You are here
Home > ବଡ଼ଖବର > ଅନ୍ତିମ ଯାତ୍ରାରେ ଅଟଳ

ଅନ୍ତିମ ଯାତ୍ରାରେ ଅଟଳ

ଭୁବନେଶ୍ୱର: ଆଉ ଦେଶବାସୀଙ୍କ ଗହଣରେ ନାହାନ୍ତି ଭାରତରତ୍ନ, ପଦ୍ମବିଭୂଷଣ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ । ଆଜି ତାଙ୍କର ମର ଶରୀର ଅନ୍ତିମ ସଂସ୍କାର ପୂର୍ବରୁ ଶେଷ ଦର୍ଶନ ପାଇଁ ଦିଲ୍ଲୀ ଛୁଟିଛନ୍ତି ଦେଶ, ବିଦେଶର ନେତା ଓ ବିଶିଷ୍ଟ ବ୍ୟକ୍ତି । ଦେଶର କୋଣ ଅନୁକୋଣରୁ ବି ତାଙ୍କୁ ଟିକେ ଦେଖିବା ପାଇଁ ଦଳମତ ନିର୍ବିଶେଷରେ ନେତାମାନେ ଧାଇଁଛନ୍ତି । ୯୩ ବର୍ଷ ବୟସରେ ସେ ଦିଲ୍ଲୀର ଏମ୍ସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁବାର ଅପରାହ୍ନରେ ତାଙ୍କର ବିୟୋଗ ଖବର ଶୁଣିବା ପରେ ଦେଶବାସୀ ସ୍ତବ୍ଧ ହୋଇଯାଇଥିଲେ । ଡାକ୍ତରଖାନାରେ ଯେତେବେଳେ ସେ ମୃତ୍ୟୁ ସହ ସଂଗ୍ରାମ ଚଳାଇଥିଲେ ସେ ସମୟରେ ଦେଶର କୋଣ ଅନୁକୋଣରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ହୋମଯଜ୍ଞ ଓ ପୂଜାପାଠ ଚାଲିଥିଲା । ହେଲେ ସେସବୁକୁ ପଛରେ ପକାଇ ସେ ଚାଲିଯାଇଥିଲେ ଆରପାରିକୁ । କିନ୍ତୁ ଅଟଳ ସିନା ଟଳିଲେ କିନ୍ତୁ ଦେଶବାସୀଙ୍କ ମନରେ ଭରିଦେଲେ ଶୋକ । ସେ ଜଣେ ଅଜାତ ଶତ୍ରୁ ଥିଲେ । ସମସ୍ତେ ତାଙ୍କ ବିୟୋଗରେ ମ୍ରିୟମାଣ ହୋଇଛନ୍ତି । ତାଙ୍କ ଶେଷ ଦର୍ଶନ କରିବା ପାଇଁ ଗତକାଲି ଏମ୍ସରେ ପ୍ରଥମେ ତାଙ୍କ ବାସଭବନକୁ ନିଆଯାଇଥିଲା । ଆଜି ପୂର୍ବାହ୍ନରେ ତାଙ୍କୁ ବିଜେପି କାର୍ଯ୍ୟାଳୟ ଆଣି ରଖାଯାଇଛି । ଅପରାହ୍ନରେ ସ୍ମୃତିସ୍ଥଳରେ ହେବ ଅନ୍ତିମ ସଂସ୍କାର । ତାଙ୍କ ମୃତ୍ୟୁ ଖବର ପରେ ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଜାତୀୟ ପତାକା ଅର୍ଦ୍ଧନମିତ ହୋଇଛି । ଓଡ଼ିଶା ସମେତ ୧୦ଟି ରାଜ୍ୟରେ ଛୁଟି ଘୋଷଣା କରାଯାଇଛି । ସେ ସିନା ଚାଲିଯାଇଛନ୍ତି କିନ୍ତୁ ଦେଶବାସୀଙ୍କ ମନରେ ଅମର ହୋଇ ରହିଯାଇଛନ୍ତି ।
ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ କେବଳ ଦେଶର ପ୍ରତିଷ୍ଠ ନେତାମାନେ ନୁହଁନ୍ତି ସୁଦୁର ବିଦେଶରୀ ଧାଇଁ ଆସୁଛନ୍ତି ନେତା । ଭୂଟାନ ରାଜା ଜିମ୍ନେ ଖେସର ନାମଗୟେଲ ବାଙ୍କଚୁକ, ନେପାଳର ବୈଦେଶିକ ମନ୍ତ୍ରୀ ପିକେ ଗ୍ୱାଲ, ଶ୍ରୀଲଙ୍କାର କାର୍ଯ୍ୟକାରୀ ବୈଦେଶିକମନ୍ତ୍ରୀ ଲକ୍ଷ୍ମଣ କଲ୍ଲା, ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଅବଦୁଲ ହସନ ମହମ୍ମୁଦ ଅଲ୍ଲୀ ଓ ପାକିସ୍ତାନର ଆଇନମନ୍ତ୍ରୀ ଅଲୀ ଜାଫର ପ୍ରମୁଖ ଆସୁଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, କେନ୍ଦ୍ରମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓ ଦଳର ବରିଷ୍ଠ ନେତା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସିପିଆଇ, ସିପିଏମ୍ର ବରିଷ୍ଠ ନେତା ପ୍ରମୁଖ ଶେଷ ଦର୍ଶନ କରିବା ସହ ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି । ଶେଷ ଦର୍ଶନ ପାଇଁ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମଧ୍ୟ ଆଜି ଦିଲ୍ଲୀ ଯାଇଛନ୍ତି ।
ଦେଶ ଜଣେ ମହାନ ରାଷ୍ଟ୍ରୀନୀତିଜ୍ଞ, ବିଚକ୍ଷଣ ବାଗ୍ମୀ, ପ୍ରଖ୍ୟାତ କବିଙ୍କୁ ହରାଇ ଶୋକାଭିଭୁକ୍ତ ହୋଇପଡ଼ିଛି । ତାଙ୍କ ମୃତ୍ୟୁରେ ରାଜନୀତିର ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ ଘଟିଛି । ସେ ଏକ ଲମ୍ବା ସମୟ ଧରି ବିରୋଧୀଦଳ ନେତା ଭାବେ କାର୍ଯ୍ୟ କରିଥିଲେ । ୩ ଥର ପ୍ରଧାନମନ୍ତ୍ରୀ ପଦ ଅଳଂକୃତ କରିଥିଲେ । ତାଙ୍କ ଲୋକପ୍ରିୟତା ଥିଲା ଅସୀମ । ରାଜନୀତିରେ ବେଶ ପାରଙ୍ଗମ ଏହି ମହାନ ନେତା ଦେଶ ବିକାଶ ଉପରେ ତାଙ୍କର ଥିଲା ଲକ୍ଷ୍ୟ । ସଂକୀର୍ଣ୍ଣ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ବିରୋଧୀଙ୍କୁ ଦେଉଥିଲେ ଅଧିକ ସମ୍ମାନ । ତାଙ୍କର ପ୍ରତିଟି କାର୍ଯ୍ୟଧାରା ସମସ୍ତଙ୍କ ମନରେ ରେଖାପାତ କରିବ ।

Loading...
ONA

Leave a Reply

Top