ରାଜନୀତି ପାଇଁ ଏଥର ମୋଦିଙ୍କ ଗସ୍ତର ପ୍ରଭାବ ଅଧିକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୁଣି ଓଡ଼ିଶାର ବଲାଙ୍ଗୀର ଗସ୍ତରେ ଆସୁଛନ୍ତି । ଅନ୍ୟ ଗସ୍ତ ତୁଳନାରେ ମୋଦିଙ୍କର ଏ ଗସ୍ତ ଉପରେ ବହୁ ଗୁରୁତ୍ୱ ରହିଛି । ରାଜନୈତିକ ମହଲ ଏହି ଗସ୍ତକୁ ଅନାଇ ବସିଛନ୍ତି । ଏହା ଉପରେ ଓଡ଼ିଶା ରାଜନୀତିରେ ଅନେକ କିଛି ପରିବର୍ତ୍ତନ ଘଟିବ । ବିଶେଷ କରି ମୋଦିଙ୍କ ଏହି ଗସ୍ତରେ ତାଙ୍କର ଭାଷଣ କଣ ରହିବ ତାହା ଉପରେ ସବୁ କିଛି ନିର୍ଭର କରିବ । ଅତିତର ଦୁଇଟି ଗସ୍ତ ସମୟରେ ମୋଦିଙ୍କ ଭାଷଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କ ପାଇଁ କୋହଳ ରହିଥିବା କଥା ବିରୋଧୀ କହୁଛନ୍ତି । ଏପରି କି ମୋଦିଙ୍କ କାସ ସମର୍ଥକ ସାଜିଥିବା ବୈଜୟନ୍ତ ପଣ୍ଡା ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି । କିନ୍ତୁ ବିଜେପି ନେତାମାନଙ୍କର ମତ ଭିନ୍ନ । ମୋଦି ତାଙ୍କ ଷ୍ଟାଇଲରେ ଯେପରି ସମାଲୋଚନା କରିବା କଥା କରିଛନ୍ତି ବୋଲି ବିଜେପି ନେତା କହୁଛନ୍ତି । ହେଲେ ବିରୋଧୀ ଏକଥା ମାନିବାକୁ ନାରାଜ । ସେଥିପାଇଁ ମୋଦିଙ୍କ ଏହି ଗସ୍ତର ଗୁରୁତ୍ୱ ଅଧିକ ବହନ କରୁଛି ବୋଲି କୁହାଯାଉଛି । ନବୀନଙ୍କ ପ୍ରତି କଣ ଆଭମୁଖ୍ୟ ଗ୍ରହଣ କରୁଛନ୍ତି ତାକୁ ନେଇ ସମସ୍ତେ ଅନାଇବସିଛନ୍ତି ।
ନୂଆ ମେଣ୍ଟ ଗଠନ କରିବା ପାଇଁ ଯାଉଥିବା ବିଜେପି ଓ ବିଜେଡିରୁ ଅଲଗା ହୋଇ ଥିବା ନେତାମାନଙ୍କ ଲାଗି ବିଶେଷ କରି ମୋଦିଙ୍କ ଏଥର ଗସ୍ତର ପ୍ରଭାବ ରହିଛି । ମୋଦି ଯଦି ଖୋର୍ଦ୍ଧା ଓ ବାରିପଦା ସମାବେଶରେ ଯେଉଁ ଢ଼ଙ୍ଗରେ ଉଦବୋଧନ ରଖିଥିଲେ ବଲାଙ୍ଗୀର ସମାବେଶରେ ଯଦି ସେହି ଧାରା ମୋଦି ବଜାଇ ରଖନ୍ତି ତାହାହେଲେ ଭିନ୍ନ ପରିସ୍ଥିତି ସୃଷ୍ଟି ହେବ । ବୈଜୟନ୍ତ ପଣ୍ଡା, ଡାକ୍ତର ଦାମୋଦର ରାଉତ, ଖାରବେଳ ସ୍ୱାଇଁ ଯେଉଁ ନୂଆ ମେଣ୍ଟ ପରିକଳ୍ପନାରେ ରହିଛନ୍ତି ସେମାନେ ଆଉ ବିଜେପି ସହ ଯାଇ ନପାରନ୍ତି । ଏହି ମେଣ୍ଟରେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ସାମିଲ ହୋଇ ମେଂଟ ଗଠନ କରି କଂଗ୍ରେସ ସହ ଯିବାର ସମ୍ଭାବନା ଅଧିକ । ସେମାନଙ୍କର ସ୍ପଷ୍ଟ ଧାରଣା ହୋଇଯିବ ଯେ, ବିଜେପି ଆଉ ଆସନ୍ତା ନିର୍ବାଚନରେ ବିଜେଡିକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ । କାଳେ କଂଗ୍ରେସ କ୍ଷମତାକୁ ଆସିଯିବ ସେଥିପାଇଁ ବିଜେପିର କେନ୍ଦ୍ରୀୟ ନେତା ନବୀନଙ୍କ ପ୍ରତି କଠୋର ହେବାକୁ ଚାହିଁବେ ନାହିଁ । ଏକଥା ସ୍ପଷ୍ଟ ହେବ ମୋଦିଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମରେ । ଏଠାରେ ଯଦି ମୋଦି ଝାରସୁଗୁଡ଼ା ଓ ତାଳଚେରଭଳି ନବୀନଙ୍କ ଉପରେ ବର୍ଷନ୍ତି ତେବେ ସ୍ଥିତି ବଦଳିଯିବ ବୋଲି କୁହାଯାଉଛି । ବିଜୟ ଓ ଦିଲ୍ଲୀପଙ୍କୁ ବାଦ ଦେଇ ଖାରବେଳ ଯେଉଁ ମେଣ୍ଟର ପରିକଳ୍ପନା କରିଥିଲେ ସେହି ମେଣ୍ଟ ଗଠନ ହୋଇ ବିଜେପି ସହ ଯିବ । ଏହାଦ୍ୱାରା ବିଜେପିକୁ ଆସନ୍ତା ନିର୍ବାଚନରେ ବିଜେଡି ବାଟ ରୋକିବା ପାଇଁ ସହାୟକ ହୋଇପାରିବ ।
ସବୁନେତା ଅପକ୍ଷୋ କରି ବସିଛନ୍ତି ମୋଦି ଏଥର କଣ କହିବେ । ବିଜେପି ନେତାମାନଙ୍କର ଯେଉଁ ଧାରଣା ରହିଛି ତାହା ବାସ୍ତବିକ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀଙ୍କ ଭଳି ଜଣେ ନେତା ବ୍ୟକ୍ତିଗତସ୍ତରକୁ ଯାଇ ବାରମ୍ବାର କାହାକୁ ସମାଲୋଚନା କରିବା ଠିକ ନୁହେଁ । ପ୍ରଧାନମନ୍ତ୍ରୀଙ୍କ ପାଇଁ ଶାଳିନତା ହେଉଛି ସବୁଠାରୁ ବଡ଼ କଥା । ସାଧାରଣ ନେତାଙ୍କ ଭଳି କଳିକଲା ଭଳି ବକ୍ତବ୍ୟ ନ ରଖି ଶାଳିନତା ଭିତରେ ରହି ମାଡ଼ ଦେବା ହେଉଛି ବୁଦ୍ଧିମାନର କାମ । ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପଦବୀର ଗାରିମା ମଧ ବଢ଼ିବ । କିନ୍ତୁ ରାଜନୀତିରେ ସବୁକିଛି ସମ୍ଭବ । ରାଜନୀତି ଏତେ ତଳସ୍ତରକୁ ଗଲାଣି ଯେ, ସମସ୍ତେ ଭିନ୍ନ ଚକ୍ଷୁରେ ଦେଖୁଛନ୍ତି । ପ୍ରତିପକ୍ଷକୁ କିଏ କେତେ ଗାଳି କରିପାରୁଛି ତାହା ହେଉଛି ମାପଦଣ୍ଡ । ଏହି ମାପଦଣ୍ଡକୁ ଧରି ବିରୋଧୀ ଚାଲିଛନ୍ତି । ମୋଦି ଖୋର୍ଦ୍ଧାସଭାରେ ଓ ବାରିପଦା ସଭାରେ ନବୀନଙ୍କ ନାଁ ନ ନେଇଥିଲେ ବି ଯେଉଁ ସବୁ ବକ୍ତବ୍ୟ ରଖିଥିଲେ ତାହା ନବୀନଙ୍କ ଉଦ୍ଦେଶ୍ୟରେ ହିଁ ଥିଲା । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ସରବ୍ୟ ସହି ନ ପାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଳମ୍ବ ନ କରି ମନ୍ତ୍ରିମଣ୍ଡଳରୁ ପ୍ରଦୀପ ମହାରଥୀଙ୍କୁ ହଟାଇଥିଲେ । ଏଣୁ ପ୍ରଧାନମନ୍ତ୍ରୀ ଯାହା କହିବେ ତାହାକୁ ଯେ ହାଲୁକା ଭାବେ ନିଆଯାଇ ପାରିବନି ଏହା ବୁଝିବା ଦରକାର । କିନ୍ତୁ ବିଜେପି ସହ ମେଣ୍ଟରେ ଯିବା ପାଇଁ ଚାହୁଁଥିବା ନେତାମାନେ ଭିନ୍ନ କଥା ଚାହୁଁଛନ୍ତି । ଏ କ୍ଷେତ୍ରରେ ସେମାନଙ୍କୁ ମୋଦି କେତେ ଉତ୍ସାହିତ କରୁଛନ୍ତି ବା ନିରାଶ କରୁଛନ୍ତି ତାହା ତାଙ୍କ ଗସ୍ତ ସମୟରେ ଜଣାପଡ଼ିବ ବୋଲି କୁହାଯାଉଛି ।