ଓଡ଼ିଶାରେ ନବୀନ ଏକା ଲଢ଼ିବେ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଜାତୀୟ ରାଜନୀତିରେ ଏବେ ମହାମେଣ୍ଟ ନେଇ ଜୋରଦାର ଉଦ୍ୟମ ଚାଲିଛି । ବିଜେପି ବିରୋଧୀ ମେଣ୍ଟ ପାଇଁ ଏହି ଉଦ୍ୟମ ଆରମ୍ଭ ହୋଇଛି । ଏହାକୁ ସାକାର କରିବା ପାଇଁ ବହୁ ନେତା ଲାଗିଛନ୍ତି । ବିଶେଷ କରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହାର ନେତୃତ୍ୱ ନେଇଛନ୍ତି । ବିଜେପି ବିରୋଧୀମାନେ ଖୁବଶୀଘ୍ର ଦିଲ୍ଲୀରେ ଏକ ର‌୍ୟାଲିରେ ଏକାଠି ହେବାକୁ ଯାଉଛନ୍ତି । ଏକ୍ଷେତ୍ରରେ ବିଜେପି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଥିବା ବିଜେଡିର କାର୍ଯ୍ୟଧାରା ନେଇ ସମସ୍ତଙ୍କ ନଜର ରହିଛି । ବିଜେପି ବିରୋଧୀ ମେଣ୍ଟରେ ବିଜେଡି ରହିବକି ନାହିଁ ସେ ନେଇ ପ୍ରଶ୍ନ ଉଠିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ମନା କରିଦେଇଛନ୍ତି । ସେ ସେହି ସମଦୂରତା କଥା ଉଠାଇଛନ୍ତି । ବିଜେଡି ଏବେ ବି ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ରଖି କାର୍ଯ୍ୟ କରିବ ବୋଲି ନବୀନ କହିଛନ୍ତି । ମଙ୍ଗଳବାର ଦିଲ୍ଲୀରେ ଗଣମାଧ୍ୟମରେ ଏହି ମତ ରଖିଥିଲାବେଳେ ବୁଧବାର ଓଡ଼ିଶାରେ ମଧ୍ୟ ସେହି ସମାନ କଥା କହିଛନ୍ତି ।
ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ଖରାପ କରିବା ତଥା ମୋଦି ଚାଷୀ ବିରୋଧୀ ବୋଲି ଏକ ବାର୍ତ୍ତା ଦେବା ପାଇଁ ନବୀନ ନିଜେ ଯାଇ ଦିଲ୍ଲୀ ଦରବାରରେ କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣା ଦେଇଥିଲେ । ନବୀନଙ୍କ ଏହି ବିଜେପି ବିରୋଧୀ ଖୋଲା ଆଭିମୁଖ୍ୟ ଦେଖିବା ପରେ ସେଠାରେ ରାଜନୈତିକ ମହଲରେ ବିଭିନ୍ନ ଆଲୋଚନା ଦେଖାଦେଲା । ଏଣୁ ବିଜେପି ବିରୋଧୀ ମେଣ୍ଟର ପ୍ରବକ୍ତାମାନେ ଆଶା କଲେ ଯେ, ନବୀନ ଖୋଲାଖୋଲି ଭାବେ ଆନ୍ଦୋଳନ କରିବାକୁ ଆସିଥିବାରୁ ସେମାନଙ୍କ ସହ ରହିପାରନ୍ତି । ସେମାନେ ବି ବିଜେପି ବିରୋଧୀ ମେଣ୍ଟ ତିଆରି କରୁଛନ୍ତି । ମୋଦିଙ୍କ କାର୍ଯ୍ୟଧାରାକୁ ଅଟକାଇବା ପାଇଁ ସେମାନଙ୍କ ସହ ନବୀନ ସାମିଲ ହେବେ ବୋଲି ଭାବିଥିଲେ । ଦିଲ୍ଲୀରେ ତାଙ୍କୁ ଯେତେବେଳେ ଗଣମାଧ୍ୟମ ପକ୍ଷରୁ ଏନେଇ ପ୍ରଶ୍ନ କରାଯାଇଥିଲା ସେ ତାଙ୍କର ପୁରୁଣା କଥାକୁ ଦୋହରାଇ ମେଣ୍ଟ ପ୍ରବକ୍ତାଙ୍କୁ ନିରାଶ କରିଥିଲେ । କାରଣ ସେମାନଙ୍କ ମେଣ୍ଟରେ କଂଗ୍ରେସ ରହୁଛି । ଏଣୁ ନବୀନ ଆରମ୍ଭରୁ ସମଦୂରତା କଥା କହି ଆସୁଥିବାରୁ ମେଣ୍ଟରେ ରହିଲେ କଂଗ୍ରେସ ସହ ରହିବାକୁ ହେବ । ଫଳରେ ତାଙ୍କର ସମଦୂରତା ଆଭିମୁଖ୍ୟ ନଷ୍ଟ ହେବ । ସେଥିପାଇଁ ଏବେ ବି ସମଦୂରତା ଆଭିମୁଖ୍ୟ ବଜାୟ ରହିଛି ବୋଲି ନବୀନ କହିଛନ୍ତି ।
ବୋଧହୁଏ ନବୀନ ରାଜ୍ୟ ଭିତରେ ବିଜେପି ବିରୋଧରେ ଲଢ଼ିବାକୁ ଚାହୁଁଛନ୍ତି । ରାଜ୍ୟ ବାହାରେ ବିଜେପି କ’ଣ କଲା ନକଲା ସେଥିପ୍ରତି ତାଙ୍କର କିଛି ଚିନ୍ତା କରିବାର ନାହିଁ । କେନ୍ଦ୍ରରେ ବିଜେପି ରହିଲେ ବି ତାଙ୍କୁ ରାଜନୀତି କରିବାକୁ ଅଧିକ ସୁଯୋଗ ମିଳିବ । ସେ ବିଜେପି ଆସୁ କି ଆଉ ଯିଏ କେନ୍ଦ୍ରରେ କ୍ଷମତାକୁ ଆସୁ ସେଥିରେ ନବୀନଙ୍କର କିଛି ଯାଏ ଆସ ନାହିଁ । ତାଙ୍କର ଦରକାର ଓଡ଼ିଶା ମାଟିରେ ବିଜେଡିକୁ ଛାଡି ଆଉ କାହାରିକୁ ସେ ପୂରାଇ ଦେବାକୁ ଚାହୁଁ ନାହାନ୍ତି । କେନ୍ଦ୍ରରେ ଯିଏ କ୍ଷମତାକୁ ଆସିବ ସେ ଓଡ଼ିଶା କଥା ନବୁଝିଲେ ତାଙ୍କ ବିରୋଧରେ ଆନ୍ଦୋଳନ କରିବାକ୍ୁ ସୁଯୋଗ ମିଳିବ । କେନ୍ଦ୍ର ଓଡ଼ିଶା କଥା ବୁଝୁନାହିଁ କହି ରାଜନୀତି ମଧ୍ୟ କରିହେବ । ଏକ୍ଷେତ୍ରରେ ନିଜକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀରେ ସାମିଲ କରି ଚିହ୍ନା ପକାଇବାକୁ ନବୀନ ଚାହୁଁ ନାହାନ୍ତି । ଏକୁଟିଆ ଥିଲେ ଆବଶ୍ୟକ ପଡ଼ିଲେ ରାଜ୍ୟର ସ୍ୱାର୍ଥ ପାଇଁ କେନ୍ଦ୍ରକୁ ଯିଏ କ୍ଷମତାକୁ ଆସିବ ତାହା ସହ ମୂଲଚାଲ କରିପାରିବେ । ସେଥିପାଇଁ ସେ ସମଦୂରତା କଥାକୁ ବଜାୟ ରଖିବାକୁ ଚାହୁଁଥିବା କୁହାଯାଉଛି । ଆଉ ଯଦି ଥରେ କୌଣସି ଗୋଷ୍ଠୀରେ ନିଜକୁ ସାମିଲ କରି ଦିଅନ୍ତି ତେବେ ଭବିଷ୍ୟତରେ ତାଙ୍କ ପାଇଁ ସମସ୍ୟା ଆଣିପାରେ ।
ରାଜ୍ୟ ଭିତରେ ବିଜେପି ବିରୋଧରେ ଲଢ଼ିବା ପାଇଁ ନବୀନଙ୍କୁ ଆଉ କାହାରି ସହଯୋଗ ଆବଶ୍ୟକ ନାହିଁ । କାରଣ ମହାମେଣ୍ଟରେ ଯେଉଁମାନେ ରହୁଛନ୍ତି ସେମାନଙ୍କର ଓଡ଼ିଶାରେ ସେଭଳି କିଛି ପ୍ରଭାବ ନାହିଁ । କେବଳ କଂଗ୍ରେସ ହିଁ ରହିଛି । ଯାହାର ଓଡ଼ିଶାରେ ପ୍ରଭାବ ଅଛି । ଏଣୁ କଂଗ୍ରେସ ସହ ଓଡ଼ିଶାରେ ମେଣ୍ଟ କରିବା ଅର୍ଥ ବିଜେଡି ପାଇଁ ଘାଟା ହେବ । କଂଗ୍ରେସକୁ କୌଣସି ପରିସ୍ଥ୍ିତିରେ ଆସନ ଛାଡ଼ି ପାରିବ ନାହିଁ କି ବୁଝାମଣା କରିପାରିବ ନାହିଁ । ସେଥିପାଇଁ ନବୀନ ଜାଣିଶୁଣି ନିଜକୁ ଦୂରେଇ ରଖିବାକୁ ଚାହିଁଥିବା କଥା ଆଲୋଚନା ହେଉଛି ।

2 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here