରେ ସବୁବେଳେ ସଜାଗ ରହିବାକୁ ନବୀନ ବାଧ୍ୟ କରାଇଛନ୍ତି । ପିସି ବା ପର୍ସେଣ୍ଟେଜ୍ କାରବାର ବନ୍ଦ କରିବାକୁ ଗଣମାଧ୍ୟମ ଆଗରେ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେବା ନବୀନଙ୍କର ଇମେଜ ବିଲ୍ଡିଂର ଏକ ଅଂଶ ବୋଲି ଏବେ ବୁଝା ପଡୁଛି ।
                 ଯଦିଓ ଆଗାମୀ ୨୦୧୯ ନିର୍ବାଚନକୁ ପାଖାପାଖି ଦେଢ଼ ବର୍ଷ ବାକି ଅଛି । ତେବେ ବିଧାନସଭା ନିର୍ବାଚନରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ପୁଣି ନବୀନଙ୍କୁ ଗାଦିରେ ବସିବା ପାଇଁ ଏହି ଇମେଜ ବିଲ୍ଡିଂ ପ୍ରୟାସ ସେତଟା ସହାୟକ ହେବନାହିଁ ବୋଲି ରାଜନୈତିକ ବିଶାରଦମାନେ ଆକଳନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here