ବିଶ୍ୱକପ କ୍ରିକେଟ ୨୦୧୯: ଏହି ୫ଜଣ ଭାରତୀୟ ବ୍ୟାଟ୍ସମ୍ୟାନ ନିଶ୍ଚିତ ଖେଳିବେ !

4

ମୁମ୍ବାଇ: ଇଂଲଣ୍ଡରେ ଅନୁଷ୍ଠିତ ହେଉଛି ବହୁ ପ୍ରତୀକ୍ଷିତ ୨୦୧୯ ଆଇସିସି କ୍ରିକେଟ ବିଶ୍ୱକପ । ଏହି କ୍ରିକେଟ ମହାକୁମ୍ଭର ପ୍ରଥମ ମ୍ୟାଚ ୨୦୧୯ ମସିହା ମେ ୩୦ ତାରିଖରେ ଇଂଲଣ୍ଡର ପ୍ରସିଦ୍ଧ ଷ୍ଟାଡ଼ିୟମ ଓଭାଲରେ ଖେଳାଯିବ । ବିଶ୍ୱର ଶ୍ରେଷ୍ଠ ବ୍ୟାଟିଂ ଲାଇନଅପ୍କୁ ନେଇ ଗଠିତ ଭାରତୀୟ କ୍ରିକେଟ ଦଳ ୧ ନଂ ଦାବିଦାର ଭାବେ ଏହି ବିଶ୍ୱକପର ଅବତୀର୍ଣ୍ଣ ହେବାକୁ ଯାଉଛି । ଭାରତ ଏହି ବିଶ୍ୱକପରେ ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ଜୁନ ୫ରେ ଭେଟୁଥିବା ବେଳେ ଚିର ପ୍ରତିଦ୍ୱନ୍ଦୀ ପଡ଼ୋଶୀ ପାକିସ୍ତାନକୁ ଜୁନ ୧୬ ତାରିଖରେ ପ୍ରସିଦ୍ଧ ଓଲଡ଼ ଟ୍ରାଫର୍ଡ଼ ମାଞ୍ଚେଷ୍ଟରରେ ଟକ୍କର ଦେବ । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିଶ୍ୱକପ ହାସଲ ପାଇଁ ଭାରତକୁ କଡ୍ଡା ଟକ୍କର ଦେବାକୁ ଏବେଠାରୁ ଦଳକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି । କିନ୍ତୁ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂ ଦୁର୍ଗକୁ କିପରି ସମ୍ମୁଖୀନ ହେବେ ତାହା ଏବେଠାରୁ ବିପକ୍ଷ ଦଳର ବୋଲର୍ ମାନଙ୍କ ଚିନ୍ତାର ବିଷୟ ପାଲଟିଛି । ତେବେ କେଉଁ ୫ଜଣ ଭାରତୀୟ ବ୍ୟାଟସମ୍ୟାନ ନିଶ୍ଚିତ ଏହି ବିଶ୍ୱକପ ଖେଳିବେ ତାହା ନେଇ ଏବେଠାରୁ ଭାରତୀୟ କ୍ରିକେଟ ଫ୍ୟାନମାନେ ଆକଳନ କରିବାରେ ଲାଗିଛନ୍ତି।

ଭାରତୀୟ କ୍ରିକେଟ ଦଳ ଆକ୍ରମଣାତ୍ମକ ବ୍ୟାଟିଂ ଲାଇନଅପ ସାଙ୍ଗକୁ ଦୃଢ ଏବଂ ନିର୍ଭରଯୋଗ୍ୟ ଓପନରଙ୍କ ଭଲ ପ୍ରଦର୍ଶନ ଯୋଗୁଁ ବିଶ୍ୱ କ୍ରିକେଟରେ ବେଶ୍ ଶକ୍ତିଶାଳୀ । ଭାରତୀୟ ଓପନରମାନେ ଲଗାତର ଭଲ ପ୍ରଦର୍ଶନ କରିବା ଫଳରେ ନିକଟ ଅତୀତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀକ ଟୁର୍ଣ୍ଣାମେଣ୍ଟ ଜିତିପାରିଛି । ସଚିନ, ସୌରଭ, ଦ୍ରାଭିଡ଼ ଓ ସେହୱାଗଙ୍କ ପରେ ଏବେ ଓପନିଂ ଦାୟିତ୍ୱ ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କ ଉପରେ ନ୍ୟସ୍ତ ହୋଇଛି । କପ୍ତାନ ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀ ଏବଂ ଅଜିଙ୍କ୍ୟ ରାହାନେ ଓପନରଙ୍କ ପରେ ସମ୍ପୂର୍ଣ୍ଣ ରୂପେ ଦଳର ବ୍ୟାଟିଂ ବିଭାଗକୁ ସମ୍ଭାଳିବେ । ଏଥିରେ ସନ୍ଦେହ ନାହିଁ । ଏହି ୫ଜଣ ବିଶ୍ୱସ୍ତରୀୟ ବ୍ୟାଟସମ୍ୟାନଙ୍କ ଉପରେ ସମ୍ପୂର୍ଣ୍ଣ ମ୍ୟାଚ ନିର୍ଭର କରୁଛି । ତେଣୁ ଓପନର ରୋହିତ ଶର୍ମା ଓ ଶିଖର ଧାୱନଙ୍କ ସାଙ୍ଗକୁ ଅଧିନାୟକ ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନୀ ଏବଂ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଅଜିଙ୍କ୍ୟ ରାହାଣେଙ୍କ ବିଶ୍ୱକପ ଖେଳିବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି ।

ରୋହିତ ଶର୍ମା: ଆକ୍ରମଣାତ୍ମକ ବ୍ୟାଟିଂ
ଟେଷ୍ଟ ମ୍ୟାଚ ହେଉକି ଟି-୨୦ କି ଏକ ଦୀବସୀୟ ମ୍ୟାଚ, ରୋହିତ ଥରେ ପିଚରେ ଜମିଗଲେ ଲାଗେ ତାଙ୍କଠୁ ଶତକଟେ ଥୟ । ବିଶ୍ୱର ପ୍ରସିଦ୍ଧ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରି ଭାରତକୁ ଏକାଧିକ ମ୍ୟାଚରେ ବୀଜୟୀ କରାଇଛନ୍ତି ରୋହିତ । ୧୮୦ଟି ଏକ ଦିବସୀୟ ମ୍ୟାଚ ଖେଳିବାର ଅଭିଜ୍ଞତା ରହିଛି ରୋହିତଙ୍କ ପାଖରେ । ଏହି ଦିଲ୍ଲୀ ବ୍ୟାଟସମ୍ୟାନ ସର୍ବାଧିକ ୨୬୪ ରନ କରିବା ପରେ ସାରା ବିଶ୍ୱର ବୋଲରମାନେ ତାଙ୍କୁ ବଲ ପକାଇବା ପୂର୍ବରୁ ଅନେକ ଚିନ୍ତା କରିଥାନ୍ତି । ବିଶ୍ୱର ପ୍ରାୟ ସବୁ ଫାଷ୍ଟବୋଲରଙ୍କ ବୋଲିଂ ଆଭରେଜ ଖରାପ କରିଦେଇଥିବା ରୋହିତ ଶର୍ମାଙ୍କୁ ଓପନର ଭାବେ ଦଳ ନିଶ୍ଚିତ ଖେଳାଇବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

 

ଶିଖର ଧାୱନ: ନିର୍ଭରଯୋଗ୍ୟ ଓପନିଂ
୩୨ ବର୍ଷୀୟ ଶିଖର ଧାୱନଙ୍କୁ ବିପକ୍ଷ ଦଳର ବୋଲର ବଲ ପକାଇବାକୁ ଡ଼ରନ୍ତି । ସ୍ପିନର ହୁଅନ୍ତୁ ବା ଫାଷ୍ଟ ବୋଲର ଶିଖର ଧାୱନ କେବଳ ବଲ୍ କୁ ଲକ୍ଷ୍ୟକରି ନିର୍ଦ୍ଦୟ ପ୍ରହାର କରିଥାନ୍ତି । ପ୍ରଥମ ବଲରୁ ହିଁ ପ୍ରହାର ଆରମ୍ଭ କରିବା ଶିଖରଙ୍କ ଯେପରି ଏକ ଷ୍ଟାଇଲ୍ । ଏହି ଭାରତୀୟ ଷ୍ଟାଇଲିଷ୍ଟ ଓପନର ଜଣକ ଭାରତ ଲାଗି ୨୨ଟି ମ୍ୟାଚରୁ ୯୬୦ ରନ କରି ଚର୍ଚ୍ଚିତ ହୋଇପଡ଼ିଥିଲେ । ଭାରତ ଲାଗି ଶିଖର ୧୦୨ଟି ମ୍ୟାଚ ଖେଳି ୧୩ଟି ଶତକ ଓ ୨୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସର୍ବାଧିକ ୧୩୭ରନ କରିଛନ୍ତି ଏହି ବାମହାତୀ ବ୍ୟାଟସମ୍ୟାନ । ଦୀର୍ଘଦିନ ଧରି ଭଲ ପର୍ଫମାନ୍ସ ଦେଖାଇ ପାରି ଦଳରେ ନିଜକୁ ସବୁଦିନିଆ ଓପନର ଭାବେ ପ୍ରତିଷ୍ଠିତ କରିପାରିଛନ୍ତି ଶିଖର ଧାୱନ ।

ବିରାଟ କୋହଲି: ବିଶ୍ୱର ଶ୍ରେଷ୍ଠ ବ୍ୟାଟସମ୍ୟାନ
କପ୍ତାନ ବିରାଟ କୋହଲି କ୍ରିଜରେ ରହିଥିବା ବେଳେ ଲାଗେ ତାଙ୍କୁ କେହି ଅଟକାଇ ପାରିବେ ନାହିଁ । ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହୋଇ ଥଣ୍ଡା ମିଜାଜରେ ବ୍ୟାଟିଂ ଆରମ୍ଭ କରି ଦରକାର ପଡ଼ିଲେ ବୋଲରଙ୍କୁ ଅତର୍କିତ ଆକ୍ରମଣ କରିବାକୁ ପଛାନ୍ତି ନାହିଁ କୋହଲି । ବ୍ୟାଟିଂରେ ପ୍ରାୟ ସମସ୍ତ ବିଶ୍ୱ ରେକର୍ଡ଼କୁ ଭାଙ୍ଗି ଚାଲିଛନ୍ତି କୋହଲି । ଶ୍ରେଷ୍ଠ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ଅନେକ ରେକର୍ଡ଼ ଭାଙ୍ଗିବା ପରେ ସଚିନ କହିଛନ୍ତି ତାଙ୍କୁ ପରବର୍ତ୍ତୀ ବିଶ୍ୱରେକର୍ଡ଼ରେ ମୂଲ୍ୟବାନ ସରପ୍ରାଇଜ ଉପହାର ଦେବେ । ୧୭୫ଟି ଦିନିକିଆ ମ୍ୟାଚ୍ ରେ କପ୍ତାନୀ କରିଛନ୍ତି କୋହଲି । ୨୯ ବର୍ଷ ବୟସ୍କ ଏହି ଯୁବ ବ୍ୟାଟସମ୍ୟାନଙ୍କ ରେକର୍ଡ଼ କହୁଛି ଏବେ ସେ ବିଶ୍ୱ କ୍ରିକେଟର ଶ୍ରେଷ୍ଠ ବ୍ୟାଟସମ୍ୟାନ । ବିରାଟ ୨୦୮ଟି ଦିନିକିଆ ଖେଳି ୩୫ଟି ଶତକ ଓ ୪୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୧୮୭ ରନ ବିରାଟଙ୍କ ସର୍ବାଧିକ ଦିନିକିଆ ସ୍କୋର । ବିଶ୍ୱକପରେ ଦଳର ଅଧିନାୟକତ୍ୱ ଦାୟିତ୍ୱ ହିଁ ବିରାଟଙ୍କ ହାତରେ ।

ମହେନ୍ଦ୍ର ସିଂ ଧୋନୀ: ମ୍ୟାଚ ଫିନିସିଂ ଅଭିଜ୍ଞତା
ହେଲିକପଟର୍ ସଟ ଲାଗି ବିଶ୍ୱକ୍ରିକେଟରେ ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି ଏହି ୱିକେଟରକ୍ଷକ କମ ବ୍ୟାଟସମ୍ୟାନ ମହେନ୍ଦ୍ର ସିଂ ଧୋନୀ । ଦଳକୁ ୧୫୮ଟି ଦିନିକିଆରେ ଅଧିନାୟକତ୍ୱ ଦେଇଥିବା ଧୁରନ୍ଧର ଧୋନୀ ଜଣେ ମ୍ୟାଚ ଫିନିସର୍ ଭାବେ ଦଳକୁ ଅନେକ ମ୍ୟାଚ ଓ ଟ୍ରଫି ଜିତାଇଛନ୍ତି । ତାଙ୍କର ଅଦ୍ଭୁତ ଫିଟନେସ ଲାଗି ଧୋନୀଙ୍କୁ ଦଳରେ ରହିବା ନିଶ୍ଚିତ ବୋଲି ଭାରତୀୟ କ୍ରିକେଟ କୋଚ ରବି ଶାସ୍ତ୍ରୀ କହିଛନ୍ତି । ଜଣେ ଅଭିଜ୍ଞ ଖେଳାଳି ଭାବେ ଭାରତ ଲାଗି ୩୧୮ଟି ଦିନିକିଆ ମ୍ୟାଚ ଖେଳିବାର ଗୌରବ ଅର୍ଜନ କରିଛନ୍ତି ଧୂରୀଣ ଧୋନୀ । ୧୦ଟି ଦିନିକିଆ ଶତକ ସହିତ ୬୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଅପରାଜିତ ରହି ୧୮୩ ରନର ସର୍ବାଧିକ ଦିନିକିଆ ସ୍କୋର କରିଛନ୍ତି ସେ । ଜଣେ ଦକ୍ଷ ୱିକେଟ ରକ୍ଷକ ଭାବେ ବିଶ୍ୱରେ ୧ ନଂ ସ୍ଥାନ ହାସଲ କରିଛନ୍ତି ମହେନ୍ଦ୍ର ସିଂ । ତେଣୁ ଦକ୍ଷ ୱିକେଟ କିପିଂ ସାଙ୍ଗକୁ ଧୁଆଁଧାର ବ୍ୟାଟିଂ କରୁଥିବା ଏହି କ୍ରିକେଟ ମହାରଥିଙ୍କୁ ୨୦୧୯ ବିଶ୍ୱକପରେ ନିଶ୍ଚିତ ଦେଖିବାକୁ ମିଳିବ ।

ଅଜିଙ୍କ୍ୟ ରାହାନେ: ବେଷ୍ଟ ମିଡ଼ିଲ ଅର୍ଡ଼ର ବ୍ୟାଟିଂ
ମୁମ୍ବାଇର ବ୍ୟାଟସମ୍ୟାନ ଅଜିଙ୍କ୍ୟ ରାହାଣେଙ୍କୁ ଜଣେ ଭଲ ମିଡ଼ିଲ ଅର୍ଡ଼ର ବ୍ୟାଟସମ୍ୟାନ ରୂପେ ପରିଗଣିତ କରାଯାଇଥାଏ । ରାହୁଳ ଦ୍ରାବିଡ଼ଙ୍କ ସ୍ଥାନ ଦଖଲ କରିଛନ୍ତି ରାହାଣେ । ଅବଶ୍ୟ କିଛି ମ୍ୟାଚରେ ଆଶାନୁରୁପକ ପ୍ରଦର୍ଶନ ନଦେଖାଇବାରୁ ସବୁଦିନିଆ ଦଳରେ ରହିବା ସମ୍ଭବ ହୋଇ ପାରିନି । ତେବେ ରାହାଣେ ଗତ କିଛି ମ୍ୟାଚରେ ନିର୍ଭରଯୋଗ୍ୟ ବ୍ୟାଟିଂ କରିବା ଫଳରେ ତାଙ୍କୁ ନିଶ୍ଚିତ ଦଳରେ ରଖାଯିବ ବୋଲି କ୍ରିକେଟ ବିଶାରଦ ମାନେ କହିଛନ୍ତି । ରାହାଣେ ଦଳ ଲାଗି ୮୪ଟି ଦିନିକିଆରେ ୨,୮୩୨ ରନ କରି ୩ଟି ଶତକ ଓ ୨୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୧୧୧ରନର ସର୍ବାଧିକ ଦିନିକିଆ ସ୍କୋର କରିଛନ୍ତି ରାହାଣେ । ତେବେ ଅନେକ ମ୍ୟାଚରେ ଓପନିଂ କରିଥିବା ଦୃଷ୍ଟିରୁ ରାହାଣେଙ୍କୁ ଜଣେ ରିଜର୍ଭ ଓପନର ଭାବେ ଦଳରେ ନିଆଯାଇପାରେ ।

LEAVE A REPLY

Please enter your comment!
Please enter your name here