ପ୍ରତାପ ଚିତପଟାଙ୍ଗ!

ଭୁବନେଶ୍ୱର : କେନ୍ଦ୍ରାପଡାରେ ବଦଳୁଛି ବିଜୁ ଜନତା ଦଳର ସମୀକରଣ । କେତେବେଳେ କିଏ କାହା ମିତ୍ର ଆଉ କିଏ କାହା ଶତ୍ରୁ ତାହା କିଛି ଜଣା ପଡୁନି । କିଏ ଚାହୁଁଛି କଂଗ୍ରେସ ବିଧାୟକ ଦେବେନ୍ଦ୍ରନାଥ ଶର୍ମାଙ୍କୁ ବିଜେଡିରେ ମିଶାଇ ସାଂସଦ ପ୍ରତାପ କେଶରୀ ଦେବଙ୍କୁ ଆଳିରୁ ଚେକ୍ ଦେବାକୁ ତ ଆଉ କିଏ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ବିଜେଡିରେ ମିଶାଇ ଧ୍ରୁବ ସାହୁଙ୍କୁ ରାଜନଗରରୁ ଆଉଟ୍ କରିବା ପାଇଁ ଯୋଜନା କରୁଥିବା ଖବର ମିଳିଛି । କିଛି ଦିନ ତଳୁ ଏପରି ଏକ ମିଶ୍ରଣ ପାଇଁ ଅପରେସନ ଚାଲିଛି, ଯାହା କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ରାଜନୀତିକୁ ପ୍ରଭାବିତ କରିପାରେ । ଚର୍ଚ୍ଚା ହେଉଛି କେନ୍ଦ୍ରାପଡାର ପୂର୍ବତନ କଂଗ୍ରେସ ବିଧାୟକ ଗଣେଶ୍ୱର ବେହେରାଙ୍କୁ ବିଜେଡିରେ ମିଶାଇବା ପାଇଁ ପ୍ରତାପ ଦେବ ଯୋଜନା କରୁଛନ୍ତି । ଯାହା ବିଜେଡି ବିଧାୟକ କିଶୋର ତରାଇଙ୍କୁ ଅଡୁଆରେ ପକାଇ ପାରେ । ହେଲେ ଅନେକ ରାଜନୈତିକ ଘାଟର ପାଣି ପିଇଥିବା କିଶୋର କୁଆଡେ ଏପରି ଗୁଗଲି ପକାଇଛନ୍ତି ଯେ ଆଳି ରାଜପରିବାରର ପଟ୍ଟାୟତ ପ୍ରତାପ କେଶରୀ ଦେବଙ୍କ ସ୍ଥିତି ଦୋହଲି ଯାଇଛି ।
ଗଣେଶ୍ୱର ବେହେରା ଏବେ ରାଜ୍ୟ କଂଗ୍ରେସର ମୁଖପାତ୍ର ଅଛନ୍ତି । ଖବର ଅନୁସାରେ, ସେ ପ୍ରସାଦ ହରିଚନ୍ଦନଙ୍କ କଂଗ୍ରେସ ଉପରେ ଭାରି ଖପ୍ପା । ବିଜେଡିରେ ମିଶିବା ପାଇଁ ସେ ସଚିବାଳୟର ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବି ଯାଇ ଆଲୋଚନା କରିଥିବା ଶୁଣିବାକୁ ମିଳିଛି । ବିଜେଡି ସୁପ୍ରିମୋ ବି କୁଆଡେ ଗଣେଶ୍ୱରଙ୍କୁ ଗ୍ରୀନ ସିଗନାଲ ଦେଇଛନ୍ତି । ଏପରିକି ୨୦୧୯ ନିର୍ବାଚନରେ ବିଜେଡି ଟିକେଟରୁ କେନ୍ଦ୍ରାପଡା ବିଧାନସଭା ଆସନରୁ ନିର୍ବାଚନ ଲଢିବେ ବୋଲି ବି ଡିଲିଂ ହୋଇଥିବା ସୂଚନା ମିଳିଛି । ଯାହାର ସୂତ୍ରଧର ବିଜେଡି ମୁଖପାତ୍ର ପ୍ରତାପ ଦେବ । ଯୋଜନା ଅନୁସାରେ ଏପ୍ରିଲ ୧୨ କିମ୍ବା ୧୩ ତାରିଖରେ ନବୀନ ନିବାସରେ ଗଣେଶ୍ୱର ବେହେରା ବିଜେଡିରେ ଔପଚାରିକ ଭାବେ ଯୋଗ ଦେଇଥାନ୍ତେ । ସେ ପୁଣି ଏକା ନୁହେଁ, କେନ୍ଦ୍ରାପଡାର ଅନେକ ବିଜେପି, କଂଗ୍ରେସ, ଆମ ଆଦମୀ ପାର୍ଟି, ସଂଖ୍ୟାଲଘୁ ସଦସ୍ୟ, ପୂର୍ବତନ ସରପଞ୍ଚଙ୍କ ସମେତ ଓକିଲ ସଂଘ କର୍ମକର୍ତ୍ତାଙ୍କୁ ନେଇ ବିରାଟ ପଟୁଆରରେ ବିଜେଡିରେ ମିଶିଥାନ୍ତେ । ଏଥିପାଇଁ ଏକପ୍ରକାର ସବୁ ପ୍ରସ୍ତୁତି ସରିଥିଲା, ବିଜେଡିରେ ମିଶିବାକୁ ଏ ସମସ୍ତେ ଗୋଡ ବାହାର କରି ରହିଥିଲେ । ହେଲେ କିଶୋର ତରାଇଙ୍କ ମାଷ୍ଟରଷ୍ଟ୍ରୋକ ଆଗରେ ଗଣେଶ୍ୱର ଓ ବିଜେଡି ସାଂସଦ ପ୍ରତାପ ଦେବ ଚିତପଟାଙ୍ଗ ହୋଇଗଲେ ।
ସଂସଦର ବଜେଟ୍ ଅଧିବେଶନକୁ ନେଇ ଦିଲ୍ଲୀରେ ବ୍ୟସ୍ତ ଥିଲେ ରାଜ୍ୟସଭା ସଦସ୍ୟ ପ୍ରତାପ ଦେବ । ଏଥିପାଇଁ ଗଣେଶ୍ୱର ଓ ଅନ୍ୟମାନେ ପ୍ରତାପଙ୍କ ଭୁବନେଶ୍ୱର ଫେରିବା ପରେ ବିଜେଡିରେ ମିଶିଥାନ୍ତେ । ହେଲେ ତାଙ୍କୁ ଜଣା ନଥିଲା ଯେ ସେମାନେ ଯେଉଁ କିଶୋରଙ୍କୁ ହେୟଜ୍ଞାନ ମନେ କରୁଥିଲେ, ସେ ପ୍ଲାନିଂରେ ଦୁଇ ପାଦ ଆଗରେ । ପ୍ରତାପଙ୍କ ଅନୁପସ୍ଥିତିରେ ଗଣେଶ୍ୱରଙ୍କୁ ଆଉଟ କରିବା ପାଇଁ କିଶୋରଙ୍କ ଦମଦାର ପ୍ଲାନିଂ ସବୁ ଅଙ୍କ ଭୁଲ କରିଦେଲା । ଯେଉଁମାନଙ୍କୁ ସାଥିରେ ନେଇ ଏକ ବଡ ଟିମ୍ ଜରିଆରେ ଗଣେଶ୍ୱର ବିଜେଡିରେ ମିଶିଥାନ୍ତେ, ସେମାନଙ୍କୁ ଧାର୍ଯ୍ୟ ତାରିଖ ଆଗରୁ ହିଁ ବିଜେଡିରେ ମିଶାଇ ଦେଲେ କିଶୋର । ଏପ୍ରିଲ ୯’ରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ବଡ ସମାରୋହ କରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗଣେଶ୍ୱରଙ୍କୁ ବାଦ୍ ଦେଇ ବାକି ଦେଢ ହଜାର କର୍ମୀଙ୍କୁ କିଶୋର ତରାଇ ବିଜେଡିର ମିଶାଇଲେ । ଯାହାକୁ ନେଇ ପ୍ରତାପ ଦେବଙ୍କ ମନ ପିତା ହୋଇଗଲା । ଏପ୍ରିଲ ୮’ରେ ସିନା ଭୁବନେଶ୍ୱର ଫେରି ଆସିଥିଲେ ପ୍ରତାପ ଦେବ; ହେଲେ ପର ଦିନ ବିଜେଡି କାର୍ଯ୍ୟାଳୟ ଗଲେନି କି ମିଶ୍ରଣ ସମାରୋହରେ ଯୋଗ ଦେଲେନି । କାଳେ ଏ ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପାଖକୁ ପ୍ରତିକ୍ରିୟା ନେବାକୁ ଆସିବେ, ସେଥିପାଇଁ ୟୁନିଟ୍-୧ ସରକାରୀ କ୍ୱାର୍ଟର୍ସରେ ବି ରହିଲେନି । ବିଧାୟକ କିଶୋର ତରାଇ କିଛି କମ୍ ଖେଳୁଆଡ ନୁହନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ପତ୍ନୀଙ୍କୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ କରାଇବା ପାଇଁ ଚକ୍ରାନ୍ତ କରି ତାଙ୍କୁ ସମିତିସଭ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ କରାଇଥିଲେ । ଆଉ ଏନେଇ ଜାଲିଆତି ଅଭିଯୋଗ ବି ଆସିଥିଲା କିଶୋରଙ୍କ ବିରୋଧରେ । ଲାଗୁଥିଲା ଯେପରି କିଶୋରଙ୍କ ଏହା ରାଜନୈତିକ ସର୍ବନାଶର କାରଣ ପାଲଟିବ । ହେଲେ ତାଙ୍କର କିଛି ବି ହେଲାନି । ଚର୍ଚ୍ଚା ହୁଏ ଯେ ନବୀନ ପଟ୍ଟନାୟକଙ୍କ ପ୍ରିୟ ଅଣଓଡ଼ିଆ ପ୍ରଶାସକଙ୍କ ପତ୍ନୀ ସୁଜାତା କାର୍ତ୍ତିକେନ୍ ପଟ୍ଟାମୁଣ୍ଡାଇର । ଆଉ କିଶୋରଙ୍କ ସହ ତାଙ୍କ ଘର ଆଡୁ ସମ୍ପର୍କ । ଯାହା କିଶୋରଙ୍କ ପାଇଁ ବରଦାନ ସଦୃଶ । ହୁଏତ ଏହି ଗଣିତ କିଶୋରଙ୍କୁ ଏତେ ବଳିଆନ କରିଛି ଯେ ବିଜେଡିର ଅନ୍ୟତମ ପାୱାର କରିଡର ଭାବେ ପରିଚିତ ପ୍ରତାପ ଦେବ ବି ତାଙ୍କ ଆଗରେ ଫିକା । ଅବଶ୍ୟ ପ୍ରତାପ ଦେବ ଏତିକିରେ ଖୁସି ଯେ ଗ୍ୟାଙ୍ଗଷ୍ଟର ଟିଟୋର ସମ୍ପର୍କୀୟ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେବା ଫଟୋକୁ ନେଇ ବିବାଦରେ ଅଛନ୍ତି ତରାଇ ବାବୁ ।

LEAVE A REPLY

Please enter your comment!
Please enter your name here