ଏକାଠି ହେବା ପକ୍ରିୟା ଆରମ୍ଭ ହୋଇଛି, ଖାରବେଳ ଦେଲେ ସୂଚନା

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଟ ରୋକିବା ପାଇଁ ଏକ ମହାମେଂଟ ପରିକଳ୍ପନା ଏବଂ ଖୁବ ଶୀଘ୍ର ଏହା ରୂପରେଖ ନେଉଥିବା ନେଇ ଉକ୍ରଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଖୋଲାଖୋଲି କହିଛନ୍ତି । ବିଜୁ ପରିବାର ଏକାଠି ହେଉଥିବା ନେଇ ଆଜି “ଓଏନଏ”ରେ ଖବର ପ୍ରସାର କିଛି ଘଣ୍ଟା ପରେ ବାସ୍ତବରେ ସେମାନେ ଏକାଠି ହେବାକୁ ଯାଉଥିବା ଖାରବେଳ ସ୍ୱାଇଁ ମତ ରଖିଛନ୍ତି । ଏହି ସମ୍ଭାବନା ଅଧିକ ବୋଲି ମଧ୍ୟ ବରିଷ୍ଠ ନେତା ଡା. ଦାମୋଦର ରାଉତ ଓ ବ୍ରଜକିଶୋର ତ୍ରିପାଠୀ ମଧ୍ୟ ସ୍ୱୀକାର କରିଛନ୍ତି । ସେମାନେ ବୈଜୟନ୍ତ ପଣ୍ଡାଙ୍କ ଫର୍ମୁଲାକୁ ଗ୍ରହଣ କରିଛନ୍ତି । ବୈଜୟନ୍ତଙ୍କ ଫର୍ମୁଲା ବାସ୍ତବିକ କାର୍ଯ୍ୟକାରୀ ହେବ ବୋଲି ସ୍ୱୀକାର କରିବାକୁ ପଛେଇ ନାହାନ୍ତି ।
ବୈଜୟନ୍ତ ନିକଟରେ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ କହିଛନ୍ତି ଯେ, ବିଜୟ ମହାପାତ୍ର , ଦିଲ୍ୀପ ରାୟ ଓ ଡା. ଦାମୋଦର ରାଉତଙ୍କ ଭଳି ବିଜୁ ପରିବାରର ନେତାମାନେ ଏକାଠି ହେବେ ତେବେ ଓଡିଶାରେ ନବୀନ ପଟ୍ଟନାୟକଙ୍କ ବାଟକୁ ରୋକି ପାରିବେ । ଏହାର ବାସ୍ତବତା ସମ୍ପର୍କରେ ଦର୍ଶାଇବାକୁ ଯାଇ ଏହା ପଛରେ ଥିବା କାରଣ ସେ ଉଲ୍ଲେଖ କରିଛନ୍ତି । ତାଙ୍କ ମତ ହେଲା ଗତ ନିର୍ବାଚନରେ ବିଜେଡି ରାଜ୍ୟରେ ବହୁ ଅଧିକ ସଫଳତା ପାଇଛି, ଏଥିରେ ସନ୍ଦେହ ନାହିଁ । କିନ୍ତୁ ୩୫ ପ୍ରତିଶତ ଆସନରେ ଖୁବ କମ ଭୋଟ ବ୍ୟବଧାନରେ ଜିତିଛି । ଏଣୁ ଏହି ଆସନ ଗୁଡିକକୁ ଟାର୍ଗେଟ କରି ମେଂଟ ଗଠନ କରାଯାଇ ଲଢାଗଲେ ସ୍ଥିତି ବଦଳିବ । ଏହି ବିଷୟକୁ ଆଧାର କରି “ଓଏନଏ”ରେ ପୁରୁଣା ବିଜେଡି ନେତାମାନେ ଏକାଠୀ ହେବାକୁ ଯାଉଥିବା ଓ ସେମାନଙ୍କ ଭିତରେ ଆଲୋଚନା ଆରମ୍ଭ ହୋଇଯାଇଥିବା ଦର୍ଶାଯାଇଛି । ଡା.ରାଉତ, ଶ୍ରୀ ତ୍ରିପାଠୀ ଓ ଶ୍ରୀ ଖାରବେଳଙ୍କ ମତ ଏହି ଅଧିକ ସ୍ପଷ୍ଟ କରିଛି ।
ଡା.ରାଉତ କହିଛନ୍ତି, ସମସ୍ତେ ସହମତ ହୋଇ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଯଦି ଏକାଠି ହୁଅନ୍ତେ ତେବେ ନବୀନ ପଟ୍ଟନାୟକ ନିର୍ବାଚନରେ ଧରାଶାୟୀ ହୁଅନ୍ତେ । ସେହିପରି ସମତାକ୍ରାନ୍ତିର ସଭାପତି ତଥା ଅନ୍ୟତମ ବୁଜୁ ଅନୁଗତ ବ୍ରଜ କିଶୋର ତ୍ରିପାଠୀ କହିଛନ୍ତି ଯାହା କୁହାଯାଇଛି ତାହା ଭୁଲ ନୁହେଁ । ଏହା ସମ୍ଭବ । ଏକାଠି ହୋଇପାରିଲେ ପରିବର୍ତ୍ତନ ସମ୍ଭବ । ପରିବର୍ତ୍ତନ ଅସମ୍ଭବ ନୁହେଁ । କାରଣ ଲୋକେ ଗୋଟେ ପରିବର୍ତ୍ତନ ଚାହୁଁଛନ୍ତି । ଖାରବେଳ ସ୍ୱାଇଁ କହିଛନ୍ତି ନବୀନ ପଟ୍ଟନାୟକଙ୍କର ଯେଉଁ ଭ୍ରଷ୍ଟାଚାରୀ ଓ ଅପାରଗ ସରକାର ଅଛି ଆମେ ତା ବିରୋଧରେ ଲଢିବୁ । ଆମେ ସମସ୍ତେ ମିଶି ଏକ ନବୀନ ବିରୋଧୀ ମେଂଟ ଗଠନ କରିବୁ । ଏଥିନେଇ ଆମ ଭିତରେ କଥା ବାର୍ତ୍ତା ଚାଲିଛି । ଏହା ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।
ଏଥିରୁ ସ୍ପଷ୍ଟ ହେଉଛି ଯେ, ଆଗକୁ ବିଜୁ ଅନୁଗତମାନେ ଯେଉଁମାନେ ବିଜେଡିରୁ ବିଭିନ୍ନ ସମୟରେ ବାଦ ପଡିଛନ୍ତି ସେମାନେ ଏକାଠୀ ହେବାରେ ଲାଗିଛନ୍ତି । ଖାରବେଳ ସ୍ୱାଇଁଙ୍କ କଥାରୁ ଜଣାପଡୁଛି ତାଙ୍କର ମଧ୍ୟ ବିଜେଡି ପ୍ରତି ଆଭିମୁଖ୍ୟର ପରିବର୍ତ୍ତନ ହୋଇଛି । ଏଣୁ ବର୍ତ୍ତମାନ ସବୁ ନେତାଙ୍କର ଗୋଟିଏ ଲ କ୍ଷ କିପରି ଏକ ମହାମେଣ୍ଟ ଗଠନ କରାଯିବ । ଏଥିରେ କେବଳ ବିଜୁବାବୁ ଅନୁଗତ ନୁହଁନ୍ତି ଖାରବେଳଙ୍କ ଭଳି ଅଣବିଜୁ ପରିବାର ନେତାମାନେ ବି ସାମିଲ ହେବେ । ଏକ ବଡଧରଣର ମେଣ୍ଟ ପାଇଁ ଆଲୋଚନା ବଢିଛି । ଏଥିରେ ଡା.ଦାମୋଦର ରାଉତ, ବ୍ରଜକିଶୋର ତ୍ରିପାଠୀ, ବିଜୟ ମହାପାତ୍ର, ପଞ୍ଚାନନ କାନୁନଗୋ, ଖାରବେଳ ସ୍ୱାଇଁ ଓ ଦିଲ୍ଲୀପ ରାୟ ପ୍ରମୁଖ ଆଗ ଧାଡିର ନେତାମାନେ ସାମିଲ ହେବେ ।
ଏପରିକି କୁହାଯାଉଛି, ବିଜୟ ମହାପାତ୍ର ଓ ପଞ୍ଚାନନ କାନୁନଗୋଙ୍କ ମଧ୍ୟରେ ଆଲୋଚନା ହୋଇଛି । ମେଣ୍ଟ ରୂପରେଖ ନେଇ ଆଲୋଚନା ଜାରି ରହିଛ ବୋଲି କୁହାଯାଉଛିି ।

2 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here