ସାକ୍ଷାତ ବେଳେ ତଥାଗତଙ୍କୁ ନବୀନ ଦଳରେ ରହିବାକୁ କହିଲେ ନାହିଁ

ଭୁବନେଶ୍ୱର: ସାଂସଦ ତଥାଗତ ଶତପଥୀ ବିଜେଡି ଛାଡ଼ିବା ନେଇ ଦଳର ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦୌ ବ୍ୟସ୍ତ କି ବିବ୍ରତ ନୁହଁନ୍ତି । ତଥାଗତ ଛାଡ଼ନ୍ତୁ କି ନଚେତ ଦଳ ତାଙ୍କୁ ଛାଡ଼ିବାକୁ ଯାଉଥିଲା ଏ କଥା କ୍ରମେ ସ୍ପଷ୍ଟ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ତଥାଗତ ଏକ ଜାତୀୟସ୍ତରର ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ରଖିଥିବା ମତରୁ ଏହା ସୂଚାଉଛି ।
ନିକଟରେ ବିଜେଡି ଛାଡ଼ିବା ନେଇ ଘୋଷଣା କରିଥିବା ତଥାଗତ ଶତପଥୀଙ୍କ ଏକ ସାକ୍ଷାତକାର ଇଂରାଜୀ ଖବରକାଗଜରେ ପ୍ରକାଶ ପାଇଛି । ଏଥିରେ ସେ ଯାହା ମତ ରଖିଛନ୍ତି ସେଥିରେ ସେ ସ୍ୱୀକାର କରିଛନ୍ତି ଇତିମଧ୍ୟରେ ସେ ନବୀନଙ୍କୁ ସାକ୍ଷାତ କରି ଧନ୍ୟବାଦ ଜଣାଇଛନ୍ତି । କିନ୍ତୁ ତଥାଗତ ତାଙ୍କୁ ସାକ୍ଷାତ କରିବା ପରେ ନବୀନ ତାଙ୍କୁ ଦଳ ନ ଛାଡ଼ିବା ପାଇଁ ଅନୁରୋଧ କରି ନାହାଁନ୍ତି କି କିଛି ମତ ଦେଇନାହାଁନ୍ତି । ନବୀନ ଦଳକୁ ଫେରି ଆସିବା ଲାଗି ତଥାଗତଙ୍କୁ କହିଲେ ନାହିଁ । ଏଥିରୁ ସ୍ପଷ୍ଟ ହେଲା ଯେ, ତଥାଗତଙ୍କୁ ନବୀନ ବାଏ ବାଏ କରିଦେଇଛନ୍ତି । ତଥାଗତଙ୍କ ଏହି ପଦକ୍ଷେପକୁ ନବୀନ ସ୍ୱାଗତ କରିଥିବା ଓ ସାଦରେ ଗ୍ରହଣ କରିଥିବା ତାଙ୍କ କଥାରୁ ସ୍ପଷ୍ଟ ହେଉଛି । କୁହାଯାଉଛି ତଥାଗତ ତାଙ୍କ ସାକ୍ଷାତକାରରେ ଯାହା ଉଲ୍ଲେଖ କରିଛନ୍ତି ସେଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ନବୀନ ତାଙ୍କୁ ଏଥର ଆସନ୍ତା ନିର୍ବାଚନରେ ଦଳ ଟିକେଟ ଦେଇ ନଥାନ୍ତେ । ଏକଥାକୁ ତଥାଗତ ସ୍ୱୀକାର କରୁନାହାଁନ୍ତି । କିନ୍ତୁ ଏହା ବୁଝା ପଡ଼ିଯାଉଛି । ବାସ୍ତବିକ ନବୀନ ଯଦି ତଥାଗତଙ୍କୁ ଆସନ୍ତା ନିର୍ବାଚନରେ ଦଳ ପୁଣି ଥରେ ପ୍ରାର୍ଥୀ କରିବାକୁ ଚାହୁଁଥାନ୍ତେ ଏବଂ ତଥାଗତଙ୍କ ଭଳି ଜଣେ ନେତାଙ୍କୁ ଦଳରୁ ହରାଇବାକୁ ଚାହୁଁ ନ ଥାନ୍ତେ ତେବେ ନିଶ୍ଚିତ ଦଳ ଛାଡ଼ିବା କଥା ଶୁଣି ସଭାପତି ଭାବେ ସେ ତାଙ୍କୁ ରହିବା ପାଇଁ ଅନୁରୋଧ କରିଥାନ୍ତେ ବୋଲି କୁହାଯାଉଛି । ଦଳର ନେତା କେବେ ଚାହିଁବେ ନି ଜଣେ ଟାଣୁଆ ନେତା ବା ବିଜୟ ସମ୍ଭାବନା ଥିବା ନେତା ନିର୍ବାଚନ ସମୟରେ ଦଳ ଛାଡ଼ି ଚାଲିଯାଆନ୍ତୁ । ଏପରି କି ତଥାଗତଙ୍କ ହାତରେ ଏକ ଶକ୍ତିଶାଳୀ ଗଣମାଧ୍ୟମ ମଧ୍ୟ ରହିଛି । ଏହା ସତ୍ତେ୍ୱ ନବୀନ ତଥାଗତଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବା ପଛରେ ନିଶ୍ଚୟ କିଛି କାରଣ ରହିଛି । ତଥାଗତଙ୍କ ଗଣମାଧ୍ୟମ ପ୍ରତି ନବୀନ ଗୁରୁତ୍ୱ ଦେଉନାହାଁନ୍ତି । କିମ୍ବା ତଥାଗତଙ୍କ ପାଇଁ ବ୍ୟସ୍ତ କି ବିବ୍ରତ ମଧ୍ୟ ନୁହଁନ୍ତି । କାରଣ ବର୍ତ୍ତମାନ ସମୟରେ ତଥାଗତଙ୍କ ପଦକ୍ଷେପ ନେଇ ନିଶ୍ଚୟ ସଭାପତି ଭାବେ ନବୀନ ଚିନ୍ତା କରିଥାନ୍ତେ । କିନ୍ତୁ ତାହା ନ କରିବା ଦ୍ୱାରା ସବୁ କିଛି ବୁଝା ପଡ଼ିଯାଉଛି ।
ଆସନ୍ତା ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ନାହିଁ ଏ ଆଭାସ ତଥାଗତ ପାଇସାରିଥିଲେ । ଏଭଳି ଅପମାନଜନକ ପରିସ୍ଥିତିରେ ପଡ଼ିବା ପୂର୍ବରୁ ଆଗୁଆ ସେ ବାଟ କାଟିଛନ୍ତି । ସେ ଦଳରେ ଆଉ ରହିବେ ନାହିଁ କି ପ୍ରାର୍ଥୀ ହେବେ ନାହିଁ ବୋଲି ଯେଉଁ ସବୁ କାରଣ ଦର୍ଶାଉଛନ୍ତି ତାହାକୁ ବିଶ୍ୱାସ କରିବା ବା ଗ୍ରହଣ କରିବା କଷ୍ଟକର ବୋଲି କୁହାଯାଉଛି । ନିର୍ବାଚନ କିଛି ଦିନ ପୂର୍ବରୁ ତାଙ୍କର ପୁଅର ଚାପ ଓ ନିର୍ଭିକ ସାମ୍ବାଦିକତା କଥା ମନେ ପଡ଼ିଲା ଏହା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି ।
ଏଥିସହ ତଥାଗତ ତାଙ୍କ ସାକ୍ଷାତକାରରେ ଉଭୟ ନବୀନ ଓ ମୋଦିଙ୍କୁ ନିର୍ବାଚନ ରାଜନୀତି ଛାଡ଼ିଦେବା ପାଇଁ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଥର ମୁଖ୍ୟମନ୍ତ୍ରୀ ଓ ଥରେ ପ୍ରଧାନମନ୍ତ୍ରୀ ହୋଇ ସାରିଲେଣି ତେଣୁ ଆଉ ନିର୍ବାଚନ ଲଢ଼ିବା ଉଚିତ ନୁହେଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୪ ଥର ମୁଖ୍ୟମନ୍ତ୍ରୀ ହୋଇସାରିଲେଣି ସେ ମଧ୍ୟ ଦୂରେଇ ରହିବା ଉଚିତ । ୬୦ ବର୍ଷ ପରେ ରାଜନୀତିରୁ ସନ୍ୟାସ ନେବା ପାଇଁ ସେ ମତ ରଖିଛନ୍ତି । କୁହାଯାଉଛି ମୋଦିଙ୍କ ନାଁ ନେଇ ତଥାଗତ ନବୀନଙ୍କୁ ବାଣ ମାରିଛନ୍ତି । ନବୀନଙ୍କ ଅସୁସ୍ଥତା କଥାକୁ ପରୋକ୍ଷରେ ସେ ସୂଚାଇ ଦେଉଛନ୍ତି । ବୟସ ବଢ଼ିଲା ପରେ ରାଜନୀତି ପାଇଁ ଆଉ ଫିଟ ନୁହଁନ୍ତି ବୋଲି ସେ ଜଣାଇବାକୁ ଚାହିଁଛନ୍ତି । ତଥାଗତଙ୍କ ଏହି ମତ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ତଥାଗତଙ୍କ ହଠାତ ରାଜନୀତିରୁ ସନ୍ନ୍ୟାସ, କଣ ହୋଇପାରେ କାରଣ ଯାହା ସେ କହୁଛନ୍ତି ନା ଅନ୍ୟ କିଛି…