ଜନ ଅସନ୍ତୋଷ ସୃଷ୍ଟି କରିବା ଜୟଙ୍କ ମୁଖ୍ୟ କାର୍ଯ୍ୟ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ରାଜନୈତିକ ଭବିଷ୍ୟତ କାର୍ଯ୍ୟପନ୍ଥା ବଦଳରେ ଏବେ ସେ ବେଶୀ ଗୁରୁତ୍ୱ ଦେଉଛନ୍ତି ରାଜ୍ୟର ବଢ଼ିଚାଲିଥିବା ଆଇନଶୃଙ୍ଖଳା ପରିସ୍ଥିତି ଓ ବେକାରୀ ସମସ୍ୟାପ୍ରତି । ବୈଜୟନ୍ତ ଟ୍ୱିଟ କରି ଏ ସମ୍ପର୍କରେ ତାଙ୍କର ପ୍ରତିକ୍ରୀୟା ରଖିଛନ୍ତି । ରାଜ୍ୟ ସରକାରଙ୍କୁ କଡ଼ା ଆକ୍ଷେପ କରିଛନ୍ତି । ଓଡ଼ିଶାରେ ହିଂସାକାଣ୍ଡ ବଢ଼ିଛି । ଶିଶୁମାନେ ନିର୍ଯାତିତ ହେଉଛନ୍ତି । ବଳାକ୍ରାର ଓ ହତ୍ୟା ଘଟଣା ଘଟିଚାଲିଛି । ଚିଟଫଣ୍ଡ ଦୁର୍ନୀତିକଥା ମଧ୍ୟ ଉଠାଇଛନ୍ତି । ଏହି କ୍ଷତିଗ୍ରସ୍ତମାନଙ୍କୁ କ୍ଷତିପୂରଣ ମିଳୁନାହିଁ ବୋଲି କହିଛନ୍ତି । ଓଡ଼ିଶାରେ ରୋଜଗାର ନ ଥିବାରୁ ଜୀବନକୁ ବିପଦରେ ପକାଇ ଯୁବକଯୁବତୀମାନେ ବାହାର ରାଜ୍ୟରେ ଓ ବିଦେଶରେ ଦାଦନ ଭାବେ କାର୍ଯ୍ୟ କରୁଛନ୍ତି । ଏସବୁ ସମସ୍ୟାର ସମାଧାନ ପାଇଁ ତାଙ୍କର ଇଚ୍ଛା । କେଉଁ ଦଳକୁ ଯିବେ ନ ଯିବେ ତାହା ତାଙ୍କ ପାଇଁ ଏବେ ବଡ଼ ପ୍ରଶ୍ନ ନୁହେଁ ବୋଲି ସେ କହିଛନ୍ତି । ହଠାତ ବୈଜୟନ୍ତଙ୍କର ଏହି ଜନ ସମସ୍ୟା କଥା ମନେ ପଡ଼ିବା ଓ ଏହାକୁ ନେଇ ତାଙ୍କ ହୃଦୟ କାନ୍ଦିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ରାଜ୍ୟ ରାଜନୀତିରେ ଦୀର୍ଘବର୍ଷ ଧରି ବୈଜୟନ୍ତ ରହି ଆସିଛନ୍ତି । ହେଲେ କେବେ ଏସବୁ ସମସ୍ୟା ନେଇ ଚିନ୍ତା କରିଥିବା ବା ଏହାର ସମାଧାନ ପାଇଁ ମତ ରଖୁଥିବା କେବେ ଦେଖାଯାଇ ନ ଥିଲା । ବିଜେଡି ଛାଡ଼ିବା ପରେ ତାଙ୍କର ଏସବୁ ବିଷୟ ମନେ ପଡ଼ିଛି । ଲୋକଙ୍କ ପାଖରେ ପହଂଚି ସେମାନଙ୍କମନ ଜିଣିବାକୁ ଉଦ୍ୟମ କରୁଛନ୍ତି । ରାଜ୍ୟରେ ଜଣେ ଲୋକପ୍ରୀୟ ନେତା ହେବାକୁ ସେ ଚେଷ୍ଟା ଚଳାଇଛନ୍ତି । ହେଇଯାଉ କାର୍ଯ୍ୟକ୍ରମ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପହଂଚି ଚାହା ପିଉଛନ୍ତି । ତାହାରି ମାଧ୍ୟମରେ ନିଜକୁ ଜଣେ ସାଧାରଣ ନାଗରିକ ଭାବେ ପ୍ରତିପାଦିତ କରି ସେମାନଙ୍କ ନିକଟତର ହେବାକୁ ଚାହୁଁଛନ୍ତି । ଯେଉଁ ବୈଜୟନ୍ତ ପଣ୍ଡାଙ୍କୁ ଟେଲିଫୋନ କଲେ ସେ କେବେ କାହାରି ଉଠାଇଥିବା କେହି କହିପାରିବ ନାହିଁ । ସିଧା ସଳଖ କେହି ଫୋନ କରି ବୈଜୟନ୍ତଙ୍କ ସହ କଥା ହୋଇପାରି ନାହାଁନ୍ତି । ତାଙ୍କୁ ଭେଟିବାକୁ ହେଲେ ବା ତାଙ୍କ ସହ କଥା କହିବାକୁହେଲେ ବିଭିନ୍ନ କାଇଦା କଟକଣା ଦେଇ ଯିବାକୁ ହୋଇଥାଏ । କିନ୍ତୁ ଏବେ ସେ ଭିନ୍ନ ଆଭିମୁଖ୍ୟ ପୋଷଣ କରିଛନ୍ତି । ଲୋକଙ୍କ ପାଖରେ ପହଂଚି ସେମାନଙ୍କର ସାଥୀ ବୋଲି ଏକ ବାର୍ତ୍ତା ଦେବାକୁ ଉଦ୍ୟମ କରୁଥିବା କଥା ଆଲୋଚନା ହେଉଛି । ବର୍ତ୍ତମାନ ସରକାରଙ୍କ ବିରୋଧରେ କଣ ବାର୍ତ୍ତା ଲୋକଙ୍କ ପାଖରେ ପହଂଚାଇଲେ ଜନ ଅସନ୍ତୋଷ ବୃଦ୍ଧି ହେବ ସେ ଏଥିରେ ବେଶି ଗୁରୁତ୍ୱ ଦେଉଥିବା ଦେଖାଯାଉଛି ।
ନିକଟରେ ବୈଜୟନ୍ତ ନୂଆପଡ଼ା ଜିଲ୍ଲା ଯାଇଥିଲା ବେଳେ ସେ ତାଙ୍କର ରାଜେନ÷ତିକ କାର୍ଯ୍ୟପନ୍ଥା ସମ୍ପର୍କରେ ଖୁବଶୀଘ୍ର ଘୋଷଣା କରିବେ ବୋଲି କହିଥିଲେ । ଏବେ ଯେଉଁ ଟ୍ୱିଟ ଛାଡ଼ିଛନ୍ତି ଏବଂ ଏଥିରେ ଯେଉଁ ବକ୍ତବ୍ୟ ରଖିଛନ୍ତି ସେଥିରେ ରାଜନୀତିରେ ଯୋଗଦେବା ପ୍ରସଙ୍ଗକୁ ଏଡାଇ ଯିବାକୁ ଚାହିଁଛନ୍ତି । ସେ ବିଷୟରେ ଏବେ କୌଣସି ମତ ରଖି ନାହାଁନ୍ତି ବା କେବେ ଏ ବିଷୟରେ ପ୍ରକାଶ କରିବେ ତାହା ମଧ୍ୟ ଉଲ୍ଲେଖ କରିନାହାଁନ୍ତି । କେବଳ ନବୀନ ପଟ୍ଟନାୟକଙ୍କ ସରକାରକୁ ଲୋକଙ୍କ ନିକଟରେ ନ୍ୟୁନ କରିବା ପାଇଁ କିଛି ମତ ରଖିଛନ୍ତି । ବୈଜୟନ୍ତ କହିଛନ୍ତି ମତେ ଯେଉଁ ପ୍ରଶ୍ନ ପଚରାଯାଉଛି ମୁଁ କେଉଁ ରାଜନୈତିକ ଦଳରେ ଯୋଗ ଦେବି କିମ୍ବା ନୂଆ ଦଳ ଗଢ଼ିବି ଏହା ବଡ଼ ପ୍ରଶ୍ନ ନୁହେଁ । ଆଜି ପ୍ରଶ୍ନ ସୃଷ୍ଟି ହୋଇଛି ଓଡ଼ିଶାରେ ଯେଉଁ ସମସ୍ୟାଗୁଡ଼ିକ ଅଛି । ଓଡ଼ିଶାରେ ହିଂସାକାଣ୍ଡ ବଢ଼ିଚାଲିଛି । ଖାସକରି ଶିଶୁମାନଙ୍କ ବିରୋଧରେ । ପ୍ରତିଦିନ ଗ୍ୟାଙ୍ଗ ରେଫ, ହତ୍ୟା ଓ ମହିଳାମାନେ ନିର୍ଯାତିତ ହେଉଥିବା ଦେଖିବାକୁ ପାଉଛନ୍ତି । ଓଡ଼ିଶାରେ ଯେଉଁ ଦୁର୍ନୀତି ବଢ଼ିଛି ଏପର୍ଯ୍ୟନ୍ତ ଚିଟଫଣ୍ଡ ସମ୍ୟାରେ ଲୋକଙ୍କୁ ପଇସା ଫେରସ୍ତ ମିଳିପାରିନାହିଁ । ଆଉ ଯେଉଁ ବେକାରୀ ସମସ୍ୟା ବଢ଼ିଚାଲିଛି ଏଥିରେ ଲକ୍ଷ ଲକ୍ଷ ଲୋକ ଓଡ଼ିଆ ଭାଇଭଉଣୀ ବାଧ୍ୟ ହୋଇ ଅନ୍ୟ ରାଜ୍ୟରେ, ଅନ୍ୟ ଦେଶମାନଙ୍କରେ ଯାଇ ବିପଦରେ ଦାଦନ ଶ୍ରମିକଭାବେ କାମ କରୁଛନ୍ତି । ଏହି ସମସ୍ୟାଗୁଡ଼କୁ ଲଢ଼ିବା ପାଇଁ ମୋତେ କିଏ ସମର୍ଥନ ଦେବ ବା ମୁଁ କାହାକୁ ସମର୍ଥନ ଦେବି ତାହା ହେଉଛି ବଡ଼ ପ୍ରଶ୍ନ ବୋଲି ବୈଜୟନ୍ତ କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here