ପ୍ରାକୃତି ବିପର୍ଯ୍ୟୟ କମିଟି ବୈଠରେ ନରସିଂହଙ୍କ ଅସନ୍ତୋଷ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଯୋଗ ଦେବା ଅବସରରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଦେଉଥିବା ପ୍ରସ୍ତାବକୁ ସରକାର ଅଣଦେଖା କରୁଥିବା ନେଇ ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଶ୍ରୀ ମିଶ୍ର ଗଣମାଧ୍ୟମକୁ ତାଙ୍କ ଅସନ୍ତୋଷ ସମ୍ପର୍କରେ କହିଥିଲେ, ‘୪ ବର୍ଷ ହେଲା ଗୋଟିଏ ପ୍ରସ୍ତାବ ମୁଁ ଦେଉଛି, ସହରାଞ୍ଚଳରେ କି ଗ୍ରାମାଞ୍ଚଳରେ ହେଉ ଯେତେ ସବୁ ପୋଖରୀ ଅଛି, ଜଳାଶୟ ଅଛି ତାର ଉନ୍ନତି କରଣ କରାଯାଉ ଓ ତାର ବିକାଶ କରାଯାଉ । କିନ୍ତୁ ଦୁର୍ଭାଗ୍ୟ ରାଜ୍ୟ ସରକାର ଏ ବିଷୟରେ କୌଣସି ପଦକ୍ଷେପ ନେଉନାହାଁନ୍ତି । ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଯେଉଁ ଗାଁରେ ପିଇବା ପାଣିତ ଦୂରର କଥା ଗାଧୋଇବା ପାଇଁ ଓ ସୌଚ ହେବା ପାଇଁ ମଧ୍ୟ ପାଣି ମିଳେନାହିଁ ।’
ସରକାରୀ ଦଳର ମୁଖ୍ୟ ସଚେତକ ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରତିକ୍ରୀୟା ରଖି କହିଛନ୍ତି, ‘ସରକାର ଏ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ବିରୋଧୀ ଦଳର ନେତା ନିର୍ଦ୍ଦିଷ୍ଟ ଭାବେ ବଲାଙ୍ଗୀର ଜିଲ୍ଲା କଥା କହିଛନ୍ତି । ମୋ ପାଖରେ ଏ ବିଷୟରେ ଖବର ନାହିଁ କ’ଣ ହୋଇଛି । କିନ୍ତୁମୁଁ ଜାଣିଛି ରାଜ୍ୟର ବିଭିିନ୍ନ ଅଞ୍ଚଳରେ ପଞ୍ଚାୟତିରାଜ ବିଭାଗ ତରଫରୁ ଆର୍ôଥକ ସହାୟତା ଯୋଗାଇ ଦିଆଯାଇଛି । ଯେଉଁଥିରେ ପୁନରୁଦ୍ଧାର ହେଉଛି ଓ ନୂଆ ଜଳାଶୟ ସୃଷ୍ଟି କରାଯାଉଛି ଏବଂ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମଧ୍ୟ ଅନେକ ନୂଆ ଜଳାଶୟ ପଞ୍ଚାୟତରେ ସୃଷ୍ଟି କରାଯାଉଛି ।’