ପ୍ରେମିକା ସାମନାରେ ବିଷ ପିଇ ଆତ୍ମହତ୍ୟା କଲା ପ୍ରେମିକ

ହରିଚନ୍ଦନପୁର: ପ୍ରେମିକା ସାମନାରେ ବିଷ ପିଇ ଆତ୍ମହତ୍ୟା କରିଛି ଜଣେ ପ୍ରେମିକ | ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମରେ | ସୂଚନାନୁଯାୟୀ, ଆନନ୍ଦପୁର ନିକଟସ୍ଥ କୋଡପଡା ଗ୍ରାମର ଦୈତାରୀ ବେହେରାଙ୍କ ଝିଅ ଶକୁନ୍ତଳା ବେହେରା ଉକ୍ତ ଗ୍ରାମରେ ଶିକ୍ଷଯତ୍ରୀ ରୂପେ ରହୁଥିଲେ | ରବିବାର ଦିନ ବିଳମ୍ବିତ ରାତିରେ କୈାଣସି କାରଣରୁ ବିଷ ପିଇ ପ୍ରେମିକ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ଶକୁନ୍ତଳା ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିବା ପୂର୍ବରୁ ଆନନ୍ଦପୁର ନିକଟସ୍ଥ ବେଲବାହାଳୀ ଗ୍ରାମର ପିଉସୀଙ୍କ ଘରେ ରହୁଥିଲେ । ସେହି ଗ୍ରାମର ବଟ ଦେହୁରୀଙ୍କ ବଡ ପୁଅ ମନୋଜ ଦେହୁରୀ(୨୩)ଙ୍କ ସହ ଶକୁନ୍ତଳାଙ୍କ ନିବିଡ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶକୁନ୍ତଳାଙ୍କ ସହ ମନୋଜଙ୍କର ଆନନ୍ଦପୁର କୋର୍ଟରେ ବିବାହ ମଧ୍ୟ ହୋଇଥିବାର ସୂଚନା ମିଳିଛି | ଏପରିକି ମନୋଜ ଅନେକ ସମୟରେ ଶକୁନ୍ତଳାଙ୍କ ଭଡ଼ା ଘରକୁ ଆସି ଦିନଦିନ ରହିଥାନ୍ତି । ସେହି ପ୍ରେମ ସମ୍ପର୍କରେ କୌଣସି କାରଣରୁ ଫାଟ ସୃଷ୍ଟି ହୋଇଥିଲା, ତାହାକୁ ନେଇ ମନୋଜ ରବିବାର ଦିନ ଶକୁନ୍ତଳାଙ୍କ ଭଗାମୁଣ୍ଡା ଭଡାକୁ ଆସି ରାତ୍ରି ଭୋଜନ ସାରି ଶୋଇବା ସମୟରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ମନୋଜଙ୍କ ମାଆ ଜାଡି ଦେହୁରୀ ହରିଚନ୍ଦନପୁର ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ସୂଚନା ମିଳିଛି |