ବିଜୟ ଓ ଦିଲ୍ଲୀପଙ୍କ ଉପରେ ଜୟ ଓ ଦାମଙ୍କ ଆସ୍ଥା

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଖୁବଶୀଘ୍ର ଏକ ବଡ଼ ଧରଣର ହଟଚମଟ ହେଲା ଭଳି ଘଣଟଣା ଲାଗବାକୁ ଯାଉଥିବା ନେଇ ସୂଚନା ମିଳୁଛି । ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଉପରେ ଉଭୟ ବୈଜୟନ୍ତ ପଣ୍ଡା ଓ ଡାକ୍ତର ଦାମୋଦର ରାଉତଙ୍କର ଗଭୀର ଆସ୍ଥା ରହିଛି । ଏଣୁ ଏମାନଙ୍କ ମଧ୍ୟରେ ଇତିମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ଏକ ଚଚୁର୍ଥ ଫ୍ରଣ୍ଟ ବା ମେଣ୍ଟ ଗଠନ ହେବାକୁ ଯାଉଛି ବୋଲି କୁହାଯାଉଛି । ବିଜୟ ଆଉ ଦିଲ୍ଲୀପଙ୍କୁ ଛାଡ଼ି ବିଜେଡି ବିରୋଧୀ ମେଣ୍ଟ ସଫଳ ହେବନାହିଁ ଏଭଳି ଧାରଣା ବୈଜୟନ୍ତ ଓ ଦାମଙ୍କର ସୃଷ୍ଟି ହୋଇଛି । ଇତିମଧ୍ୟରେ ବିଜେପି ପ୍ରତି ବୈଜୟନ୍ତଙ୍କର ଥିବା ମୋହ ମଧ୍ୟ ତୁଟି ଗଲାଣି । ବିଜେପି ବର୍ତ୍ତମାନ ଡିରେଲ ହୋଇ ପଡ଼ିଥିବା ବୈଜୟନ୍ତଙ୍କର ଧାରଣା । ଏଣୁ ସବୁ ବିଜୁ ଅନୁଗତ ବା ବିଜେଡିରୁ ବାଦ ପଡ଼ିଥିବା ବିଜୁ ପରିବାରର ଏକାଠି ହୋଇ ନୂଆ ମେଣ୍ଟ ଗଢ଼ିବାକୁ ଯାଉଛନ୍ତି । ମୁଖ୍ୟକଥା ହେଉଛି ଏବେ ସମସ୍ତଙ୍କ ଆଭିମୁଖ୍ୟ କ୍ରମେ ଏକ ହେବାରେ ଲାଗିଛି । ନେତାମାନଙ୍କ ଭିତରେ ଇତିମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଛି ବୋଲି ଜଣାପଡ଼ିଛି । କେବଳ ରୂପରେଖ ନେବାକୁ ବାକିଥିବା କଥା କୁହାଯାଉଛି ।
ଉକ୍ରଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଏକ ମହାମେଣ୍ଟର ସୂଚନା ଦେଇଥିଲେ । କିନ୍ତୁ ତାଙ୍କ ମେଣ୍ଟରେ ବିଜୟ କି ଦିଲ୍ଲୀପ ନ ଥିଲେ । ବୈଜୟନ୍ତ ଓ ଦାମ ଥିଲେ । ଏହି ମେଣ୍ଟ ବିଜେପି ସହ ଯିବ ବୋଲି ସେ ସୂଚନା ଦେଇଥିଲେ । ଏପରି କି ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯଦି ଛବି ଭାବରେ ଗ୍ରହଣ କରେ ତେବେ ସେ କ୍ଷେତ୍ରରେ ମଧ୍ୟ କିଛି ଆପତ୍ତି ନ ଥିବା ଖାରବେଳ କହିଥିଲେ । ମାତ୍ର ବର୍ତ୍ତମାନ ରାଜନୈତିକ ସ୍ଥିତି ଭିନ୍ନ ବୋଲି ନେତାମାନେ କହିବା ଆରମ୍ଭ କଲେଣି । ବିଜେପି ପ୍ରତି ସନ୍ଦେହ ପ୍ରକାଶ କଲେଣି । ଆସନ୍ତା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଣା ସହଯୋଗୀମାନଙ୍କୁ ଖୋଜିବା ସହ ଏକାଠି କରିବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ଓଡ଼ିଶା ଗସ୍ତରେ ଆସିଥିଲା ବେଳେ ଖୋର୍ଦ୍ଧା ଓ ବାରିପଦା ସଭାରେ ବିଜେଡି ପ୍ରତି କୋହଳ ମନୋଭାବ ପୋଷଣ କରିଥିବା ଏହି ନେତାମାନେ ଭାବୁଛନ୍ତି । ଯଦିଓ ବିଜେପିର ରାଜ୍ୟନେତାମାନେ ବିଜେଡି ପ୍ରତି କୋହଳ ମନୋଭାବ କଥାକୁ ଅସ୍ୱୀକାର କରୁଛନ୍ତି ହେଲେ ଏମାନେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ବୈଜୟନ୍ତ ନିଜେ ଖୋଲାଖୋଲି ଭାବରେ ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଲା ବେଳେ ସିଧାସଳଖ ବିଜେପି ଆଉ ପୂର୍ବସ୍ଥିତିରେ ନାହିଁ ବୋଲି କହିଛନ୍ତି । ମୋଦିଙ୍କ ପଦକ୍ଷେପକୁ ମଧ୍ୟ ସନ୍ଦେହ କରିଛନ୍ତି । ତାଙ୍କର ଯୁକ୍ତି ହେଉଛି ବିଜେପି ମୁଖିଆ ଭାବୁଛନ୍ତି ସେମାନେ ଯଦି ବିଜେଡି ବିରୋଧରେ ଓଡ଼ିଶାରେ ଅଧିକ ଆଗ୍ରେସିଭ ହେବେ ତେବେ କଂଗ୍ରେସ ଫାଇଦା ନେବ । ସେଥିପାଇଁ ବିଜେଡି ପ୍ରତି ହଠାତ କୋହଳ ମନୋଭାବ ପୋଷଣ କରିଛନ୍ତି କଂଗ୍ରେସକୁ ଅଟକାଇବା ପାଇଁ । ହେଲେ ଏହାଦ୍ୱାରା ସେମାନଙ୍କର ସ୍ୱାର୍ଥ ସାଧନ ହେବ ନାହିଁ ବୋଲି ବୈଜୟନ୍ତ ଓ ତାଙ୍କ ସହଯୋଗୀମାନେ ଭାବୁଛନ୍ତି । ବିଜେଡି ପ୍ରତି ଯେତେବେଳେ ବିଜେପିର ଆଭିମୁଖ୍ୟ ବଦଳୁଛି ସେ କ୍ଷେତ୍ରରେ ଆଉ ବୈଜୟନ୍ତ ବିଜେପି ସହ ଯିବା ପାଇଁ ଚାହୁଁନାହାଁନ୍ତି । ଏଥିସହ ବୈଜୟନ୍ତ ବିଜେଡି କିପରି ହାରିବ ତାହାର ମଧ୍ୟ ସେ ଆକଳନ କରିସାରିଛନ୍ତି । କେବଳ ବିଜୁ ପରିବାର ଏକାଠି ହେଲେ ଏହା ସମ୍ଭବ ହେବ ବୋଲି କହିସାରିଛନ୍ତି ।
ବିଜୟ ଓ ଦିଲ୍ଲୀପ ଆରମ୍ଭରୁ ବିଜେପି ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେମାନେ ବିଜେପିରୁ ଇସ୍ତଫା ଦେଇ ଏହାର ପରାଜୟ ଲାଗି ଯୋଜନା ଚଳାଇଛନ୍ତି । ବିଜେଡିକୁ ଯିବା ପାଇଁ କୁହାଯାଉଥିଲେ ବି ଉଭୟ ଯାଉ ନ ଥିବା କଥା କ୍ରମେ ସ୍ପଷ୍ଟ ହେବାର ଲାଗିଛି । ଦିଲ୍ଲୀପ ଓ ବିଜୟ ଏକ ହୋଇ ରହିଥିବାରୁ କେହି କାହାକୁ ଛାଡ଼ିବା ପାଇଁ ରାଜି ନୁହଁନ୍ତି । କିନ୍ତୁ ବିଜେଡି ବିଜୟଙ୍କୁ ନେବାରେ ସମସ୍ୟା ରହିଛି । ଏ କ୍ଷେତ୍ରରେ ବିଜେଡି ପ୍ରତି ପୂର୍ବରୁ ବିଜୟ ଓ ଦିଲ୍ଲୀପଙ୍କର ରହିଥିବା ଅନୁଭୂତି ଏବେ ପୁରୁଣା ରାଗ ସୁଝାଇବା ପାଇଁ ସୁଯୋଗ ଆସିଛି ବୋଲି ଭାବୁଛନ୍ତି । ଏ କ୍ଷେତ୍ରରେ ଦେଖିଲେ ବିଜୟ, ଦିଲ୍ଲୀପ ଓ ବୈଜୟନ୍ତଙ୍କ ଆଭିମୁଖ୍ୟ ଏକ ହେଉଛି । ଏଣୁ ଏମାନେ ମିଶି କିଛି ଗୋଟେ ନୂଆ କାର୍ଯ୍ୟକ୍ରମ ଗ୍ରହଣ କରିବାରେ ସମସ୍ୟା ନାହିଁ ।
ଏଥିସହ ଡାକ୍ତର ଦାମୋଦର ରାଉତ ମଧ୍ୟ ବିଜେପି ସହ ଯିବା ପାଇଁ ଆରମ୍ଭରୁ ରାଜି ନ ଥିଲେ । କେବଳ ଅବସ୍ଥା ଚକ୍ରରେ ପଡ଼ି ଖାରବେଳଙ୍କ ସହ ସହମତ ହୋଇଥିଲେ । କାରଣ ସମତାକ୍ରାନ୍ତୀର ନେତା ବ୍ରଜ କିଶୋର ତ୍ରିପାଠୀ ହାତ ଛାଡ଼ିଦେବା ପରେ ଦାମଙ୍କ ପାଖରେ ଆଉ କିଛି ବାଟ ନ ଥିଲା । ନିକଟରେ ଏକ ଘରୋଇ ଚିଭି ଚ୍ୟାନଲ କାର୍ଯ୍ୟକ୍ରମ ଭାଗ୍ୟ ନେଲା ବେଳେ ସେ ମଧ୍ୟ ଭାବବିହ୍ୱଳ ହୋଇ ବିଜୟ ଓ ଦିଲ୍ଲୀପଙ୍କ ଉଦ୍ଦେଶ୍ୟରେ କିଛି ମତ ରଖିଥିଲେ । ଏହି ଦୁଇଜଣଙ୍କ ଉପରେ ତାଙ୍କର ଭରସା ଅଛି ବୋଲି କହିଥିଲେ । ଦାମ କହିଥିଲେ ‘ମୁଁ ମୋର ସହଯୋଗୀ ଓ ବନ୍ଧୁମାନଙ୍କୁ ଅପେକ୍ଷା କରିଛି । ତାଙ୍କ ବିବେକକୁ ପଚାରି ନିଷ୍ପତ୍ତି ନିଅନ୍ତୁ । ମୁଁ କିଛି ହେବାକୁ ଚାହୁଁନି ।’ ଏଥିସହ ଖାରବେଳ ସ୍ୱାଇଁ ମଧ୍ୟ ଏକ ଘରୋଇ ଟିଭି ଚନ୍ୟାଲ କାର୍ଯ୍ୟକ୍ରମରେ ଭାଗ ନେଲା ବେଳେ ବିଜେପିର ପରିବର୍ତ୍ତନ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ବିଜୁ ପରିବାରରୁ ବାଦ ପଡ଼ିଥିବା ବରିଷ୍ଠ ନେତା ପଂଚାନନ କାନୁନଗୋ ମଧ୍ୟ ଏମାନଙ୍କ ସହ ଯୋଗ ଦେବାକୁ ଆଗ୍ରହୀ ଅଛନ୍ତି । ଏଣୁ କୁହାଯାଉଛି ଏ ସମସ୍ତେ ମିଶିଲେ ବଡ଼ ଧରଣର ଫୋର୍ସ ଗଠନ କରିପାରିବେ ।