ନବୀନଙ୍କ ଗାଏବ ହେବା ରହସ୍ୟ ପଦାକୁ ଆସିଲା, ସ୍ପା’ରୁ ଧରା ହୋଇଛନ୍ତି

ଭୁବନେଶ୍ୱର: ପୂର୍ବତନ ବିଧାୟକ ନବୀନ ନନ୍ଦ କଲିକତାରେ ହଠାତ୍ ଅନ୍ତଧ୍ୟାନ ହେବା ଘଟଣାର ସୂଚନା ପଦାକୁ ଆସିଛି । ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଥିଲା ବେଳେ ଏହି ଘଟଣାକୁ ସେ ଅସ୍ୱୀକାର କରିଛନ୍ତି । ସେଠାରେ ଏକ ସ୍ପାରେ ଥିଲାବେଳେ ପୋଲିସ୍ରେ ରେଡ୍ରେ ଧରାପଡ଼ି ଗିରଫ ହୋଇଥିଲେ । ପରେ କୋର୍ଟରୁ ଜାମିନ୍ରେ ଆସିଛନ୍ତି । କିନ୍ତୁ ଶ୍ରୀ ନନ୍ଦ ଏ ସମ୍ପର୍କରେ ତାଙ୍କର ଭିନ୍ନ ମତ ଦେଉଛନ୍ତି । ଚୋରକୁ ଧରିବାକୁ ଯାଇ ସ୍ପାରେ ପସିଥିବା କଥା କହୁଛନ୍ତି । ଏ ଘଟଣାରେ ବିଜେଡି ଆମ ଦଳର ନୁହଁ ବୋଲି କହି ହାତଧୋଇ ବସିଥିଲା ବେଳେ ବିଜେପି ଏହି ଘଟଣାକୁ ଲଜ୍ଜା ଜନକ ବୋଲି କହିଛି । ବିଜେଡି ମଧ୍ୟ ଘଟଣାକୁ ନିନ୍ଦା କରିଛି ।
କୌଣସି କାର୍ଯ୍ୟରେ ଶ୍ରୀ ନନ୍ଦ କଲିକତା ଯାଇଥିଲେ । ତାଙ୍କର ରବିବାର ଫେରିବାର ଥିଲା । କିନ୍ତୁ ସେ ନ ଫେରିବାରୁ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ । ସକାଳ ୭ଟା ବିମାନରେ ତାଙ୍କର ଆସିବାର ଥିଲା । ସେ ନ ଆସିଥିବା ବେଳେ ତାଙ୍କ ମୋବାଇଲ୍ ବନ୍ଦ ରହିଥିଲା । ଫଳରେ ପରିବାର ଲୋକେ ଆଶଙ୍କା କରି ସେ ନିଖୋଜ ବୋଲି କହିଥିଲେ । କାରଣ ସେ ରହୁଥିବା ହୋଟେଲ୍ରେ ତାଙ୍କ ଜିନିଷପତ୍ର ରହିଛି । ଅଥଚ ତାଙ୍କର ଖୋଜ ଖବର ନାହିଁ । ତାଙ୍କ ପୁଅ ସମ୍ବିତ ଏ ସମ୍ପର୍କରେ ସୂଚନା ଦେଇଥିଲେ । ପରେ ବାପାଙ୍କୁ ଖୋଜିବା ପାଇଁ ସେ କଲିକତା ଯାଇଥିଲେ । କଲିକତାରେ ଫେରିଲା ପରେ ଶ୍ରୀ ନନ୍ଦ କହିଥିଲେ ତାଙ୍କ ମୋବାଇଲ୍ ଓ ଲାପ୍ଟପ୍ ଚୋରି ହୋଇଯାଇଥିଲା । ସେଥିପାଇଁ ସେ ଯୋଗାଯୋଗ କରିପାରି ନ ଥିଲେ । ଏବେ କଲିକତାରେ ଏକ ପତ୍ରିକାରେ ତାଙ୍କ ଗିରଫ ହେବା ସମ୍ପର୍କରେ ଖବର ମିିଳିଲା ପରେ ଏହା ଭିନ୍ନ ମୋଡ଼ ନେଇଛି । ପ୍ରକାଶିତ ଖବର ଅନୁସାରେ ଶ୍ରୀ ନନ୍ଦଙ୍କୁ ପାର୍କ ଷ୍ଟ୍ରିଟ୍ରେ ଥିôବା ଏକ ସ୍ପା’ରୁ କଲିକତା ପୋଲିସ୍ ଗିରଫ କରିଛି । ତାଙ୍କ ସହ ୧୮ ଜଣ ବ୍ୟକ୍ତି ଓ ୯ ଯୁବତୀଙ୍କୁ ଧରାଯାଇଛି । ଏମାନଙ୍କ ବିରୋଧରେ ପୋଲିସ୍ ମାମାଲା ରୁଜୁ କରିଛି । ପୋଲିସ୍ ସେମାନଙ୍କୁ କୋର୍ଟରେ ହାଜର କରାଇଛି । କୋର୍ଟରୁ ଜାମିନ ପାଇ ଆସିଛନ୍ତି ।
ଏ ଖବର ଜଣାପଡ଼ିଲା ପରେ ଏବଂ ଗଣମାଧ୍ୟମରେ ଆଲୋଚନା ହେବାରୁ ଏସମ୍ପର୍କରେ ଶ୍ରୀ ନନ୍ଦ ତାଙ୍କ ମତ ରଖିଛନ୍ତି । ସେ କହିଛନ୍ତି ମୋଠାରୁ ଚୋରି କରି ନେଇ ଯାଇଥିବା ଲୋକଟି ମୁଁ ଗୋଡ଼ାଇଥିଲି । ସେ ଉକ୍ତ ସ୍ପା’ ଭିତରକୁ ପସିଯାଇଥିଲେ । ମୁଁ ତାଙ୍କୁ ଧରିବା ପାଇଁ ତା ପଛରେ ପସିଯାଇଥିଲି । ସେତେବେଳେ ସେଠାରେ ପୋଲିସ୍ ରେଡ୍ ଚାଲିଥିଲା । ଏଣୁ ପୋଲିସ୍ ମୋତେ ଧରିନେଇଥିଲା । ପରେ ଛାଡ଼ିଛି । ଏ ଘଟଣାରେ ମୁଁ ଓକିଲଙ୍କ ପରାମର୍ଶ ନେଇ ଆଇନଗତ ପଦକ୍ଷେପ ନେବି । କିନ୍ତୁ କଲିକତାରେ ପ୍ରକାଶିତ ପତ୍ରିକାରେ ଉକ୍ତ ସ୍ପା’ରେ ଅନୈତିକ କାର୍ଯ୍ୟ ଚାଲିଥିବା ଖବର ପାଇ ପୋଲିସ୍ ଚଢ଼ାଉ କରିଥିଲା । ସେଠାରୁ ଶ୍ରୀ ନନ୍ଦଙ୍କ ସମେତ ୧୮ ଜଣଙ୍କୁ ଧରାଯାଇଥିଲା ।
ଏହି ଘଟଣାରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ସମାଲୋଚନା କରି କହିଛନ୍ତି ‘କାଲି ପ୍ରଚାର କରାଗଲା ଯେ, ସେ କେଉଁଠିକୁ ଗାଏବ ହୋଇଯାଇଛନ୍ତି, ବୋଧହୁଏ ଏଥିପାଇଁ ପ୍ରଚାର କରାଯାଇଥିଲା ଯେଉଁ କାଣ୍ଡ କାରଖାନା ସେ କଲେ ଓ ଯୁବତୀଙ୍କ ସହ ଯେଉଁ ଜାଗାରୁ ଗିରଫ ହେଲେ ଏହାର ନଜର ହଟାଇବା ପାଇଁ ଏଭଳି ପ୍ରଚାର କରାଯାଇଥିଲା । କିନ୍ତୁ ଅସଲ ତଥ୍ୟ ଧରାପଡ଼ିଛି । ସେ ଧରାପଡ଼ିଛନ୍ତି ଏବଂ ତାଙ୍କ ସହ ୯ ଜଣ ଯୁବତୀ ମଧ୍ୟ ଧରାହୋଇଛନ୍ତି । ଏହା ଓଡ଼ିଶା ପାଇଁ ଏକ ଲଜ୍ଜାକର ଘଟଣା । ଏହି ଘଟଣାରେ ସାରା ଓଡ଼ିଶାବାସୀ ଅପମାନିତ ଓ ନିନ୍ଦିତ ହୋଇଛନ୍ତି ।’
ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି ‘ନବୀନ ନନ୍ଦଙ୍କ ମନ୍ତବ୍ୟ ଯଦି ଦେଖିବେ ସେ ବିଜେଡିରେ ଆଉ ନାହାଁନ୍ତି । ତାଙ୍କ ମନ୍ତବ୍ୟକୁ ଯଦି ଅନୁଧ୍ୟାନ କରିବେ ସେ ବିଜେଡିରେ ନ ଥିବା କଥା ଜଣାପଡିଯିବ । ନବୀନ ନନ୍ଦଙ୍କର ଦୀର୍ଘ ଦିନ ଧରି ଯାହା କାର୍ଯ୍ୟଧାରା ଥିଲା ଓ ଦଳ ସମ୍ପର୍କରେ ସେ ଯାହା କଥା ରଖୁଥିଲେ ଏଥିରୁ ମୋର ଧାରଣା ସେ ବୋଧହୁଏ କହୁଛନ୍ତି ବିଜେଡିରେ ନାହାଁନ୍ତି । ଗଣମାଧ୍ୟମରେ ଯେଉଁ ଖବର ଆସିଛି ଏହା ସତ୍ୟ ହୋଇଥିଲେ ନିନ୍ଦନୀୟ ।’

LEAVE A REPLY

Please enter your comment!
Please enter your name here