ପ୍ରଶାନ୍ତ ଓ ସୌମ୍ୟଙ୍କୁ ନବୀନଙ୍କ ପୁରସ୍କାର

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: ବିଜେଡିରୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବିଦା କରିବା ପରେ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଙ୍ଗଠନରେ କେତେକ ପରିବତ୍ତର୍ନ କରିଛନ୍ତି । ଏଥିରେ ବିଶେଷ କରି ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପୁରସ୍କୃତ କରାଯାଇଛି । ଏରସମାରୁ ଲୋକ ଆଣି ପ୍ରଥମେ ପ୍ରଶାନ୍ତ ନବୀନ ନିବାସରେ ପହଂଚି ଦାମଙ୍କୁ ବାହାର କରିବା ପାଇଁ ଦାବି କରିଥିଲେ । ଏବେ ମୁଖିଆ ତାଙ୍କୁ ପୁରସ୍କାର ସ୍ୱରୂପ ଜଗତସିଂହପୁର ଜିଲ୍ଲାର କାର୍ଯ୍ୟକାରୀ ସଭାପତି କରିଛନ୍ତି । ପ୍ରଶାନ୍ତ ପୂର୍ବରୁ ଜିଲ୍ଲାଯୋଜନା ବୋର୍ଡ ସଭାପତି ଅଛନ୍ତି । ବିଜେଡିର ଜଗତସିଂହପୁର ଜିଲ୍ଲା ସଭାପତି ଭାବେ ବିଷ୍ଣୁ ଦାସ ଥିଲା ବେଳେ ପ୍ରଶାନ୍ତଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି । ଏଥିସହ ଡାକ୍ତର ରାଉତଙ୍କୁ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରି ଗଣମାଧ୍ୟମରେ ବକ୍ତବ୍ୟ ରଖିବାରୁ ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବି ନବୀନ ପୁରସ୍କୃତ କରିଛନ୍ତି । ତାଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛନ୍ତି । କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ସୌମ୍ୟରଂଜନ ରହିବେ । ମନ୍ତ୍ରୀ ନୃସିଂହ ସାହୁଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଢ଼େଙ୍କାନାଳ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ବିଜୟ କୁମାର ନାୟକଙ୍କୁ ଢ଼େଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ସହ ଜଗତସିଂହପୁର ଜିଲ୍ଲା ସହପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଦଳର ଭୁବନେଶ୍ୱର ୍ସାଙ୍ଗଠନିକ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ଏ ସଂପର୍କରେ ଆଜି ଦଳର ସଭାପତି ନିଯୁକ୍ତ ଦେଇଥିବା ନେଇ ପ୍ରେସ୍ ଇସ୍ତାହାରରେ ଦର୍ଶାଯାଇଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here