ବାଦଶାହା ଓ ଧକ ଧକ ଗାର୍ଲ ଓଡିଶାବାସୀଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ୱର : ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ ବଲିଉଡ କଳାକାର ଶାହାରୁଖ ଖାନ ଓ ମଧୁରୀ ଦୀଖୀତ ସାମିଲ ହେବା ପରେ ଆଜି ଧନ୍ୟବାଦ ଜଣାଇଛନ୍ତି । ବାଦଶାହ ଶାହରୁଖ ଖାନ୍ ଓଡ଼ିଶାବାସୀଙ୍କ ପ୍ରେମ ଓ ଶ୍ରଦ୍ଧା ପାଇଁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ପାଇଁ ଆନନ୍ଦ ପ୍ରକାଶ କରିଛନ୍ତି ବୋଲି ଦେଖିବାକୁ ମିଳୁଛି । ଟିମ୍ ଇଣ୍ଡିଆକୁ ମଧ୍ୟ ଚିଅର୍ ଅପ୍ କରିଛନ୍ତି ଶାହରୁଖ ଖାନ । ସେହିପରି ମାଧୁରୀ ମଧ୍ୟ ଓଡ଼ିଶାବାସୀଙ୍କ ପ୍ରେମ ଓ ସମ୍ମାନ ପାଇଁ ଧନ୍ୟବାଦ ଜଣାଇବା ସହ ହକି ବିଶ୍ୱକପର ଗ୍ରାଣ୍ଡ ଓପନିଂ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଭାରତୀୟ ହକି ଟିମକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମାଧୁରୀ । ବଲିଉଡ ବାଦଶାହା ଶାହାରୁଖ୍ ଖାନ୍, ମାଧୁରୀ ଦୀକ୍ଷିତ, ଏଆର ରେହେମାନଙ୍କ ସହ ବିଶ୍ୱ ହକିର ଶ୍ରେଷ୍ଠ ଖେଳାଳିଙ୍କ ଉପସ୍ଥିତିରେ ୨୦୧୮ ବିଶ୍ୱକପ୍ ହକିର ବିଗୁଲ୍ ବାଜିଛି । ଦୁନିଆର ଶ୍ରେଷ୍ଠ ୧୬ଟି ଦଳ, ୧୦ ହଜାରରୁ ଅଧିକ ଦର୍ଶକ, ହଜାର ହଜାର କଳାକାର ଏବଂ ଟିଭି ଜରିଆରେ ଦେଖୁଥିବା ଅଗଣିତ ଦର୍ଶକ ଏହି ଐତିହାସିକ ମୁହୁର୍ତର ସାକ୍ଷୀ ହୋଇଛନ୍ତି । ଉଦ୍ଘାଟନୀ ଉତ୍ସବରେ ବଲିଉଡ ବାଦଶାହାଙ୍କ ଜଲୱା ଦେଖିବାକୁ ମିଳିଥିଲା । ଭୁବନେଶ୍ୱରରେ ହକିର ଏହି ବର୍ଣ୍ଣାଢ଼୍ୟ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରେମ ଓ ସ୍କୁଲ ଦିନର ସ୍ମୃତିକୁ ତାଜା କରି ଦେଇଥିଲେ ଶାହାରୁଖ୍ ଖାନ୍ । ନବୀନ ପଟ୍ଟନାୟକ ସ୍କୁଲ ଦିନରେ ହକି ଖେଳୁଥିଲେ ଏବଂ ସ୍କୁଲ ଟିମରେ ଗୋଲ କିପର ଥିବା କଥାକୁ ମଂଚ ଉପରେ ବାଂଟିଥିଲେ ଶାହାରୁଖ୍ ଖାନ । ସେହିପରି ଯୁବପୀଢ଼ିଙ୍କୁ ହକି ଖେଳିବାକୁ ପରାମର୍ଶ ଦେବା ସହ ସମର୍ଥକଙ୍କୁ ପ୍ରରଣାଦାୟୀ ବାର୍ତା ଦେଇ କହିଛନ୍ତି- ଦେଶର ଶ୍ରେଷ୍ଠ ହକି ଖେଳାଳି ସୃଷ୍ଟି କରିଥିବା ଭୂମି ହେଉଛି ଓଡ଼ିଶା ଏବଂ ଶେଷରେ ଚକ୍ ଦେ’ ଇଣ୍ଡିଆର ଡାଇଲଗ୍ କହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ବଲିଉଡ କିଙ୍ଗ ଖାନ ଶାହାରୁଖ ଖାନ ।
ସେହିପରି ମାଧୁରୀଙ୍କ ମନଛୁଆଁ ନୃତ୍ୟରେ ଝୁମିଥିଲେ ଦର୍ଶକ । ୮ଶହ କୁନି କଳାକାରଙ୍କ ମଝିରେ ମଦର ଆର୍ଥ ହୋଇ ବିଶ୍ୱକୁ ଏକତାର ବାର୍ତା ଦେଇଥିଲେ ବଲିଉଡ୍ର ଧକ୍ ଧକ୍ ଗାର୍ଲ ମାଧୁରୀ । ସାମକ ଡାଭରଙ୍କ କୋରିଅଗ୍ରାଫି ଏବଂ ରନଜିତ ବାରୋଟଙ୍କ ସଙ୍ଗିତରେ ନାଚିଥିଲେ ମାଧୁରୀ ଦୀକ୍ଷିତ । ଏହାର ନିର୍ଦ୍ଦେଶନା ଦେଇଥିଲେ ନୁପୁର ମହାଜନ । ଦେଶୀ ଓ ବିଦେଶୀ ଫର୍ମରେ ନୃତ୍ୟ ପରିବେଶଣ କରିଥିଲେ ମାଧୁରୀ ଏବଂ ତାଙ୍କ ଟିମ୍ । ତେବେ ହକି ଦେଖିବାକୁ ଯେତିକି କ୍ରେଜ ନଥିଲା ସେତିକି ଏହି କଳାକାରଙ୍କୁ ଦେଖିବାକୁ କ୍ରେଜ ଥିଲା ବୋଲି ଶୁଣିବାକୁ ମିଳୁଛି |