ନବୀନ ସରକାର ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ: ମୋଦି

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକଙ୍କ ସରକାରକୁ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରର ସରକାର ବୋଲି ଆକ୍ଷେପ କରିଛନ୍ତି । ଏଠି ଗରୀବ ଲୋକଙ୍କୁ ଶୋଷଣ କରାଯାଉଛି । ବିନା ଲାଂଚରେ ବା ପିସିରେ ସରକାରରେ କାମ ହୁଏନାହିଁ । ସରକାର ସହ ଯୋଡ଼ି ହୋଇଥିବା ବ୍ୟକ୍ତି ଓ ଦଳୀୟ କର୍ମୀମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ନ ହଟାଇଲାଯାଏ ଓଡ଼ିଶାରେ ବିକାଶ ହୋଇପାରିବ ନାହିଁ ବୋଲି ସେ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେଇଛନ୍ତି ।
ମୋଦି ପ୍ରଥମେ ତାଳଚେରରେ ସାରକାରଖାନାର ପୁନଃରୁଦ୍ଧାର କାର୍ଯ୍ୟର ଶୁଭଦେବା ପରେ ସେଠାରେ ଆୟୋଜିତ ଏକ ଜନସମାବେଶକୁ ଉଦବୋଧନ ଦେଇ ନବୀନ ପଟ୍ଟନାୟକ ସରକାରଙ୍କ ଅପାରଗତା କଥା ଦର୍ଶାଇ ସମାଲୋଚନା କରିଥିଲେ । କିନ୍ତୁ ଝାରସୁଗୁଡ଼ାରେ ବିମାନବନ୍ଦର ଉଦଘାଟନ କରିବା ପରେ ସେଠାରେ ଆୟୋଜିତ ସାଧାରଣ ସଭାରେ ସିଧାସଳକ ନବୀନ ପଟ୍ଟନାୟକଙ୍କ ସରକାର ଦୁର୍ନୀତିଗ୍ରସ୍ତ ବୋଲି ଆରୋପ କରିଥିଲେ । ଓଡ଼ିଶାରେ ଦୁର୍ନୀତି ଏଭଳି ଭାବରେ ବ୍ୟାପୁଛି ଯାହା ପ୍ରଗତିର ଗତିକୁ ରୋକୁଛି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ପୂର୍ବରୁ ଓଡ଼ିଶା ଗସ୍ତରେ ଏକାଧିକବାର ଆସିଛନ୍ତି ଓ ନବୀନ ସରକାରଙ୍କ ବିରୋଧରେ ମତ ବି ରଖିଛନ୍ତି । କିନ୍ତୁ ଏଭଳି କଟୁ ମନ୍ତବ୍ୟ ଦେଇ ନ ଥିଲେ କି ନବୀନ ପଟ୍ଟନାୟକଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଭାବେ ଚିତ୍ରଣ କରି ନ ଥିଲେ । ମୋଦି ସମ୍ପୂର୍ଣ୍ଣ ଭାବରେ ତାଙ୍କର ଏହି ଦୁଇଟି ସାଧାରଣ ସଭାକୁ ଓଡ଼ିଶାରେ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଥିବା କଥା କୁହାଯାଉଛି ।
ଜନସାଧାରଣଙ୍କୁ ଉଦବୋଧନ ଦେଇ ମୋଦ କହିଥିଲେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଦେଶର ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ବିକାଶ ହେବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ରେଳ, ଜାତୀୟ ରାଜପଥ ଓ ଗ୍ରାମୀଣ ରାସ୍ତା ନିର୍ମାଣ କ୍ଷେତ୍ରରେ ମଧ୍ୟ ବିକାଶ ହୋଇଛି । ଏହି ବିକାଶ କାର୍ଯ୍ୟ ପାଇଁ ଲୋକଙ୍କ ସହଯୋଗ ମିଳିଛି । କିନ୍ତୁ ଏହା ସତ୍ୟ ଯେ, ଓଡ଼ିଶାର ରାଜ୍ୟ ସରକାର ଏହି କାର୍ଯ୍ୟରେ ଉଦାସୀନ ରହୁଛନ୍ତି । ଯେତିକି ଚିନ୍ତା ଓଡ଼ିଶା ସରକାର କରିବା କଥା ସେମାନେ କରୁନାହାଁନ୍ତି । ଫଳରେ ମୋତେ ଦିଲ୍ଲୀରୁ ତାଙ୍କୁ ଜଗେଇବାକୁ ପଡୁଛି । ବିଗତ ସରକାର ଯେଉଁଭଳି ଚାଲୁଥିଲା ସେହିଭଳି ଭାବରେ ଓଡ଼ିଶା ସରକାର ରାଜ୍ୟ ଚଳାଇବାକୁ ଚାହୁଁଛନ୍ତି । ଭ୍ରଷ୍ଟାଚାର ଓ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି ଓଡ଼ିଶା ସରକାରଙ୍କର ପରିଚୟ । ଏହା ଓଡ଼ିଶାର ବିକାଶର ପ୍ରତିବନ୍ଧକ ହୋଇଛି । ଓଡ଼ିଶାକୁ ୫ ବର୍ଷରେ ୮୨ ହଜାର କୋଟି ଟଙ୍କା ମିଳିଥିଲା । ଆମ ସରକାର ଆସିଲା ପରେ ଏହି ପରିମାଣ ବଢ଼ି ୨ ଲକ୍ଷ କୋଟି ଟଙ୍କାରେ ପହଂଚିଛି । କିନ୍ତୁ ଓଡ଼ିଶାକୁ ଦିଆଯାଉଥିବା ଏତେ ଅର୍ଥ ବାସ୍ତବରେ କାର୍ଯ୍ୟକାରୀ ହେଉଥିବା ଦେଖାଯାଉନାହିଁ । ଏହା ଚିନ୍ତାଜନକ ବିଷୟ । ତେବେ ଏହି ପଇସା ଯାଉଛି କୁଆଡ଼େ ବୋଲି ସେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଓଡ଼ିଶାର ସ୍ୱାସ୍ଥ୍ୟ ସେବା କଥା ହେଉ, ମାତୃ ମୃତ୍ୟୁ ହେଉ, ଗରିବ ହେଉ, ଶିଶୁ ମୃତ୍ୟୁ ହେଉ, ପୁଅ ତୁଳନାରେ ଝିଅ ସଂଖ୍ୟା ହ୍ରାସ କଥା ହେଉ ଏ ସବୁ ଓଡ଼ିଶାବାସୀଙ୍କୁ ଚିନ୍ତାରେ ପକାଇଛି । ଦେଶରେ ଅନ୍ୟ ରାଜ୍ୟରେ ଏ ସମସ୍ୟା ନାହିଁ ତାହା କୁହାଯାଇପାରିବ ନାହିଁ, କିନ୍ତୁ ଏସବୁ ସମସ୍ୟା ପ୍ରତି ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ କଣ ଏହାସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ମୁଁ ନବୀନ ବାବୁଙ୍କୁ କହିଥିଲି ରାଜ୍ୟର ଶୌଚାଳୟ ନିର୍ମାଣ କାର୍ଯ୍ୟକୁ ବୃଦ୍ଧି କରାଯାଉ । ତାହା ହେଲାନି । ଏଯାଏଁ ବି ଓଡ଼ିଶା ଆୟୁସ୍ମାର ଭାରତରେ ସାମିଲ ହୋଇନାହିଁ । ଏହି ଯୋଜନା ଦେଶସାରା ଲାଗୁ ହେବାକୁ ଯାଉଛି । ଏହି ଯୋଜନାରେ ଓଡ଼ିଶା ସରକାର ଭାଗ ନେଉନାହାଁନ୍ତି । କହୁଛନ୍ତି ଚିନ୍ତା କରୁଛୁ । ଓଡ଼ିଶା ସରକାର କରିଥିବା ନିଜସ୍ୱ ବୁଜି ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁ ନ ନନେଇ ଆକ୍ଷେପ କରି ମୋଦି କହିଥିଲେ ଓଡ଼ିଶା ସରକାର ଯେଉଁ ସ୍ୱାସ୍ଥ୍ୟ ଯୋଜନା କରିଛନ୍ତି ସେଥିରେ ନିର୍ଦ୍ଦିଷ୍ଟ ସୀମା ରହିଛି । ଏହାର ସ୍ଥିତି ଆପଣମାନେ ସମସ୍ତେ ଜାଣନ୍ତି ବୋଲି ସେ ଉଲ୍ଲେଖ କରିଥିଲେ ।
ପଶ୍ଚିମ ଓଡ଼ିଶାରେ ଏହି ସଭାର ଆୟୋଜନ ହୋଇଥିବାରୁ ଏବଂ ସେଠାରେ ଚାଷୀଙ୍କ ସଂଖ୍ୟା ଅଧିକ ଥିବାରୁ ଏହାକୁ ଲକ୍ଷ୍ୟରେ ରଖି ମୋଦି ବାଣ ମାରିଥିଲେ । ଚାଷୀମାନେ କିଭଳି ଓଡ଼ିଶା ସରକାରଙ୍କ ବିରୋଧୀ ହେବେ ତାହାକୁ ଲକ୍ଷ୍ୟ ରଖି ସେ କହିଥିଲେ ସମସ୍ତେ ଜାଣିଛନ୍ତି ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଏହି ସୁବିଧା ଚାଷୀଙ୍କୁ ମିଳିବା କଥା । କିନ୍ତୁ ଓଡ଼ିଶାର ଚାଷୀଙ୍କୁ ଏହି ସୁବିଧା ମିଳୁନାହିଁ । ବାସ୍ତବରେ ଚାଷୀଙ୍କଠାରୁ ଖାଦ୍ୟଶସ୍ୟ କିଣା ନଯାଇ କେବଳ କାଗଜପତ୍ରରେ ଦର୍ଶାଯାଉଛି । ଚାଷୀଙ୍କ ଧାନକୁ ଜାଣିଶୁଣି ଖରାପ ବୋଲି ଦର୍ଶାଇ କିଣିବାକୁ ମନା କରି ଦିଆଯାଉଛି ବୋଲି ସେ କହିଥିଲେ ।
ନବୀନ ସରକାର ଦୁର୍ନୀତି ଗ୍ରସ୍ତ ବୋଲି ବର୍ଣ୍ଣନା କରି ମୋଦି କହିଥିଲେ ଓଡ଼ିଶାରେ କୌଣସି ଯୋଜନା ବିନା ଲାଂଚରେ ଗରିବଙ୍କୁ ମିଳୁନାହିଁ । ବିନା ଲାଞ୍ଚରେ ଓଡ଼ିଶା ସରକାରରେ କାମ ସମ୍ଭବ ହେଉନାହିଁ । ଏଠିକାର ଲୋକେ ଏହାକୁ ପର୍ସେଣ୍ଟ ବା ପିସି କହୁଛନ୍ତି । ଏହି ପିସି ପାଇଁ ପଛକୁ ଚାଲିଯାଉଛନ୍ତି । ବିକାଶର ଲାଭ ନେଇପାରୁନାହାଁନ୍ତି । ବିଗତ ଦିନରେ ଯେତେ ସବୁ ଦୁର୍ନୀତି ହୋଇଛି ଓଡ଼ିଶାରେ ତା ଉପରେ ଆଲୋଚନା ଚାଲିଛି । ଚାରା ଲଗାଇବାଠୁ ଆରମ୍ଭ କରି ପଲିଥିନ ପର୍ଯ୍ୟନ୍ତ, ସରକାର ତହବିଲରୁ ଆରମ୍ଭ କରି ରାସ୍ତା ନିର୍ମାଣ ପର୍ଯ୍ୟନ୍ତ ଦୁର୍ନୀତିର ଆରୋପ ସରକାରରେ ସାମିଲ ଲୋକ ଓ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଆସୁଛି । ଏଭଳି ସ୍ଥିତିରେ ବିକାଶ କିପରି ହେବ । ଏଥିପାଇଁ ଓଡ଼ିଶାରେ ବଡ଼ ପରିବର୍ତ୍ତନ ସମୟ ଆସିଛି । ଏହି ପରିବର୍ତ୍ତନ ଦ୍ୱାରା ହିଁ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇପାରିବ ବୋଲି ସେ କହିଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here