ମୋଦିଙ୍କ ଛବି ବିଗାଡ଼ିବାକୁ ଦିଲ୍ଲୀରେ ଧାରଣା ଦେବେ ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନଘନ ଓଡ଼ିଶା ଗସ୍ତକୁ ବିଜେଡି ଆଉ ହାଲୁକା ଭାବେ ଗ୍ରହଣ କରୁନାହିଁ । ଦଳ ଏହାକୁ ଗୁରୁତର ସହ ନେଇ ସିଧାସଳଖ ରାଜନୈତିକ ଆକ୍ରମଣ ଆରମ୍ଭ କରିଦେଇଛି । ଦିଲ୍ଲୀରେ ବିଜେଡି ଧାରଣା କାର୍ଯ୍ୟକ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗଦେବେ । ଏ ନେଇ ଦଳ ପକ୍ଷରୁ ଆଜି ଘୋଷଣା କରାଯାଇଛି । ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କୁଇଣ୍ଟାଲ ପିଛା ବୃଦ୍ଧି କରିବା ପାଇଁ ଦାବିରେ ଏହି ଧାରଣା ଦିଆଯିବ । ଦିଲ୍ଲୀ ଦରବାରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ଧାରଣାରେ ବସୁଛନ୍ତି । ନବୀନ ଦେଶବାସୀଙ୍କୁ ଏହା ମାଧ୍ୟମରେ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ, ମୋଦି ହେଉଛନ୍ତି ଚାଷୀ ବିରୋଧୀ ଏବଂ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା ପାଳନ କରନ୍ତି ନାହିଁ । ଦଳପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ଦିଆଯିବା ଆଉ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଧାରଣା ଦେବା ଭିତରେ ଅନେକ କିଛି ଗୁରୁତ୍ୱ ବହନ କରୁଛି । ଦିଲ୍ଲୀରେ ଧାରଣାଦେଲେ ସର୍ବଭାରତୀୟସ୍ତରରେ ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ । ନବୀନ ନିଜେ ଯେତେବେଳେ ଧାରଣାରେ ବସିଛନ୍ତି ସବୁ ଗଣମାଧ୍ୟମ ଏହାକୁ ଫୋକସ କରିବ । ଦଳୀୟ ନେତାମାନେ ଧାରଣା ଦେଇଥିଲେ ବିଜେଡିକୁ ଯେତିକି ପ୍ରଚାର ଓ ପ୍ରସାରର ସୁଯୋଗ ମିଳି ନ ଥାନ୍ତା କି ମୋଦିଙ୍କ ଛବି ଖରାପ କରିବାରେ ସମର୍ଥ ହୋଇ ନ ଥାନ୍ତେ ତାହାଠାରୁ କେତେଗୁଣ ଅଧିକ ହେବ ନବୀନଙ୍କ ଧାରଣା । ମୋଦି ବାରମ୍ବାର ଓଡ଼ିଶା ଆସି ନବୀନଙ୍କ ଛବି ଖରାପ କରିବା ପାଇଁ ଉଦ୍ୟମ କରୁଥିବାରୁ ଏହାର ଜବାବରେ ନବୀନ ଏଭଳି ଏକ ପଦକ୍ଷେପ ନେବାକୁ ଯାଉଥିବା କୁହାଯାଉଛି ।
ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଖବର ପ୍ରସାର କରାଯାଇଛି । ବିଜେଡିର ବରିଷ୍ଠ ସାଂସଦମାନେ ସାମ୍ବାଦିକ ସମ୍ମିଳନୀ ଡାକି ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ବିଜୁ କୃଷକ ଜନତାଦଳର ସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏମାନେ ଅଭିଯୋଗ କରିଛନ୍ତି ଯେ, ବିଜେପିର ନିର୍ବାଚନ ଇସ୍ତାହାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଖର୍ଚ୍ଚର ଦେଢ଼ଗୁଣ ହିସାବରେ ଓଡ଼ିଶାରେ ଧାନଚାଷୀମାନେ ଯେତିକି ବ୍ୟୟ କରୁଛନ୍ତି ସେହି ଦୃଷ୍ଟିରୁ କୁଇଣ୍ଟାଲ ପିଚା ୨୯୩୦ ଟଙ୍କା କରିବା ପାଇଁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହିତ କରାଯାଇଥିଲା । ଏଥିରେ ବିଜେପି ଓ କଂଗ୍ରେସ ମଧ୍ୟ ସାମିଲ ଥିଲେ । ବିଧାନସଭାର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ସ୍ମାରକପତ୍ର ଦେବା ପାଇଁ ଚାହିଁଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ୫ ମିନିଟ ବି ସମୟ ବିଧାନସଭା କମିଟିକୁ ଦେଲେନାହିଁ । ଏଥିରୁ ଜଣାପଡୁଛି ପ୍ରଧାନମନ୍ତ୍ରୀଙ୍କର ଚାଷୀମାନଙ୍କ ପ୍ରତି ଓ ବିଧାନସଭା ପ୍ରତି କେତେ ସମ୍ମାନ ରହିଛି । ଓଡ଼ିଶା ଏକ ଧାନ ଉତ୍ପାଦନକାରୀ ରାଜ୍ୟ । ଏହାର ଲୋକମାନେ ମୁଖ୍ୟତଃ ଧାନଚାଷ ଉପରେ ନିର୍ଭରକରି ଚଳନ୍ତି । ହେଲେ କେନ୍ଦ୍ର ସରକାର ଏଥିପ୍ରତି ଗୁରୁତ୍ୱ ଦେଉନାହାଁନ୍ତି । ପ୍ରଧାନମନ୍ତ୍ରୀ ନିଜେ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପାଳନ କରୁନାହାଁନ୍ତି ବୋଲି ଉଭୟ ସାଂସଦ ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ମହତାବ ଅଭିଯୋଗ କରିଛନ୍ତି । ଏଣୁ ଏହାର ପ୍ରତିବାଦରେ ଆସନ୍ତା ୮ ତାରିଖରେ ଏଠାରେ ଯେଉଁ ଚାଷୀମାନଙ୍କର ଧାରଣା ଦିଆଯବି ସେଥିରେ ବିଜେଡିର ସବୁ ସାଂସଦ, ମନ୍ତ୍ରୀ ଓ ବିଧାୟକ ଯୋଗଦେବେ । ଏପରି କି କେନ୍ଦ୍ରର ଏହି ଅବିଚାର ବିରୋଧରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଧାରଣାରେ ବସିବେ । ଦିନମାନ ଧରି ଏହି ଧାରଣା ଚାଲିବ । ପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ସେମାନେ କହିଛନ୍ତି ।
ବିଜେଡି ଯେତେବେଳେ କାର୍ଯ୍ୟକ୍ରମ ଘୋଷଣା କରିଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେବେ ବୋଲି ସୂଚନା ଦିଆଯାଇ ନ ଥିଲା । ଯଦିଓ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିଜେଡି ଏକାଧିକବାର ଗଣମାଧ୍ୟମକୁ ବିସ୍ତୃତ ଭାବରେ ସୂଚନା ଦେଇଛି । ହଠାତ ଆଜି ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ବିଷୟ ଘୋଷଣା କରିବା ପଛରେ ସବୁକିଛି ସ୍ପଷ୍ଟ ହେଇଯାଉଛି ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡ଼ିଶା ଗସ୍ତରେ ଆସି ସିଧା ନବୀନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଇତିମଧ୍ୟରେ ତ୍ତ୍ୱ୩/୪ ମାସ ଭିତରେ ମୋଦି ୩ ଥର ଓଡ଼ିଶା ଗସ୍ତରେ ଆସିସାରିଲେଣି । ଚଳିତ ମାସରେ ପୁଣି ଦୁଇଥର ଆସିବେ । ୫ ତାରିଖରେ ଓ ୧୬ ତାରିଖରେ ସେ ଆସୁଛନ୍ତି । ସେଥିପାଇଁ ମୋଦିଙ୍କୁ ଜବାବ ଦେବାକୁ ନବୀନ ନିଜେ ଧାରଣାରେ ବସି ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି ।

ବିରୋଧୀଙ୍କ ଶରବ୍ୟରେ ନବୀନ