ଚଳିତ ସପ୍ତାହରେ ଡିସଚାର୍ଜ ହୋଇପାରନ୍ତି ଜଗାବଳିଆ

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଗା ବଳିଆ ଚଳିତ ସପ୍ତାହରେ ଡାକ୍ତରଖାନାରୁ ଡିସ୍ଚାର୍ଜ ହେବେ ବୋଲି ଜଣାପଡ଼ିଛି । ଏବେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେଲେଣି । ଜଣେ ଏବେ ବାହାରେ ଖେଳକୁଦ କରୁଛି । ପୂର୍ବରୁ ସେମାନଙ୍କ ମୁଣ୍ଡର ପଟି ଖୋଲି ଦିଆଯାଇଛି । ସ୍ୱଭାବିକ ଭାବେ ଦୁଇ ଶିଶୁ ଏବେ କାରବାର କରୁଛନ୍ତି । ବିରଳ ଅସ୍ତ୍ରୋପଚାର କରି ମୁଣ୍ଡ ଅଲଗା କରାଯିବା ପରେ ଯେଉଁ ଆଶଙ୍କା ଥିଲା ତାହା ମଧ୍ୟ ଦୂର ହୋଇ ସାରିଛି । ଉଭୟ ସମ୍ପୂର୍ଣ୍ଣ ସୁ୍ସ୍ଥ ଥିବା କଥା ହଟ୍ପିଟାଲ୍ ସୂତ୍ରରୁ ପ୍ରକାଶ ।
ଡାକ୍ତରମାନେ ଉଭୟ ଶିଶୁଙ୍କୁ ନେବା ପାଇଁ ସୂଚନା ଦେଇସାରିଲେଣି । କିନ୍ତୁ ଏତେ ଶୀଘ୍ର ଡାକ୍ତରଖାନାରୁ ନ ଛାଡ଼ିବା ପାଇଁ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି) ଏକ ମାମଲା ରୁଜୁ ହୋଇଥିବାରୁ ଏମ୍ସ କତୃପକ୍ଷ ଶିଶୁ ଦୁଇଙ୍କୁ ଡିସ୍ଚାର୍ଜ କରିବା ପାଇଁ ନିଷ୍ପତି ନେଇପାରୁ ନାହାଁନ୍ତି । ହେଲେ ଏମ୍ସର କମିଟି ବସି ନିଷ୍ପତି ନିଆଯାଇ ଏନ୍ଏଚ୍ଆର୍ସିଙ୍କୁ ଅବ୍ଗତ କରାଯିବ । ଏହାପରେ ଉଭୟଙ୍କୁ ଛାଡ଼ିବା ପାଇଁ ପଦକ୍ଷେପ ନେବାକୁ ନିଷ୍ପତି ହୋଇଥିବା କୁହାଯାଉଛି । ଜଗାବଳିଆଙ୍କ ବାପା ଭୂନିଆ କଅଁର କହିଛନ୍ତି ଏମ୍ସରୁ ଡିସ୍ଚାର୍ଜ ହେଲା ପରେ ସେମାନଙ୍କୁ ଓଡ଼ିଶା ନିବାସରେ କିଛି ଦିନ ରଖିବାକୁ ଯୋଜନା କରାଯାଉଛି । ସେଠାରେ କିଛି ଦିନ ରହି ସମ୍ପୂର୍ଣ୍ଣ ନିରାପଦ ବୋଲି ଅନୁଭବ କରିବା ପରେ ଓଡ଼ିଶା ଫେରିବେ । ଓଡ଼ିଶା ନିବାସରେ ବର୍ତମାନ ରହିଲେ ଯଦି କୌଣସି ସମସ୍ୟା ଉପୁଜିଲା ତେବେ ସଙ୍ଗେସଙ୍ଗେ ଏମ୍ସକୁ ଯାଇ ଚିକିତ୍ସା କରାଇପାରିବେ । ଥରେ ଓଡ଼ିଶା ଫେରିଆସିଲେ ଯଦି କିଛି ସମସ୍ୟା ଦେଖାଦେଲା ତେବେ ପୁଣି ଦିଲ୍ଲୀ ଯାଇ ଏମ୍ସରେ ଦେଖାଇବା ବେଳେ ହୁଏତ କିଛି ଅସୁବିଧା ହୋଇପାରେ । ସେଥିପାଇଁ କିଛି ଦିନ ଓଡ଼ିଶା ନିବାସରେ ରଖି ସେମାନଙ୍କ ସ୍ୱାସ୍ଥାବସ୍ଥାରେ ନଜର ରଖିବାକୁ ସ୍ଥିର ହୋଇଛି ।

LEAVE A REPLY

Please enter your comment!
Please enter your name here