ଖଣି ଦୁର୍ନୀତି : ଫାଇନ୍ ଦେବେ ଲିଜଧାରୀ; ତ୍ରିବେଣୀ ଛୁ’

ଖଣି ଖୋଳ କରି ଧରାପଡିଲେ ଲିଜଧାରୀ।ଏବେ ଜରିମାନା ଗଣିବେ।ହେଲେ ଖଣି ଖେଳରେ ସବୁଠୁ ଅଧିକ ଫାଇଦା ପାଇଥିବା ତ୍ରିବେଣୀ ଏବେ ଛୁ’।ତ୍ରିବେଣୀକୁ ଖସାଇବା ଲାଗି ସିବିଆଇ ତଦନ୍ତକୁ ମଧ୍ୟ ନାକ ଟେକୁଛନ୍ତି ସରକାର ବୋଲି ଚର୍ଚ୍ଚା।ତ୍ରିବେଣୀ ପ୍ରେମରେ ଉବୁଟୁବୁ ସରକାର ଖଣି ଦୁର୍ନୀତିର ଅଠା ଲିଜଧାରୀଙ୍କ ମୁଣ୍ଡରେ ବୋଳି ନିର୍ବାଚନୀ ପାଣ୍ଠି ଯୋଗାଡରେ ବ୍ୟସ୍ତ।ଏହି ଖେଳରେ ପିଏମଓର ଜଣେ ପୂର୍ବତନ ଅଧିକାରୀ ବି ସାମିଲ ଅଛନ୍ତି ବୋଲି ଚାଲିଛି ଚର୍ଚ୍ଚା।

ଭୁବନେଶ୍ୱର: ଦେଶର ସବୁଠାରୁ ବଡ ଖଣି ଦୁର୍ନୀତି ଯେ ଓଡିଶାରେ ହୋଇଛି, ଏକଥାକୁ ସୁପ୍ରିମକୋର୍ଟ ସ୍ୱୀକାର କଲେ।୯ବର୍ଷ ଧରି ତଦନ୍ତ ଚାଲିଲା।ଶେଷରେ କୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ଲାଗି ଓଡିଶା ସରକାର ଖଣି ଲିଜଧାରୀଙ୍କ ଠାରୁ ୧୭ହଜାର ୫୭୬କୋଟି ଟଙ୍କା ଜରିମାନା ଆଦାୟ କରିବାକୁ ଅଣ୍ଟା ଭିଡିଛନ୍ତି।ତେବେ ପ୍ରକୃତ ଫାଇନର ପରିମାଣ ୫୯ହଜାର କୋଟି ଟଙ୍କା ବୋଲି ବିଜେପି କହୁଛି।ଖଣି ଲିଜଧାରୀଙ୍କ ବେଆଇନ କାରବାରକୁ ଘଣ୍ଟ ଘୋଡାଇବାକୁ ଓଡିଶା ସରକାର ମାତ୍ର ୧୭ହଜାର କୋଟି ଟଙ୍କାର ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ନେଇଛି ବୋଲି ବିଜେପିର ଅଭିଯୋଗ।ହେଲେ ଖଣି ଦୁର୍ନୀତିର ଅସଲ କାର୍ପଟଦାର କିଏ ସେକଥା ନା ବିଜେପି ନା ବିଜେଡି ସରକାର କେହି ବି କହୁନାହାନ୍ତି।ଏକଥା ସତ ଖଣି ଦୁର୍ନୀତିର ମୁଖ୍ୟ ଭିଲିଆନ୍ ହେଉଛନ୍ତି ଖଣି ଉତ୍ତୋଳନକାରୀ।ଯେଉଁମାନେ ଲିଜଧାରୀ ଠାରୁ କ୍ଷମତା ନେଇ ଅନୈତିକ ଭାବେ ଖନନ ଓ ଉତ୍ତୋଳନ କରୁଥିଲେ।ସେମାନେ ଖଣି ସୀମା ସରହଦ ଡେଇଁ ଖୋଳି କୋଟି କୋଟି ଟଙ୍କା ହରିଲୁଟ୍ କରିଛନ୍ତି।ଏଥିରେ ପ୍ରମୁଖ ଚେହେରା ତ୍ରିବେଣୀ ଆର୍ଥ ମୁଭର୍ସ ବୋଲି କୁହାଯାଉଛି।ତ୍ରିବେଣୀ ସଂସ୍ଥା ବିଶ୍ୱର ଏକ ଅଗ୍ରଣୀ ଖଣି ଉତ୍ତୋଳକାରୀ ଭାବେ ଜଣାଶୁଣା।ଖଣି ଲିଜଧାରୀଙ୍କ ଠାରୁ କମିସନ୍ ଆକାରରେ ନେଇ ସରକାରୀ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଜାଗାରେ ଖଣି ଖୋଳିଥିବା ଅଭିଯୋଗ ରହିଛି ଏହି ତ୍ରିବେଣୀ ବିରୋଧରେ। ଅନେକ ସ୍ଥାନରେ ବେଆଇନ୍ ଭାବେ ଖଣି ଜମିକୁ ପଦା କରିଥିବାର ଅଭିଯୋଗ ମଧ୍ୟ ଆସିଛି ତ୍ରିବେଣୀ ସଂସ୍ଥା ନାଁରେ।

ଠିକାରେ ଖଣି ଉତ୍ତୋଳନ ଦେବାକୁ ହୁଏତ ଲିଜଧାରୀଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ନଥିଲା।କାରଣ ଖଣି ଅଞ୍ଚଳରେ ଯେପରି ମାଫିଆ ରାଜ୍ ଚାଲିଲା, ସେସବୁର ମୁକାବିଲା କରିବା ଲାଗି ଖଣି ଲିଜଧାରୀଙ୍କ ପାଖରେ ବାହୁବଳର ଅଭାବ ଥିଲା।ଆଉ ପୋଲିସ ଓ ପ୍ରଶାସନର ନିରବତା ମଧ୍ୟ ଖଣି ମାଫିଆଙ୍କୁ ସୁହାଉଥିଲା।ଯେଉଁଥିପାଇଁ ଖଣି ଖନନ ଓ ଉତ୍ତୋଳନ ଲାଗି ଲିଜଧାରୀମାନେ ତ୍ରିବେଣୀ ଆର୍ଥ ମୁଭର୍ସ ପରି ସଂସ୍ଥା  ଉପରେ ନିର୍ଭର କଲେ।ଅର୍ଥ ଓ ବାହୁବଳର ଅଧିକାରୀ ତ୍ରିବେଣୀ ପରି ସଂସ୍ଥା ପ୍ରଶାସନକୁ ହାତ କରି ଠିକା ନେଇ ବର୍ଷ ବର୍ଷ ଧରି ଖଣି ଉତ୍ତୋଳନ-ପରିବହନ କାମ କରି ଚାଲିଲା।ତ୍ରିବେଣୀ ଆର୍ଥ ମୁଭର୍ସର ମୁଖିଆ ପ୍ରଭାକରନଙ୍କୁ ପରି ଚତୁର ଦକ୍ଷିଣ ଭାରତୀୟ, ବର୍ଷ କେଇଟାରେ ଓଡିଶାରେ ହୋଇଗଲେ ଖଣି ଜଗତର ବେତାଜ୍ ବାଦଶାହା।ବିଜେଡି ସରକାର ସହ ଉତ୍ତମ ସମ୍ପର୍କ ଯୋଗୁ ଖଣି ଲିଜ୍ ଅଞ୍ଚଳର ସୀମା ଅବା କଣ! ବେଆଇନ ଭାବେ ଖୋଳି ଚାଲିଲେ; ଆଉ ଏ ବାବଦରେ ହଜାର ହଜାର କୋଟି ଟଙ୍କା ଲୁଟି ନେଲେ ବୋଲି ଅଭିଯୋଗ ଆସିଲା ତ୍ରିବେଣୀ ବିରୋଧରେ। କିନ୍ତୁ ବେଆଇନ ଖଣି ଖନନ ଲାଗି ଫାଇନ୍ ଆଦାୟ ବେଳକୁ ତ୍ରିବେଣୀ ଗାଏବ।କାରଣ କାଗଜ କଲମରେ ତ୍ରିବେଣୀ ସଂସ୍ଥା ଖଣି ଲିଜଧାରୀ ନୁହେଁ।

୨୦୦୪ମସିହାରେ କେନ୍ଦୁଝର ଜିଲ୍ଲା ଯୋଡାରେ କାମ ଆରମ୍ଭ କରିଥିବା ଘରୋଇ ସଂସ୍ଥା ତ୍ରିବେଣୀ ଗ୍ରୁପ୍; ଓଡିଶା ମିନେରାଲ୍ କର୍ପୋରେସନ୍ ପରି ସରକାରୀ ସଂସ୍ଥା ଠାରୁ ବି ହାତେଇ ଥିଲା ଖଣି ଖନନର କଣ୍ଟ୍ରାକ୍ଟ।୨୦୦୫ ମସିହାରେ ତ ତ୍ରିବେଣୀ ଆର୍ଥ ମୁଭର୍ସକୁ ଆଇଏସ୍ଓ ସ୍ୱୀକୃତି ମିଳିଥିଲା।ହେଲେ ଚତୁର ପ୍ରଭାକରନ୍ ଧରାପଡିବା ଭୟରେ କୌଣସି ଖଣି ଲିଜରେ ନେଲେ ନାହିଁ; ବରଂ ଠିକାରେ ଖନନ ଓ ପରିବହନ କାର୍ଯ୍ୟ କଲେ।ତ୍ରିବେଣୀ ଆର୍ଥ ମୁଭର୍ସ ଠିକାରେ କାମ କରି ଠକି ଚାଲିଲା।ଆଉ ଖଣି ଖୋଳୁ ଖୋଳୁ ଜଙ୍ଗଲ ଜମି ଓ ଖଣିର ନିର୍ଦ୍ଧାରିତ ସୀମା କାଳେ ଲଙ୍ଘି ଯାଇଥିଲା।ତେବେ ଖଣି ଲିଜଧାରୀଙ୍କ ପାଇଁ ଯେଉଁ ଫାଇନ୍ ଆଦାୟ ପାଇଁ ସୁପ୍ରିମକୋର୍ଟ ସ୍ଥିର କରିଛନ୍ତି, ସେଥିରୁ ତ୍ରିବେଣୀ ଆର୍ଥ ମୁଭର୍ସ ବର୍ତ୍ତି ଯାଇଛି।ଏପରି ନୁହେଁ ଯେ ସବୁ ଖଣି ମାଲିକ ସ୍ୱଚ୍ଛ; ହେଲେ ତ୍ରିବେଣୀ ଆର୍ଥ ମୁଭର୍ସ ଖଣି ଲିଜଧାରୀଙ୍କୁ ଲଲିପପ୍ ଦେଇ ପୂରା ପଣସ ଖାଇ ଦେଇଥିବା କୁହାଯାଉଛି।ଆଉ ପଣସ ଅଠା ବୋଳି ଦେଇଛି ଲିଜଧାରୀଙ୍କ ମୁଣ୍ଡରେ। 

ଶୁଣିବାକୁ ମିଳିଛି, ପ୍ରଭାକରନଙ୍କୁ ବଞ୍ଚାଇବା ପାଇଁ ଉଭୟ ବିଜେଡି ଓ ବିଜେପି ଲବି କରୁଛନ୍ତି।କାରଣ ତ୍ରିବେଣୀ ଆର୍ଥ ମୁଭର୍ସ ନିର୍ଦ୍ଦେଶକ ହେଉଛନ୍ତି ପୂର୍ବତନ ପ୍ରଶାସକ ଅଶ୍ୱିନୀ ବୈଷ୍ଣବ।କଟକର ପୂର୍ବତନ ଜିଲ୍ଲାପାଳ ବୈଷ୍ଣବ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କର ବ୍ୟକ୍ତିଗତ ସଚିବ।ଏପରିକି ଗତ ମେ’ମାସରେ ନବୀନ ପଟ୍ଟନାୟକଙ୍କ ସହ ଅଶ୍ୱିନୀ ବାବୁ ଅସୁସ୍ଥ ବାଜପେୟୀଙ୍କୁ ଦେଖା କରିବାକୁ ଯାଇଥିଲେ।ତେଣୁ ବିଜେପି ଓ ବିଜେଡିର ବନ୍ଧ ବାନ୍ଧିଛନ୍ତି ତ୍ରିବେଣୀ ସହ ଜଡିତ ଥିବା ବୈଷ୍ଣବ ବାବୁ।ସେଥିଲାଗି ତ୍ରିବେଣୀ ଓ ପ୍ରଭାକରନଙ୍କ ବିରୋଧରେ ୮ବର୍ଷ ହେଲାଣି ଭିଜିଲାନ୍ସ ତଦନ୍ତର ରିପୋର୍ଟ ଆସି ପାରୁନାହିଁ ବୋଲି ଚର୍ଚ୍ଚା ହେଉଛି।ଆଉ ମୁଖ୍ୟମନ୍ତ୍ରୀଙ୍କ ସୁପର ପରାମର୍ଶଦାତା ଦକ୍ଷିଣୀ ପ୍ରଶାସକଙ୍କ ସହ ପ୍ରଭାକରନଙ୍କ ସମ୍ପର୍କ କୁଆଡେ ଭାରି ନିବିଡ। ଏପରିକି ଓଡିଶା ସରକାରଙ୍କର କିଏ ଆଇନ ପରାମର୍ଶଦାତା ହେବେ ସେସବୁର ନିଷ୍ପତ୍ତି ପ୍ରଭାକରନ ନେଉଥିବାର ଚର୍ଚ୍ଚା ହେଉଛି।

ସେପଟେ ଖଣି ଦୁର୍ନୀତିର ତଦନ୍ତ ସିବିଆଇ ଦ୍ୱାରା କରାଇବା ଲାଗି ଜଷ୍ଟିସ୍ ଶାହ କମିଶନଙ୍କ ସୁପାରିଶକୁ ଅଣଦେଖା କରୁଛନ୍ତି କେନ୍ଦ୍ର ସରକାର।ସିବିଆଇ ତଦନ୍ତ କଲେ ତ୍ରିବେଣୀର କଳା କାରନାମା ଧରାପଡିବ।ଏଥିପାଇଁ ତ୍ରିବେଣୀକୁ ବଞ୍ଚାଇବାକୁ ବୈଷ୍ଣବ ବାବୁ ସିବିଆଇ ତଦନ୍ତ ନ କରାଇବାକୁ ଲାଗି ଅନେକ ଫନ୍ଦି କରିଛନ୍ତି ବୋଲି ଚର୍ଚ୍ଚା।ପ୍ରଶ୍ନ ଉଠୁଛି, ଆଉ କେତେ ଦିନ ତ୍ରିବେଣୀ ଆର୍ଥ ମୁଭର୍ସକୁ ଘଣ୍ଟ ଘୋଡାଇବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର? ହୁଏତ ସିବିଆଇ ପଞ୍ଝାରୁ ଖସିବା ପ୍ରତିଦାନରେ ଆଗାମୀ ୨୦୧୯ ନିର୍ବାଚନରେ ବିଜେଡି ଓ ବିଜେପିକୁ ବଡଧରଣର ଆର୍ଥିକ ସହାୟତା ଦେଇପାରେ ତ୍ରିବେଣୀ ଆର୍ଥମୁଭର୍ସ ବୋଲି ଆଲୋଚନା ହେଉଛି !

 

LEAVE A REPLY

Please enter your comment!
Please enter your name here