ସରିଲା ପ୍ରଚାର : ୧୨ରେ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟିଂ

2

କର୍ଣ୍ଣାଟକ : ଶେଷ ଦିନରେ କର୍ଣ୍ଣାଟକରେ ହାଇ ଡେସିବେଲ୍ ପ୍ରଚାର । ୧୨ ତାରିଖରେ ଭୋଟିଂ ହେବାକୁ ଯାଉଥିବା ବେଳେ ଆଜି ସନ୍ଧ୍ୟାରେ ସରିଛି ପ୍ରଚାର । ତେବେ ଶେଷ ମୁହୁର୍ତ୍ତରେ ବିଜେପି ଓ କଂଗ୍ରେସ କରିଛନ୍ତି ପ୍ରତିନ୍ଦ୍ବନ୍ଦିତାମୂଳକ କ୍ୟାମ୍ପେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଆକ୍ଷେପ-ପ୍ରତି ଆକ୍ଷେପ ବି ବେଶ୍ ଜୋର୍ ହୋଇଛି ପ୍ରଚାରର ଶେଷ ଦିନରେ ।

୧୨ ତାରିଖରେ ଭୋଟ୍, ଆଜି ସରିଲା ପ୍ରଚାର । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଶେଷ ଦିନରେ ହୋଇଛି ଧୂଳି ଉଡ଼ା ପ୍ରଚାର । ପୂରା ଜୀ ଜାନ୍ ଲଗାଇ ଦେଇ ଭୋଟରଙ୍କୁ ନିଜ ନିଜ ଆଡ଼କୁ ନେବାକୁ ପ୍ରଚାର କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ଦଳ ମୁଖିଆ ଅମିତ୍ ଶାହାଙ୍କ ସମେତ ପ୍ରାୟ ୫୦ ଜଣ ବିଜେପି ନେତା ଶେଷ ଦିନରେ କରିଛନ୍ତି ପ୍ରଚାର ଏବଂ ରୋଡ୍ ଶୋ । ତେବେ ପ୍ରଚାରର ହାଇଲାଇଟରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଆକ୍ଷେପ-ପ୍ରତି ଆକ୍ଷେପ । ରାହୁଲଙ୍କ ପ୍ରଧାନମନ୍ତ୍ରୀ ହେବାର ଇଚ୍ଛାକୁ ପ୍ରଧାନମନ୍ତ୍ରୀ ମୋଦି ଛିଗୁଲେଇଥିବା ବେଳେ ବିଦେଶିନୀ ପ୍ରସଙ୍ଗ ଉଠାଇ ତାଙ୍କ ମାଆ ସୋନିଆ ଗାନ୍ଧିଙ୍କୁ କରିଛନ୍ତି ଟାର୍ଗେଟ୍ । ଯାହାର ମୁହଁତୋଡ଼ ଜବାବ ଦେଇଛନ୍ତି ରାହୁଲ ।

କର୍ଣ୍ଣାଟକରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଦ୍ୱିମୁଖୀ ଲଢେଇ ହେଉଛି । କଂଗ୍ରେସକୁ ଗାଦିଚ୍ୟୁତ କରି ଦକ୍ଷିଣ ଭାରତର ଏକ ବଡ଼ ରାଜ୍ୟ ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ଯେଉଁଥି ପାଇଁ ଗଣ୍ଡା ଗଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ଧରି ମୋଦି-ଶାହା ଯୋଡ଼ି ଚଳାଇଛନ୍ତି ପ୍ରଚାର । ସେପଟେ କର୍ଣ୍ଣାଟକ ମଧ୍ୟ କଂଗ୍ରେସ ପାଇଁ ଅନେକ ଗୁରୁତ୍ବ ରଖୁଛି । କଂଗ୍ରେସର ସଫଳତା ହିଁ ରାହୁଲଙ୍କ ନେତୃତ୍ୱକୁ ଅଧିକ ବଳିଷ୍ଠ କରିବ । ଏଭଳି ସ୍ଥିତିରେ ଉଭୟ ଦଳ ପରସ୍ପର ଗୋଇ ତାଡ଼ିଛନ୍ତି । ସ୍ବାଧୀନତା ପରଠାରୁ କଂଗ୍ରେସ ବିଫଳତାର ଗୋଟି ଗୋଟି ତାଲିକା ଥୋଇଛି ବିଜେପି । ସେହିଭଳି କଂଗ୍ରେସ ମଧ୍ୟ ମୋଦି ନେତୃତ୍ବାଧୀନ ସରକାରର ବିଫଳତା ବଖାଣିଛି ।

ଗୋଟିଏ ପର୍ଯ୍ୟାୟରେ ୧୨ ତାରିଖରେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟିଂ ହେବ । ୧୫ ତାରିଖରେ ହେବ ଗଣତି । ସେଦିନ ହିଁ ଜଣାପଡ଼ିବ, ବିଜେପି ଓ କଂଗ୍ରେସର ଔକାତ୍ । ତେବେ ଭୋଟିଂ ପୂର୍ବର ଆକଳନ ଅନୁଯାୟୀ, ବିଜେପି ଓ କଂଗ୍ରେସ ମଧ୍ୟରେ କାଣ୍ଟେ କୀ ଟକ୍କର ହେବାକୁ ଯାଉଛି । ସେପଟେ ଜେଡିଏସ୍ ମଧ୍ୟ କିଛି ଭଲ ରକମ ସିଟ୍ ହାତେଇବା ସମ୍ଭାବନା ରହୁଛି । କର୍ଣ୍ଣାଟକ ନାଟକରେ ବିଜେପି କିମ୍ବା କଂଗ୍ରେସ କିଙ୍ଗ୍ ହେବାର ସମ୍ଭାବନା କମ୍ । କିନ୍ତୁ ଜେଡିଏସ୍ ହୋଇପାରେ କିଙ୍ଗ୍ ମେକର୍ ।

 

LEAVE A REPLY

Please enter your comment!
Please enter your name here