କ୍ଷମତା କେନ୍ଦ୍ରକୁ ତଥାଗତଙ୍କ ଚ୍ୟାଲେଞ୍ଜ

ଭୁବନେଶ୍ୱର : ବିଜେଡି ସାଂସଦ ତଥାଗତ ସତପଥୀ ତାଙ୍କ ରାଗ ସୁଝାଇବା ନୂଆ ଫଣ୍ଡା ଆପଣାଇଛନ୍ତି । ନିଜର ତଥା ବିଜେଡିି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେଡି କ୍ଷମତାକେନ୍ଦ୍ରର ଖାସ ଶତ୍ରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ତଥାଗତ ଏବେ ଢଳିବା ଆରମ୍ଭ କରିଛନ୍ତି । ଯେଉଁ ଧର୍ମେନ୍ଦ୍ରଙ୍କ ନା ଶୁଣିଲେ ଚିହିଁକି ଉଠୁଥିଲେ ତାଙ୍କୁ ତଥାଗତ ଆପଣାଇବା ଲାଗି ବ୍ୟାକୁଳ ହେଉଛନ୍ତି । ତଥାଗତଙ୍କ ଏପରି ବଡ ପରିବର୍ତ୍ତନ ପଛର ରହସ୍ୟକୁ ନେଇ ସବୁଠି ଆଲୋଚନା ଚାଲିଛି ।

ବିଜେଡି ସାଂସଦ ତଥାଗତ ଶତପଥୀ ଏବେ ନିଜ ଆଚରଣରେ ପରିବର୍ତ୍ତନ ଆଣିଛନ୍ତି । ଯାହାକୁ ସାମଲୋଚନା କରିବାକୁ ତାଙ୍କ ଜିଭ ତର ସହୁ ନଥିଲା ଏବେ ତାଙ୍କୁ କୁଆଡେ ପ୍ରସଂଶାରେ ପୋତି ପକାଉଛନ୍ତି । ନିଜ ଦଳରେ କଣୋଠେଁସା ହେବା ପରେ ତଥାଗତ ବାବୁ କାଳେ ଆପାଣାଇଛନ୍ତି ଏମିତି ଫଣ୍ଡା, ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଚର୍ଚ୍ଚା । କୁହାଯାଉଛି ନିଜ ବ୍ୟବସାୟୀକ ପ୍ରତିଦ୍ୱନ୍ଦ୍ୱିଙ୍କ ବଢିବା ଦେଖି ରାଜନୈତିକ ପ୍ରତିଦ୍ୱନ୍ଦ୍ୱିଙ୍କ ସହ ହାତ ମିଳାଇଛନ୍ତି ସାଂସଦ ମହାଶୟ ଆଉ ଏମିତି କରି ନିଜ ଦଳର କ୍ଷମତା କେନ୍ଦ୍ରଙ୍କୁ ବି ଚ୍ୟାଲେଞ୍ଜ ଦେବାକୁ ପଛାଇ ନାହାନ୍ତି ତଥାଗତ…

ତଥାଗତ ତାଙ୍କ ନିଜ ଖବର କାଗଜରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଓ ଖବର ଛାପିବା ପ୍ରାୟତ ଦେଖାଯାଏନି । ହେଲେ ଏବେ ତାଙ୍କ ଖବର କାଗଜର ପ୍ରଥମ ପୃଷ୍ଟାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଖବର ଶିରୋନାମାରେ ରହୁଥିବା ଦେଖିବାକୁ ମିଳୁଛି । ଏମିତିବି ଶୁଣିବାକୁ ମିଳୁଛି ଏହି ଖବର ଯେପରି ଠିକଣା ଭାବରେ ପ୍ରକାଶ ପାଇବ ସେନେଇ ସେ କୁଆଡେ ନିଜ ଟିମକୁ କଡା ତାଗିତ ମଧ୍ୟ କରିଛନ୍ତି । ତେବେ ତଥାଗତଙ୍କ ହଠାତ ଏପରି ପରିବର୍ତ୍ତନ ପଛର କାରଣ ତାଙ୍କ ବ୍ୟବସାୟୀକ ପ୍ରତିଦ୍ୱନ୍ଦି ସଂସାଦ ସୌମ୍ୟରଞ୍ଜନ ପଟ୍ଟନାୟକ ନା ଭବିଷ୍ୟତର ରାଜନୈତିକ ପ୍ରତିନ୍ଦ୍ୱନ୍ଦ୍ୱି ଧର୍ମେନ୍ଦ୍ରଙ୍କୁ ଶାନ୍ତ କରି କରି ରଖିବା ତାକୁ ନେଇ ଚର୍ଚ୍ଚା ହେଉଛି । ସୌମ୍ୟବାବୁ ବିଜେଡିକୁ ଆସନ୍ତୁ ଏକଥା କୁଆଡେ ତଥାଗତ ବାବୁ ଚାହୁଁ ନଥିଲେ । ହେଲେ ବିଜେଡି ସୌମ୍ୟଙ୍କୁ କୋଲେଇ ନେଇ ରାଜ୍ୟ ସଭା ପଠାଇବା ପରେ ତଥାଗତଙ୍କ ମନ ଭାଙ୍ଗି ଯାଇଛି । କେବଳ ଏତିକି ନୁହେଁ ଦଳକୁ ଯାଇ ସାଂସଦ ହେବା ପରେ ଦଳରେ ସୌମ୍ୟଙ୍କ ଗୁରୁତ୍ୱ ବଢିଥିବା ବି ଦେଖାଯାଉଛି । ବିଭିନ୍ନ ସଭା ସମିତିରେ ସୌମ୍ୟଙ୍କୁ ନବୀନ ପାଖରେ ବସାଇବା ହେଉ ବା ବିଭିନ୍ନ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦେବା ହେଉ ସବୁଠି ସୌମ୍ୟଙ୍କ ଉପସ୍ଥିତି ତଥାଗତଙ୍କ କଟା ଘାରେ କାଳେ ଚୂନ ଦେବା ପରି ହେଉଛି । ଆଉ ଦଳର କ୍ଷମତାକେନ୍ଦ୍ରର ଇଶାରାରେ ଏସବୁ ହେଉଛି ବୋଲି କୁଆଡେ ତଥାଗତ ବୁଝି ସାରିଛନ୍ତି । ସେଥିଲାଗି କ୍ଷମତାକେନ୍ଦ୍ରକୁ ଭିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ହାତ ମିଳାଇ ପରୋକ୍ଷରେ ସେ କୁଆଡେ କ୍ଷମତାକେନ୍ଦ୍ରକୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରିଛନ୍ତି । ସେଥିଲାଗି ଯେଉଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନା ଶୁଣିଲେ ସେ କିଏ ସେ ବିହାରର ନା କୋଉଠି କାର ସାଂସଦ ଓଡିଶାରେ ତ ଏମିତି ସାଂସଦ ନାହାନ୍ତି ବୋଲି ଦିନେ କହୁଥିବା ଓ ସୁଯୋଗ ମିଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ବାରମ୍ବାର ସମାଲୋଚନା କରୁଥିବା ସାଂସଦ ତଥାଗତ ଏବେ ନିଜର ପଟ୍ଟ ପରିବର୍ତ୍ତ କରୁଛନ୍ତି । ଏହି ବାହାନାରେ ସିଧାସଳଖ ଆଉ ବିରୋଧ ନକରି ଯେଉଁ କାର୍ଯ୍ୟ କଲେ ନବୀନ ଓ ତାଙ୍କ ଯୁବଗୋଷ୍ଠୀଙ୍କୁ ମାଡ଼ ହେବ ସେଇ ପନ୍ଥା ବାଛିଛନ୍ତି ବୋଲି କୁହାଯାଉଛି । ଧର୍ମେନ୍ଦ୍ରଙ୍କୁ ଅଗ୍ରାଧୀକାର ଦେଲେ ଦଳ ମୁଖିଆଙ୍କୁ ମାଡ଼ ଦେବା ଭଳି ହେବ । କିଛି ପ୍ରତିବାଦ ନକରି ଏବଂ ପ୍ରତିକୂଳ ମତ ନଦେଇ ସିଧାସଳଖ ନିଜ କାଗଜକୁ ବ୍ୟବହାର କରି ପ୍ରତିଶୋଧ ନେବା ପାଇଁ ତଥାଗତ ଅଣ୍ଟା ଭିଡ଼ି ଥିବା ଚର୍ଚ୍ଚା ହେଉଛି । ଦଳ ଭିତରେ ଏବେ ତଥାଗତ କ୍ରମେ ଗୌଣ ହେବାରେ ଲାଗିଛନ୍ତି । ନିକଟରେ ଦଳ ପକ୍ଷରୁ ମହାନଦୀ ମହା ଅଭିଯାନ ଯେଉଁ ପଦଯାତ୍ରା କରାଯାଇଥିଲା ତାହାର ଉଦ୍ଘାଟନ କାର୍ଯ୍ୟକ୍ରମରେ ସୌମ୍ୟରଂଜନଙ୍କୁ ବେଶ ଗୁରୁତ୍ୱ ଦିଆଯାଇଥିବା ଦେଖାଯାଇଥିଲା । ଏପରିକି ମହାନଦୀ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ସୌମ୍ୟଙ୍କୁ ସୁଯୋଗ ଦିଆଯାଇଥିଲା । ଏଥିରୁ ବୁଝା ପଡ଼ିଯାଉଛି ଦଳ ସୁପ୍ରିମୋ ଓ ତାଙ୍କ ଗୋଷ୍ଠୀ କ’ଣ ଚାହୁଁଛନ୍ତି । ତଥାଗତଙ୍କ ଗଣମାଧ୍ୟମ ଅପେକ୍ଷା ସୌମ୍ୟଙ୍କ ଗଣମାଧ୍ୟମ ଏବେ ବେଶ୍ ପ୍ରଭାବଶାଳୀ । ଅନ୍ୟପଟରେ ତଥାଗତଙ୍କ ଉପରେ କାହାରି ଭରସା ରହୁନାହିଁ । ଏଣୁ ରାଜନୈତିକ ଆବଶ୍ୟକତା ଦୃଷ୍ଟିରୁ ବିଜେଡିକୁ ଏବେ ସୌମ୍ୟଙ୍କୁ ଅଗ୍ରାଧୀକାର ଦେବା ଜରୁରୀ ହୋଇଛି । ଏହା ତଥାଗତଙ୍କ ପାଇଁ ବଡ଼ ଧରଣର ମାଡ଼ ହୋଇଛି । ତଥାଗତ ଆଉ ଉପାୟ ନପାଇ ନିଜ କାଗଜକୁ ଅସ୍ତ୍ର କରିଛନ୍ତି ବୋଲି କୁହାଯାଉଛି ।
ଆଉ ଗୋଟିଏ କଥା ବି ଆଲୋଚନାକୁ ଆସୁଛି ଧର୍ମେନ୍ଦ୍ର ଏବେ ବହୁ କେନ୍ଦ୍ରୀୟ କାର୍ଯ୍ୟକ୍ରମ ଯୋଜନା ଢେଙ୍କାନାଳ ଲୋକସଭା ଅଞ୍ଚଳରେ କରିବାରେ ଲାଗିଛନ୍ତି । ନୂଆ ନୂଆ ଯୋଜନା କରି ଲୋକଙ୍କୁ ନିଜ ପଟକୁ ନେବା ପାଇଁ ଉଦ୍ୟମ ଚଳାଇଛନ୍ତି । ଧର୍ମେନ୍ଦ୍ରଙ୍କୁ ସିନା ସେ କିଏ ମୁଁ ଜାଣିନି କି ଚିହ୍ନିନି ବୋଲି କହିଥିଲେ । ହେଲେ ତଥାଗତ ବେଶ୍ ଭଲ ଭାବରେ ବୁଝିଗଲେଣି ଯେ ଧର୍ମେନ୍ଦ୍ରଙ୍କ ପ୍ରଭାବ କେତେ ବଢ଼ିବାରେ ଲାଗିଛି । ୨୦୧୯ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବେ । ଏଣୁ ଏବେଠାରୁ ଯଦି ବାଟ କାଟି ରଖନ୍ତି ଆଉ ଧର୍ମେନ୍ଦ୍ରଙ୍କୁ ଶାନ୍ତ କରାଇ ପାରନ୍ତି ତେବେ ହୁଏତ ତାଙ୍କ ପାଇଁ ଫାଇଦା ହୋଇପାରେ । ଧର୍ମେନ୍ଦ୍ର ଲୋକସଭା ପାଇଁ ନଲଢ଼ି ଯଦି ବିଧାନସଭା ଲାଗି ଲଢ଼ନ୍ତି ତେବେ ତଥାଗତଙ୍କ ପାଇଁ ବେଶ ଲାଭ ଦାୟକ ହେବ । ସେଥିପାଇଁ ଆଗକୁ ନିଜର ଭବିଷ୍ୟତକୁ ଚିନ୍ତା କରି ତଥାଗତ ଏଭଳି ପରିବର୍ତ୍ତନର ବାଟ ବାଛିଥିବା କଥା କେହି କେହି କହୁଛନ୍ତି । କିନ୍ତୁ ଅନେକଙ୍କ ମତ ଯେ, ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟକୁ ତଥାଗତ ଆପଣାଇଛନ୍ତି । ଧର୍ମେନ୍ଦ୍ରଙ୍କୁ ତାଙ୍କ ଖବରକାଗଜରେ ପ୍ରାଧାନ୍ୟ ଦେଇ ନବୀନ ଓ ତାଙ୍କ ଯୁବ ବାହିନୀଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ତଥାଗତଙ୍କ ଏହି ଅଭିନବ ଉଦ୍ୟମ ବୋଲି ଆଲୋଚନା ହେଉଛି ।