ମୋଦି-ନବୀନ ମୁହାଁମୁହିଁ ହେବାକୁ ଯାଉଛନ୍ତି

ଭୁନନେଶ୍ୱର: ବିଜେପି କେନ୍ଦ୍ରରେ ଅସୁବିଧା ସମୟରେ ଯେଉଁଭଳି ଭାବରେ ବିଜେଡିର ସହାୟତା ନେଉଥିଲା ଏବଂ ବିଜେଡି ମଧ୍ୟ ଅକୁଣ୍ଠ ଚିତ୍ତରେ ଯେଉଁଭଳି ସହାୟତାର ହାତ ବଢ଼ାଉଥିଲା ସେଥିରେ ଉଭୟଙ୍କ ସମ୍ପର୍କକୁ ନେଇ ସନ୍ଦେହ ଦେଖାଦେଇଥିଲା । ଆସନ୍ତା ନିର୍ବାଚନରେ ଉଭୟ ପୁଣି ପୁରୁଣା ଦିନରୁ ମେଣ୍ଟକୁ ଫେରି ପାରନ୍ତି ବୋଲି ଏକ ଧାରଣା ଜାଗ୍ର ହୋଇଥିଲା । ଅବଶ୍ୟ ଉଭୟ ଦଳର ରାଜ୍ୟ ନେତାମାନେ ଏହାକୁ ଅସ୍ୱୀକାର କରୁôଥିଲେ ମଧ୍ୟ କାର୍ଯ୍ୟଧାରାରୁ ସନ୍ଦେହ ରହୁଥିଲା । କିନ୍ତୁ ଆଜି ଏହା ସ୍ପଷ୍ଟ ହୋଇଯାଇଛି । ବିଜେପି-ବିଜେଡି ଆସନ୍ତା ନିର୍ବାଚନରେ ଏକାଠି ହେବାର ଆଦୌ ସମ୍ଭାବନା ନାହିଁ ଏବଂ ଉଭୟ ପରସ୍ପରର ପ୍ରମୁଖ ରାଜନୀତିକ ଶତ୍ରୁଭାବେ ଅବତିର୍ଣ୍ଣ ହେବ ସେ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ ତାଙ୍କ ସରକାରକୁ ଯେଉଁଭଳି ଭାବରେ ଆକ୍ଷେପ କରି କଟୁ ମନ୍ତବ୍ୟ ଦେଲେ ଓ ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ ବୋଲି କହିଲେ ସେଥିରେ ବିଜେପି କେନ୍ଦ୍ରୀୟ ନେତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି । ମୋଦି ହେଉଛନ୍ତି ବିଜେପିର ବର୍ତ୍ତମାନ ସବୁଠାରୁ ମୁଖ୍ୟ ଲୋକ । ତାଙ୍କ ମତ ହିଁ ଦଳ ପାଇଁ ଶ୍ରେୟ । ମୋଦି ଆସି ଏଠି ନବୀନଙ୍କ ଉପରେ ବର୍ଷିବା ପରେ ଆଉ ଉଭୟଙ୍କ ଭିତରେ ଏକାଠି ହେବା ସମ୍ଭାବନା ନାହିଁ । ଅନ୍ୟ ପଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାଲଟା ଜବାବ ଦେଇ ମୋଦି ସରକାରଙ୍କୁ ଦୁର୍ନୀତିଗସ୍ତର ଆଖ୍ୟା ଦେବାକୁ ପଛାଇଲେ ନାହିଁ । ସାଧାରଣତଃ ଦେଖାଦେଇ ଆସିଛି ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ହୁଅନ୍ତୁ ଯେତେବେଳେ ବି ନବୀନ ପଟ୍ଟନାୟକ କିମ୍ବା ତାଙ୍କ ସରକାରଙ୍କ ସମ୍ପର୍କରେ କଡ଼ା ମନ୍ତବ୍ୟ ଦେଇଛନ୍ତି ସେତେବେଳେ ନବୀନ କେବେହେଲେ ସଙ୍ଗେସଙ୍ଗେ ତାର ପାଲଟା ଜବାବ ଦେଇ ନଥାନ୍ତି । ନବୀନଙ୍କ ବଦଳରେ ଦଳର ମୁଖପାତ୍ରମାନେ ମତ ରଖିଥାନ୍ତି । ବିବାଦରୁ ସବୁବେଳେ ନିଜକୁ ନବୀନ ଦୂରେଇ ରଖିଥାନ୍ତି । କିନ୍ତୁ ଏଥର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ନବୀନ ପୁରାପୁରୀ ରାଜନୀତିକ ଆକ୍ରମଣ ମୁଡରେ ଆସିଛନ୍ତି । ତାଙ୍କୁ ଦୁର୍ନୀତିଗ୍ରସ୍ତ କହିଲା ପରେ ସେ ଆଉ ସ୍ଥିର ହୋଇ ରହିପାରିନାହାଁନ୍ତି । ଭାରତର ପ୍ରଧାନମନ୍ତ୍ରୀ ଆସିି ତାଙ୍କୁ ଏଠାରେ ଦୁର୍ନୀତିଗ୍ରସ୍ତ ଓ ପିସିର ସରକାର ବୋଲି କହିବା ଛୋଟିଆ କଥା ନୁହେଁ । ଗୋଟିଏ ରାଜ୍ୟ ସରକାରଙ୍କ ପାଇଁ ଏହା ବଡ଼ ଅପମାନଜନକ ଘଟଣା । ମୋଦିଙ୍କ ଆହ୍ୱାନରେ ନବୀନ ଆଉ ଚୁପ ହୋଇ ନ ବସି ଘରୁ ବାହାରି ପାଲଟା ଜବାବ ଦେଇଛନ୍ତି । ମୋଦିଙ୍କୁ ମଧ୍ୟ ଦୁର୍ନୀତିଗ୍ରସ୍ତ ସରକାର ଚଳାଇଥିବା କଥା କହିବାକୁ ପଛାଇ ନାହାଁନ୍ତି । ଦରଦାମ ନିୟନ୍ତ୍ରଣ କରି ନ ପାରି ଦେଶବାସୀଙ୍କୁ କ୍ଷତିରେ ପହଞ୍ଚାଇଥିବା କଥା କହିଛନ୍ତି ।
କୁହାଯାଉଛି ନବୀନ ଦୁର୍ନୀତି କଥା ଏଭଳି ଭାବରେ ଉପସ୍ଥାପନ କରିଛନ୍ତି ଏଥିରେ ଉଭୟ ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମାଡ଼ ଦେବା ପାଇଁ ମତ ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଦୁର୍ନୀତି କଥା କହି କଂଗେସ ଆଜି ପର୍ଯ୍ୟନ୍ତ ଯେଉଁ ରାଫେଲ ବିମାଣ କିଣାରେ ବ୍ୟାପକ ଘୋଟାଲା ହୋଇଥିବା କଥା କହୁଛି ସେ କଥା ନବୀନ ଉଠାଇ ନାହାଁନ୍ତି । ନବୀନ ସ୍କିଲ ଡେଭଲପମେଣ୍ଟ ଓ ଉଜ୍ଜ୍ୱଳା ଯୋଜନାରେ ଦୁର୍ନୀତି ଏବଂ ପେଟ୍ରୋଲ, ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧି କଥା ଉଠାଇଛନ୍ତି । ଏ ସବୁ ହେଉଛି ଧର୍ମେନ୍ଦ୍ରଙ୍କ ମନ୍ତ୍ରଣାଳୟର । ଧର୍ମେନ୍ଦ୍ର ହେଉଛନ୍ତି ଏ ସବୁ ବିଭାଗର ମନ୍ତ୍ରୀ । ଏଥିରେ ମୋଦିଙ୍କ ସରକାରରେ ଦୁର୍ନୀତି ଚାଲିଥିବା ଦର୍ଶାଇବା ସହ ଧର୍ମେନ୍ଦ୍ରଙ୍କ ଦୁର୍ନୀତି କଥା ମଧ୍ୟ ପଦାକୁ ଆଣିଛନ୍ତି । ଉଭୟ ମୋଦି ଓ ଧର୍ମେନ୍ଦ୍ରଙ୍କୁ ଆକ୍ଷେପ କରିବା ଭଳି ମତ ସେ ରଖିଛନ୍ତି ।
ମୋଦି ଜାଣିଶୁଣି ଓଡ଼ିଶାରେ ଆସି ଯେଉଁ ବକ୍ତବ୍ୟ ରଖିଲେ ସେଥିରେ ସମ୍ପୂର୍ଣ୍ଣ ଭାବରେ ଆସନ୍ତା ନିର୍ବାଚନ ପାଇଁ ଦଳୀୟ ନେତା ଓ କର୍ମୀମାନଙ୍କୁ ଉତ୍ସାହିତ କଲେ ଏବଂ ନିର୍ଦ୍ଦିଷ୍ଟ ବାର୍ତ୍ତାଦେଲେ । ବିଜେଡିର ଭୋଟ ବ୍ୟାଙ୍କ ଭାବେ ପରିଚିତ ଟଙ୍କିକିଆ ଚାଉଳ ଉପରେ ସେ ସିଧାସଳଖ ମାଡ଼ ମାରିଲେ । ପୂର୍ବରୁ ଧର୍ମେନ୍ଦ୍ର ଓ ଅନ୍ୟ ନେତାମାନେ ଟଙ୍କିକିଆ ଚାଉଳ କଥାକୁ ଜୋରଦାର କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ କହିବାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ରାଜ୍ୟର ଲୋକମାନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଜଣାଉଛନ୍ତି ଯେ, ସେମାନେ ଯେଉଁ କିଲୋ ୧ ଟଙ୍କାରେ ଚାଉଳ ପାଉଛନ୍ତି ସେଥିରେ କେନ୍ଦ୍ର ସରକାର ୨୫ ରୁ ୩୦ ଟଙ୍କା ଦେଉଛନ୍ତି । ଏଣୁ ଲୋକେ ଜାଣନ୍ତୁ ଏ ଯୋଜନାରେ ନବୀନ ପଟ୍ଟନାୟକଙ୍କ ସରକାରଙ୍କର କିଛି ବାହାଦୁର ନାହିଁ । ନବୀନଙ୍କ ତୁଳନାରେ ମୋଦି ଅଧିକ ଅର୍ଥ ଏହି ଯୋଜନାରେ ଓଡ଼ିଶାର ଗରୀବ ଲୋକଙ୍କ ପାଇଁ ଦେଉଛନ୍ତି । ଏପରି କି ଓଡ଼ିଶାରେ ଏକ ଦୁର୍ନୀତିଗସ୍ତ ସରକାର ଚାଲିଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହୁଛନ୍ତି । ବିନା ଲାଂଚରେ ଓଡ଼ିଶାର ଗରୀବ ଲୋକଙ୍କର କୌଣସି କାମ ହେଉନାହିଁ । କେନ୍ଦ୍ର ସରକାର ଯେଉଁ ସବୁ ଅର୍ଥ ଦେଉଛନ୍ତି ତାହା ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହେଉନାହିଁ । ଲୋକେ ତାର ସୁଫଳ ପାଉନାହାଁନ୍ତି । ଚାଷୀମାନଙ୍କୁ ସହାୟତା କରିବା ପାଇଁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସହାୟକ ମୂଲ୍ୟ କେନ୍ଦ୍ର ବଢ଼ାଇଥିଲେ ବି ତାର ସୁବିଧା ସେମାନଙ୍କୁ ମିଳୁନି । ଗରୀବ ଲୋକଙ୍କ କଲ୍ୟାଣରେ ନବୀନ ସରକାର ବାଧକ ସାଜିଛନ୍ତି । ସ୍ୱାସ୍ଥ୍ୟ ଯୋଜନାରେ ଯେଉଁ ଠି ଓଡ଼ିଶାରେ ଲୋକେ ଦେଶର ଯେକୌଣସି ସ୍ଥାନକୁ ଗଲେ ମାଗଣା ଚିକିତ୍ସା ସୁବିଧା ପାଇପାରିବେ ତାହା ନବୀନ ବନ୍ଦ କରିଦେଇଛନ୍ତି ।
ଓଡ଼ିଶାର ଲୋକେ ଏବେ ପରିବର୍ତ୍ତନ ଚାହିଁଲେଣି ସେଥିପାଇଁ ବହୁ ସଂଖ୍ୟାରେ ବିଜେପି ସମାବେଶରେ ସାମିଲ ହେଉଛନ୍ତି । ମୋଦିଙ୍କ ଏଭଳି ମତ ସ୍ପଷ୍ଟ କରୁଛି ଯେ, ଆଗାମୀ ନିର୍ବାଚନରେ ଉଭୟ ପରସ୍ପର ବିରୋଧରେ ଲଢ଼ିବେ ।
ନବୀନ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏବଂ ଅନାସ୍ଥା ପ୍ରସ୍ତାବରେ ଭାଗ ନ ନେଇ ପରୋକ୍ଷ ସମର୍ଥନ କରିବା ପରେ ଯେଉଁ ରାଜନୀତିକ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଥିଲା ମୋଦିଙ୍କ ଏହି ଭାଷଣ ଏବଂ ନବୀନଙ୍କ ପ୍ରତିଉତ୍ତର ପରେ ସେଥିରେ ପୂର୍ଣ୍ଣ ଛେଦ ପଡ଼ିଛି । ସିବିଆଇ ବିଭିନ୍ନ ମାମଲାରେ ଯାଞ୍ଚ କରୁଥିବାରୁ ନବୀନ ଚୁପ ହୋଇ ରହୁଥିବା କଥା ଯାହା ଆଲୋଚନା ହେଉଥିବା ତାର ମଧ୍ୟ ପରିସମାପ୍ତି ଘଟିଛି । କାରଣ ସେ ଭୟ ନବୀନଙ୍କର ଥିଲେ ହୁଏତ ନିଜେ ଆସି ସିଧା ସଳଖ ମୋଦିଙ୍କୁ ଜବାବ ଦେଇ ନଥାନ୍ତେ । ସେ ତାଙ୍କ ପୁରୁଣା ଷ୍ଟାଇଲରେ ଦଳର କୌଣସି ମୁଖପାତ୍ରଙ୍କ ମାଧ୍ୟମରେ ଜବାବ ରଖିଥାନ୍ତେ । ପରସ୍ପରକୁ ଆକ୍ଷେପ କରିବା ପରେ ଆଗକୁ ମୋଦି ଓ ନବୀନ ମୁହାଁମୁହିଁ ହେବାକୁ ଯାଉଥିବା ଏଥିରୁ ସ୍ପଷ୍ଟ ହେଉଛି । ଏଥି ସହ ମୋଦି ସମାବେଶରେ ଯୋଗ ଦେଇ ଆସନ୍ତା ନିର୍ବାଚନ ପାଇଁ ଏବେ ଠି ବିଗୁଲ ବଜାଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here