“ମି ଠୁ”ଅଭିଯାନ: ଟାଟା ସନସ୍ କମ୍ପାନୀରୁ ବହିଷ୍କାର ହେଲେ ସୁହେଲ ସେଠ, ଏକା ସାଙ୍ଗରେ ୬ ଜଣ ମହିଳା ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ : “ମି ଠୁ” ଅଭିଯାନ ଆରମ୍ଭ ହେବା ପରେ ଦେଶରେ ଗୋଟେ ପ୍ରକାରର ଝଡ ସୃଷ୍ଟି ହେବା ସହ ଗୋଟେ ପରେ ଗୋଟେ ମାନ୍ୟଗନ୍ୟ ବ୍ୟକ୍ତି ଫସୁଥିିବାର ଦେଖିବାକୁ ମିଳୁୁଛି । ନାନା ପାଟେକରଙ୍କ ଠାରୁ ଆରମ୍ଭ କରି ଅନେକ ଶିଳ୍ପପତି ଓ ସାମ୍ବାଦିକ ମାନେ ମଧ୍ୟ ଏଥିରେ ଫସି ନିଜର ଅସ୍ତିତ୍ୱ ହରାଉଛନ୍ତି । ତେବେ ଏଥର ଜଣେ ଲେଖକ,ଅଭିନେତା ତଥା ଶିଳ୍ପପତି ଫଶିଥିବାର ଦେଖିବାକୁ ମିଳୁଛି । ଉକ୍ତ ଶିଳ୍ପପତି ହେଉଛନ୍ତି ଟାଟା ସନସ୍ କମ୍ପାନୀର ଜଣେ ବରିଷ୍ଠ ଶିଳ୍ପପତି ଅର୍ଥାତ ସୁହେଲ ସେଠ୍ । ସୁହେଲ କେବଳ ଶିଳ୍ପପତି ପାିଁ ନାହିଁ ବରଂ ତାଙ୍କ ଅଭିନୟ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ଥିଲେ । ସେ ହାତ ଗଣିତି କେତୋଟି ଫିଲ୍ମରେ ମଧ୍ୟ କାମ କରି ଖୁବ୍ ପ୍ରଶଂସା ସାଉଣ୍ଟିଛନ୍ତି ।୨୦୧୫ରେ କ୍ୟାଲେଣ୍ଡର ଗାର୍ଲ୍ସ ରେ କୁମାର କୁକ୍ରଜ୍, ୨୦୧୧ରେ ଜିନ୍ଦେଗୀ ନା ମିଲେଗୀ ଦୁବାରା ରେ ନତାଶାଙ୍କ ପିତା, ୨୦୧୦ରେ ଗୁଜାରିସ୍ରେ ଡା. ନାୟକ ଓ ୨୦୦୫ରେ ରୋଗ୍ ଫିଲ୍ମରେ ହର୍ସ ଭୁମିକାରେ ଅଭିନୟ କରି ଖୁବ୍ ପ୍ରଶଂସା ସାଉଣ୍ଟି ଥିଲେ । ତେବେ ସୁହେଲଙ୍କ ବିରୁଦ୍ଧରେ ୬ଜଣ ମହିଳା ଯୌନ ଉତ୍ପୀଡନର ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ମିଳିବା ପରେ ଟାଟା ସନସ୍ କମ୍ପାନୀ ତାଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରିଦେଇଥିବା ସୂଚନା ମିଳୁଛି ।
ସୂଚନାରୁ ପ୍ରକାଶ, ବିଗବସର ପୂର୍ବତନ ପ୍ରତିଯୋଗୀ ଡାୟେଣ୍ଡ୍ରା ସୋରସ, ଫିଲ୍ମ ନିର୍ମାତା ନତାଶା ରାଠୌର ଏବଂ ଲେଖିକା ଇରା ତ୍ରିବେଦୀଙ୍କ ସମେତ ୬ ଜଣ ମହିଳା ସୁହେଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଡାୟେଣ୍ଡ୍ରା ସୋରସ ସୂଚନା ଦେଇ କହିଛନ୍ତି ଯେ, ସେ ଏକ ପାର୍ଟିରୁ ଫେରୁଥିବା ବେଳେ ସୁହେଲ ତାଙ୍କ ସହ ଖରାପ ବ୍ୟବହାର କରିବା ସହ ଖରାପରେ ତାଙ୍କୁ ଏଠିସେଠି ଛୁଇଁବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ ସେ କିଛି ଦିନ ପୂର୍ବ ତାଙ୍କ ଫେସବୁକରେ କହିଥିଲେ ।
ତେବେ ଏ ସଂପର୍କରେ ସୁହେଲ କିଛି ବି ପ୍ରତିକ୍ରିୟା ରଖିବା ପୂର୍ବରୁ ହିଁ ତାଙ୍କୁ ଟାଟା ସନସ୍ କମ୍ପାନୀ ବହିଷ୍କାର କରିଦେଇଥିବାର ସୂଚନା ମିଳୁଛି ।