ସବୁ ସ୍ୱାମୀଙ୍କ ଲାଗି !

ଭୁବନେଶ୍ୱର : ସ୍ୱାମୀଙ୍କ ଉପରେ ହୋଇଥିବା ରାଜନୈତିକ ଆକ୍ରୋଶର ପ୍ରତିଶୋଧ ନେବା ଲାଗି ଓଡି଼ଶା ସରକାରଙ୍କ ଉପରେ ରାଗ ଶୁଝାଇଲେ ସ୍ତ୍ରୀ । ରାଜନୈତିକ କରିଡର ଓ କର୍ପୋରେଟ ଜଗତରେ ଏମିତି ଚର୍ଚ୍ଚା ଏବେ ଚର୍ଚ୍ଚା । ବିଜେଡିରୁ ନିଲମ୍ବିତ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏବେ ଦଳରେ ଏକ ଘରିକିଆ । ରାଜ୍ୟ ସ୍ୱାର୍ଥ କଥା କହୁଥିବା ବୈଜୟନ୍ତ ଓରଫ ଜୟ ପଣ୍ଡା ଯେ ବ୍ୟକ୍ତିଗତ ସ୍ୱାର୍ଥ ଲାଗି ରାଜ୍ୟ ସ୍ୱାର୍ଥକୁ ବଳି ଦେଇପାରନ୍ତି ସେକଥା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ରାଜନୈତିକ ପ୍ରତିଶୋଧ ନେବା ଲାଗି ନିଜ ପତ୍ନୀ ଜଗି ମଙ୍ଗତଙ୍କୁ, ଜୟ ଆଗକୁ ଠେଲି ଦେବାକୁ ନେଇ ଚାଲିଛି ଆଲୋଚନା । ଜୟଙ୍କ ଏକ ଜିଦିଆ ନିଷ୍ପତ୍ତି ଲାଗି କୁଆଡେ ପ୍ରତିଷ୍ଠିତ ଶିଳ୍ପପତି ଭାବେ ଜଣାଶୁଣା ଜଗିମଙ୍ଗତ ଏବେ ବିବାଦ ଘେରକୁ ଆସିଛନ୍ତି । ରାଜ୍ୟର ୩ହଜାର ପରିବାରକୁ କର୍ମସଂସ୍ଥାନ ଯୋଗାଉଥିବା ଜଗିଙ୍କ ଇମେଜ୍ରେ କଳା ଦାଗ ଲାଗିଛି । ମେକ୍ ଇନ ଓଡି଼ଶା କନକ୍ଲେଭର ତୃତୀୟ ସଂସ୍କରଣରୁ ସିଆଇଆଇ (ଭାରତୀୟ ଶିଳ୍ପ ମହାସଂଘ) ଦୂରେଇ ଯିବାକୁ ନେଇ ପଣ୍ଡା ଦମ୍ପତିଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ ।
ଏମିତି ଅଭିଯୋଗ ହେବା ବି ସ୍ୱଭାବିକ । କାହିଁକି ନା ପୂର୍ବରୁ ସିଆଇଆଇ, ମେକ୍ ଇନ ଓଡି଼ଶା କନକ୍ଲେଭର ସହଯୋଗୀ ଥିଲା । ଏଥର ବି ସହଯୋଗୀ ହେବାର ସ୍ୱିକୃତୀ ଦେବା ସହ ବଜେଟ୍ ଆସିଥିଲା ସିଆଇଆଇରୁ । ମେକ୍ ଇନ ଓଡି଼ଶା କନକ୍ଲେଭର ତୃତୀୟ ସଂସ୍କରଣ ଲାଗି ନିଜର କୋର୍ଡିିନେଟର ନିଯୁକ୍ତ ବି ସାରିଥିଲା ସିଆଇଆଇ । ହେଲେ ନିକଟରେ ଜୟଙ୍କ ଶିଳ୍ପପତି ପତ୍ନୀ ଜଗିମଙ୍ଗଗତ ପଣ୍ଡା ସିଆଇଆଇର ପୂର୍ବାଞ୍ଚଳ ଅଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି । ଆଉ ଏବେ ସିଆଇଆଇ ମେକ୍ ଇନ୍ ଓଡି଼ଶା କନକ୍ଲେଭରେ ଭାଗ ନନେବା ନିଷ୍ପତି ପଛରେ କୁଆଡେ ଜଗିଙ୍କର ହାତ ରହିଛି ବୋଲି ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ କହୁଛନ୍ତି । ଅବଶ୍ୟ ଜଗି ଏହାର ପ୍ରତିବାଦ ରଖିଛନ୍ତି । ସାମ୍ବାଦିକ ସମ୍ମିଳନୀ ନକରି ନିଜର ପ୍ରତିକ୍ରିୟା(ସାଉଣ୍ଡ ବାଇଟ୍) ଜଗି ବିଭିନ୍ନ ମିଡିଆ ହାଉସକୁ ପଠାଇ ଦେଇଛନ୍ତି । ସେଥିପାଇଁ ସନ୍ଦେହ ହେଉଛି ସିଆଇଆଇ ମେକ୍ ଇନ୍ ଓଡି଼ଶା କନକ୍ଲେଭରୁ ଦୂରେଇ ରହିବା ପଛରେ ପଣ୍ଡା ପରିବାରର ହାତ ନାହିଁ ତ! କାରଣ ଅଣଓଡି଼ଆ ଜଗିମଙ୍ଗତ ବହୁତ ଭଲ ଭାବରେ ଓଡି଼ଆ କହି ପାରନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିନା ଓଡି଼ଆରେ ଅତି ଦୁର୍ବଳ ଏବଂ ଭାଷଣ ଦେବାର ସାମର୍ଥ୍ୟ ନାହିଁ କହିଲେ ଭୁଲ ହେବନି । ହେଲେ ଓରଟେଲ୍ ଗ୍ରୁପ ଏବଂ ଓଟିଭିକୁ ପରିଚାଳନା କରୁଥିବା ଜଗିମଙ୍ଗତ ଜଣେ ଉଚ୍ଚକୁଟୀର ବକ୍ତା । ସେ ପ୍ରେସମିଟ୍ କରିବା ବଦଳରେ ନିଜର ରେର୍କଡେଡ୍ ପ୍ରତିକ୍ରିୟା ମିଡିଆକୁ କାହିଁକି ଦେଲେ ତାହା ବୁଝା ପଡୁନାହିଁ । ସିଆଇଆଇ କାହିଁକି ମେକ୍ ଇନ୍ ଓଡି଼ଶା କନକ୍ଲେଭରୁ ଓହରିଲା ତାଙ୍କ କୈଣସି ଭୂମିକା ନାହିଁ ବୋଲି ଜଗି କହିଲେ । ହେଲେ ତାଙ୍କ ପତିକ୍ରିୟା ଆସିବାର ୨୪ ଘଣ୍ଟା ମଧ୍ୟରେ ସିଆଇଆଇ ଓଡ଼ିଶା ଚାଫ୍ଟର ୨କର୍ମକର୍ତ୍ତା ଇସ୍ତଫା ଦେଲେ । ସିଆଇଆଇ ଓଡ଼ିଶା ଚାଫ୍ଟର ଅଧ୍ୟକ୍ଷ ଅରୁଣ ମିଶ୍ର ଓ ଉପାଧ୍ୟକ୍ଷ ସୁବ୍ରତ ତ୍ରୀପାଠୀ ତାଙ୍କ ପଦ ଛାଡି ସାରିଥିଲେ । ଯଦି ଏମାନଙ୍କ ସମ୍ମତିରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ସିଆଇଆଇ ଯୋଗ ନଦେବାକୁ ନିଷ୍ପତି ନେଇଥିଲା, ତେବେ ଅରୁଣ ମିଶ୍ର ଓ ସୁବ୍ରତ ତ୍ରୀପାଠୀ ଇସ୍ତଫା ଦେଲେ କାହିଁକି ବୋଲି ପ୍ରଶ୍ନ ଉଠିବା ସ୍ୱଭାବିକ । ଆଉ ଏହା ହିଁ ଜଗିଙ୍କ ଉତ୍ତର ଉପରେ ସନ୍ଦେହ ସୃଷ୍ଟି କରୁଛି ।

LEAVE A REPLY

Please enter your comment!
Please enter your name here