ଜାତୀୟ ଫିଲ୍ମ ପୁରସ୍କାରରେ ବିଜେତା ତଥା ଫିଲ୍ମ ନିର୍ମାତା ଦିଲୀପ ପଟ୍ଟନାୟକଙ୍କ ପରଲୋକ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଶନିବାର ବିଳମ୍ବିତ ରାତିରେ ଜାତୀୟ ଫିଲ୍ମ ପୁରସ୍କାରରେ ବିଜେତା ତଥା ଫିଲ୍ମ ନିର୍ମାତା ଦିଲୀପ ପଟ୍ଟନାୟକଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ଶ୍ରୀ ପଟ୍ଟନାୟକ ପ୍ରାୟ ଦୁଇମାସ ଧରି ଅସୁସ୍ଥ ଥିଲେ | ସୁଚନାନୁଯାୟୀ, ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଶ୍ରୀ ପଟ୍ଟନାୟକ ଦୀର୍ଘ ଦିନ ଧରି ଫିଲ୍ମ ନିର୍ମାଣ ଓ ସିନେକ୍ସଟାସୀ ଫିଲ୍ମ ସୋସାଇଟି ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ । ପରବର୍ତ୍ତୀ ସମୟରେ ସେ ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶନା ବିଭାଗରୁ ସ୍ନାତକ ଡିଗ୍ରୀ ଲାଭ କରିଥିଲେ । ୨୦୧୧ ମସିହାରେ ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ସଙ୍ଗୀତ ସାଧନା ଉପରେ ସେ ନିର୍ମାଣ କରିଥିବା ବୃତ୍ତଚିତ୍ର ‘ନୀଳମାଧବ’ଶ୍ରେଷ୍ଠ ବୃତ୍ତଚିତ୍ର ଭାବେ ବିବେଚିତ ହୋଇ ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଥିଲା । ଶ୍ରୀ ପଟ୍ଟନାୟକ ୨୦୧୬ ମସିହା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆର ଇଣ୍ଡିଆନ ପ୍ୟାନୋରାମା ବିଭାଗ ପାଇଁ ଫିଲ୍ମ ଚୟନ ଜୁରୀର ସଦସ୍ୟ ମଧ୍ୟ ଥିଲେ । ଶ୍ରୀ ପଟ୍ଟନାୟକ ଦିବଙ୍ଗତ ଫିଲ୍ମ ନିର୍ମାତା ନୀରଦ ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଥିଲେ । ତେବେ ଶ୍ରୀ ପଟ୍ଟନାୟକଙ୍କ ବିଯୋଗରେ ଫିଲ୍ମ ଜଗତ ଓ ତାଙ୍କ ଶୁଭେଚ୍ଛୁ ମହଲରେ ଗଭୀର ଶୋକ ପ୍ରକାଶ ପାଇଥିବାର ସୂଚନା ମିଳିଛି ।

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here