ଶ୍ରୀମନ୍ଦିର ବିଭ୍ରାଟ ପାଇଁ ସରକାରକୁ ଦାୟୀ କଲେ ଗଜପତି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ପୁଲିସ ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଶୁକ୍ରବାର ମହାପ୍ରଭୁଙ୍କ ସେବା ବନ୍ଦ ହୋଇଯାଇଥିଲା । ଏହି ବିବାଦ ଯୋଗୁ ମହାପ୍ରଭୁ ଗତକାଲି ଦିନମାନେ ଉପବାସ ରହିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବା ହଜାର ହଜାର ଭକ୍ତଙ୍କୁ ଦୀର୍ଘ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ଓ କେତେକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା । ଶ୍ରୀମନ୍ଦିରରେ ପୂର୍ବରୁ ଏଭଳି ପରିସ୍ଥିତି କେବେ ଉପୁଜି ନ ଥିଲା । ସେବାୟତମାନେ ଶ୍ରୀମନ୍ଦିର ପ୍ରଶାସନର କଥାକୁ ମାନିଲେନାହିଁ । ଫଳରେ ଆଗକୁ ପରିସ୍ଥିତି ଭୟଙ୍କର ହେବାକୁ ଯାଉଛି ବୋଲି କୁହାଯାଉଛି । ଏହି ଘଟଣାକୁ ନେଇ ମହାପୁଭୁଙ୍କ ପ୍ରମୁଖ ସେବକ ପୁରୀ ଗଜପତି ଦିବ୍ୟସିଂହ ଦେବ ଗଭୀର ଉଦବେଗ ପ୍ରକାଶ କରିବା ସହ ଘଟଣା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟକୁ ସରକାର ଆଦୌ ପ୍ରାଥମିକତା ଦେଉନାହାଁନ୍ତି ବୋଲି ଗଜପତି କହିଛନ୍ତି । କାରଣ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ସରକାରଙ୍କ ହାତରେ ରହିଛି । ସରକାର ଯଦି ପଦକ୍ଷେପ ନ ନେବେ ତେବେ କିଏ ଧର୍ମର ସୁରକ୍ଷା କରିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ଗଜପତି ଗତକାଲିର ଘଟଣାକୁ ଆଧାର କରି କହିଛନ୍ତି ଶାସକଙ୍କ ଯୋଗୁ ଧର୍ମ ଅବକ୍ଷୟମୁଖୀ ହେଉଛି । କାରଣ ସେମାନେ ଧର୍ମ ରକ୍ଷାକୁ ନିଜ ଦାୟିତ୍ୱ ବୋଲି ଭାବୁନାହାଁନ୍ତି । ଯଦି ଏପରି ଚାଲେ ତେବେ ଧର୍ମର ପ୍ରଚାର ଓ ପ୍ରସାର କରିବ କିଏ? ୧୯୬୦ ଠାରୁ ଏହି ଦାୟିତ୍ୱ ଗଜପତିଙ୍କ ଠାରୁ କାଢ଼ି ନିଆଯାଇଛି । ଗଜପତିଙ୍କ ସମୟରେ ସେବା, ରାଜକାର୍ଯ୍ୟଠୁ ଶୀର୍ଷରେ ଥିଲା । ଗଜପତି ନିଜେ ମହାପ୍ରଭୁଙ୍କ ସେବାରେ ସମର୍ପିତ ଥିଲେ । ସେହି ପରମ୍ପରାକୁ ଏବେ ସ୍ମରଣ କରିବା ବାଞ୍ଛନୀୟ । କିଛି ମୁଷ୍ଟିମେୟ ସଂସ୍ଥାଯୋଗୁ ଜଗନ୍ନାଥ ଚେତନା ଦୀପ ପ୍ରଜ୍ୱଳିତ ହୋଇ ରହିଛି । ଗଜପତିମାନେ ଜଗନ୍ନାଥ ମନ୍ଦିର ପରିଚାଳନା ଓ ଧର୍ମକୁ ନିଜର ରାଜଧର୍ମ ପରି ପାଳନ କରିଛନ୍ତି । ତେଣୁ ବର୍ତ୍ତମାନ ସରକାର ଶ୍ରୀମନ୍ଦିର ପରିଚାଳନାକୁ ନିଜର ପ୍ରାର୍ଥମିକତା ଯୋଜନାରେ ସାମିଲ କରିବା ଦରକାର ।
ଏହି ଘଟଣାକୁ ଆଧାର କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ଗତକାଲିର ଘଟଣାକୁ ନେଇ ସେ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଲା ଭୁଶିଡି ପଡିଛି, ଶାସନ ଆଉ ନାହିଁ । ପୁରୀରେ ଲୋକେ ଆଇନକୁ ହାତକୁ ନେଲେଣି । ଏ ସବୁ ଘଟଣା ପାଇଁ ରାଜ୍ୟ ସରକାର ଦାୟୀ ବୋଲି ଶ୍ରୀ ମିଶ୍ର କହିବା ସହ ଗଜପତିଙ୍କ ମନ୍ତବ୍ୟକୁ ସର୍ମଥନ କରିଛନ୍ତି । ସେ କହିଛନ୍ତି ଶ୍ରୀମନ୍ଦିର ପ୍ରସଙ୍ଗରେ ରାଜ୍ୟର ସବୋଚ୍ଚ ଅଧିକାରୀ ହସ୍ତେକ୍ଷପ କରିବା ଉଚିତ । ଏଥିରେ ହସ୍ତକ୍ଷେପ ନକଲେ ଆଗକୁ ଆହୁରି ବିପର୍ଯ୍ୟୟ ଘଟିବ ବୋଲି ସେ ସତର୍କ କରାଇ ଦେଇଛନ୍ତି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମଧ୍ୟ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେବାୟତମାନେ ପ୍ରଶାସନ କଥାକୁ ମାନୁ ନ ଥିବା ନେଇ ସେ ସ୍ୱୀକାର କରିଛନ୍ତି । ଗତକାଲି ଯେଉଁମାନେ ବିଭ୍ରାଟ ଘଟାଇଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସିସିଟିଭି ଫୁଟେଜରେ ସବୁ ରେକର୍ଡ ହୋଇ ରହିଛି । ସେବାୟତମାନେ ଘଟିଥିବା ଘଟଣା ଉପରେ ଦାବି ନ ରଖି ପୁରୁଣା ଦାବି ସବୁ ଦୋହରାଇ ଅଡ଼ିବସିଥିଲେ । ଏସପିଙ୍କ ବଦଳି ଏବଂ ଗତ ଅକ୍ଟୋବର ୨ ତାରିଖରେ ହୋଇଥିବା ଗଣ୍ଡଗୋଳରେ ଯେଉଁ ମାମଲାମାନ ହୋଇଛି ସେସବୁକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । ଏସବୁ ପୁରୁଣା ପ୍ରସଙ୍ଗକୁ ଆଣି ସେମାନେ ସେବାରେ ବିଭ୍ରାଟ କରିଥିଲେ । ଏହାର ଅନୁସନ୍ଧାନ କରାଯାଇ ଯେଉଁମାନେ ଦାୟୀ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ଏହାପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଶ୍ରୀମନ୍ଦିରରେ ନୂଆବର୍ଷରୁ ଲାଗିବ ମହାପ୍ରସାଦ ଦର ତାଲିକା

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here