ଏପ୍ରିଲ ୮ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଲୋକାୟୁକ୍ତ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୮ରୁ ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ ଲୋକାୟୁକ୍ତ । ଲୋକାୟୁକ୍ତ ନିଯୁକ୍ତି ପକ୍ରୀୟା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ ହେବ । ଏ ନେଇ ସୁପ୍ରିମକୋର୍ଟରେ ଆଜି ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁପ୍ରିମକୋର୍ଟରେ ହାଜର ହୋଇ ଏ ନେଇ ସତ୍ୟପାଠ ଦେଇଛନ୍ତି । ମଙ୍ଗଳବାର ଲୋକାୟୁକ୍ତ ଚୟନ କମିଟିର ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଅନୁଷ୍ଠିତ ହେବ । କିଏ ଲୋକାୟୁକ୍ତ ହେବେ ସେ ନେଇ ଏହି ବୈଠକରେ ଆଲୋଚନା କରାଯିବ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଲୋକାୟୁକ୍ତ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ରାଜ୍ୟଭାବେ ଓଡ଼ିଶା ଆଗେ ୨୦୧୪ ଫେବ୍ରୁଆରୀ ୧୪ରେ ବିଧାନସଭାରେ ଲୋକାୟୁକ୍ତ ନିଯୁକ୍ତି ବିଲ ପାସ କରିଥିଲେ । ଏହି ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ରାଜ୍ୟ ସରକାର ପଠାଇଥିଲେ । ରାଷ୍ଟ୍ରପତି ୨୦୧୪ ଡିସେମ୍ବରରେ ଏହାକୁ ଅନୁମୋଦନ ଦେଇଥିଲେ । ହେଲେ ଇତିମଧ୍ୟରେ ୪ ବର୍ଷ ବିତିଯାଇଥିଲେ ବି ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତ କରିବାରେ ସମର୍ଥ ହୋଇନାହାଁନ୍ତି । ବିଭିନ୍ନ ଆଳରେ ସମୟ ଗଡ଼ାଇ ଚାଲିଛନ୍ତି । ଶେଷରେ ଗତ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଶୀଘ୍ର ନିଯୁକ୍ତି ନେଇ ନିର୍ଦ୍ଦେଶ ଦେବା ସହ ତାଗିତ କରିଥିଲେ । କେବେ ଲୋକାୟୁକ୍ତ ନିଯୁକ୍ତ ହେବେ ସେ ନେଇ ନିର୍ଦ୍ଦିଷ୍ଟ ଭାବେ ସମୟସୀମା ଧାର୍ଯ୍ୟ କରି କୋର୍ଟଙ୍କୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି କୋର୍ଟରେ ଏହାର ଶୁଣାଣି ହେଲା ବେଳେ ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରାସଦ ପାଢ଼ୀ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରି ପ୍ରକ୍ରୀୟା ସମ୍ପର୍କରେ କୋର୍ଟଙ୍କୁ ଜଣାଇଛନ୍ତି । ଏପ୍ରିଲ ୮ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିଥିଲେ ।
ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକ ବସିବ । ଏଥିରେ ବାଚସ୍ପତି ପ୍ରଦୀପ ଅମାତ, ବିରୋଧୀଦଳ ନେତା ନରଂସିହ ମିଶ୍ର, ହାଇକୋର୍ଟର ମୁଖ୍ୟ ବଚିଚାରପତି ଓ ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଅନଙ୍ଗ ପଟ୍ଟନାୟକ ଯୋଗଦେବେ । ଏହି ବୈଠକ ରାଜ୍ୟ ଅତିଥିଭବନରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିବା ଜଣାପଡ଼ିଛି ।

ସ୍କୁଲଗୁଡ଼ିକରେ ଲାଗୁ ହେବ ଅନଲାଇନ୍ ମନିଟରିଂ ଜିପିଏସ ବ୍ୟବସ୍ଥା