ନବୀନ ଓ ମୋଦିଙ୍କ ପରସ୍ପରକୁ ଆକ୍ଷେପ ଲୋକଦେଖାଣିଆ: ନିରଞ୍ଜନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର  : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ଓଡ଼ିଶା ଗସ୍ତ ଅବସରରେ ଝାରସୁଗୁଡା ବିମାନ ବନ୍ଦର ଉଦ୍ଘାଟନ ସହିତ ତାଳଚେର ସାର କାରଖାନା ପୁନରୁଦ୍ଧାର ନିମନ୍ତେ ଶୁଭଦେଲେ । ଗୋଟିଏ ମଂଚରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଉଦ୍ବୋଧନ ଦେଲେ । ଟଙ୍କିକିଆ ଚାଉଳ, ଆୟୁଷ୍ମାନ ଯୋଜନା, ସ୍ୱଚ୍ଛତା କାର୍ଯ୍ୟକ୍ରମ, ଦୁର୍ନୀତି, ପିସି କାରବାର ଆଦିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କଲେ । ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶକରି ବିଜେଡି ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେଇଥିବା ପ୍ରକାଶ କରିଥିଲେ । ଦହିଁଙ୍କ ମଧ୍ୟରେ ବାହାରକୁ ଏହା ଆକ୍ଷେପ ପ୍ରତିଆକ୍ଷେପ ଲାଗୁଥିଲେ ମଧ୍ୟ ସେମାନେ ଚତୁରେ ଚତୁରେ କୋଳାକୋଳି ହୋଇଛନ୍ତି । ରାଜ୍ୟକୁ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ପୁରସ୍କାର ଦେଇଚାଲିଥିବାବେଳେ ରାଜ୍ୟର ନବୀନ ସରକାର ମଧ୍ୟ ମୋଦିଙ୍କୁ ବିମୁଦ୍ରାୟନଠାରୁ ୍ରଆରମ୍ଭ କରି ଜିଏସ୍ଟି, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଆଦି ସମସ୍ତ କ୍ଷେତ୍ରରେ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି । ତୈଳଦର ବୃଦ୍ଧିରେ ସାଧାରଣ ଲୋକ ତ୍ରାହିତ୍ରାହି ଡାକୁଥିବାବେଳେ ବିଜେଡି କେବଳ ଲୋକଦେଖାଣିଆ ଭାବେ ପେଟ୍ରୋଲ ପମ୍ପ ସମ୍ମୁଖରେ ହାଲ୍କା ପ୍ରତିବାଦ ଜଣାଇ ନୀରବ ରହିଲା । ଏହା ରାଜ୍ୟରେ ଭାଟ୍ ହ୍ରାସ ଦିଗରେ କୋ÷ଣସି ପଦକ୍ଷେପ ନେଉନାହିଁ କିମ୍ବା ଇନ୍ଧନକୁ ଜିଏସଟି ପରିସରଭୁକ୍ତ କରିବାକୁ କେନ୍ଦ୍ର ଉପରେ ଚାପ ପକାଉନାହିଁ । ଏପରିକଲେ ସିବିଆଇ ଚଢଉର ଭୟ ରହିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ଏକ ବିବୃତିରେ ସେ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଗୋଟିଏ ହେଲେ ନ୍ୟାଯ୍ୟ ଦାବି ଯଥାଯଥ ଭାବେ ଉପସ୍ଥାପନ କରୁନାହାନ୍ତି । ବିଭିନ୍ନ ଦୁର୍ନୀତିରେ ବୁଡି ରହିଥିବା ରାଜ୍ୟ ସରକାର ଗାଦି ସମ୍ଭାଳିବା ପାଇଁ କେନ୍ଦ୍ରର ବିଜେପି ସରକାରକୁ ଆଖିବୁଜି ସମର୍ଥନ କରୁଛନ୍ତି । ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀଙ୍କ ନିମନ୍ତେ କର୍ମନିଯୁକ୍ତି ଯୋଗାଇବାରେ ବିଫଳ ହୋଇଥିବା ନବୀନ ସରକାର ବିଜୁ ଯୁବ ବାହିନୀ ନାମରେ ସଂଗଠନ ଗଢି ସେଥିରେ ଯୁବକମାନଙ୍କୁ ସାମିଲ କରିବାରେ ଲାଗିଛନ୍ତି । ଏହାଦ୍ୱାରା ସେମାନଙ୍କର ଭବିଷ୍ୟତ କ’ଣ ହେବ ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି । ଏଥିସହିତ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରତି ବର୍ଷ ୨୦ ଲକ୍ଷ ନିଯୁକ୍ତି ଯୋଗାଇଦେବାକୁ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ । ତାହା କୁଆଡେ ଗଲା ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ନାନା ଆକର୍ଷଣୀୟ ଯୋଜନା ଘୋଷଣା କରି ଏବଂ ପରସ୍ପରକୁ ଆକ୍ଷେପକରି ସାଧାରଣ ଲୋକଙ୍କୁ ଯେଉଁଭଳି ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି, ତାହା ଆଉ ଲୁଚି ରହିନାହିଁ । ରାଜ୍ୟବାସୀ ତାହାର ଉପଯୁକ୍ତ ଜବାବ ଦେବେ ବୋଲି ନିରଞ୍ଜନ କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here