୫ ମାସରେ ଲୋକେ ୬.୩୪ କୋଟି ଲିଟର ପିଇଛନ୍ତି

0
1

ଭୁନନେଶ୍ୱର: ଓଡ଼ିଶାରେ ଏବେ ଲୋକେ ଦୈନିକ ୪ଲକ୍ଷ ଲିଟରରୁ ଅଧିକ ମଦ ପିଉଛନ୍ତି । ଲୋକଙ୍କ ମଦ ପ୍ରତି ଆଗ୍ରହ ବଢ଼ିବା ଦେଖାଦେଉଛି । ରାଜ୍ୟରେ ମଦ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଯୁବଗୋଷ୍ଠୀ ବିଶେଷ ଭାବରେ ଏଥିପ୍ରତି ଆକୃଷ୍ଟ ହେଉଥିବା ଦେଖାଯାଉଛି । ମଦ ପାଇଁ ରାଜ୍ୟରେ ଅପରାଧ ମଧ୍ୟ ଏବେ ବଢ଼ିବାରେ ଲାଗିଛି । ମଦ ବନ୍ଦ ହୋଇଯିବ ଅପରାଧ ହାର ବହୁ ତଳକୁ ଖସିଯିବ । କିନ୍ତୁ ମଦ କରିବା ବଦଳରେ ଏବେ ଏହାର ପ୍ରସାର ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି ।
ମିଳିଥିବା ତଥ୍ୟ ଅନୁସାରେ, ଓଡ଼ିଶାରେ ଦିନକୁ ଲୋକେ ୪ ଲକ୍ଷ ୧୪ ହଜାର ୮୨୦ ଲିଟର ମଦ ପିଇ ଦେଉଛନ୍ତି । ଏଥିରେ ଦିନକୁ ପ୍ରାୟ ୨ଲକ୍ଷ ୭୦ ହଜାର ୯୫୨ ଲିଟର ବିଅର ପିଉ ଥିଲାବେଳେ ବିଦେଶୀ ମଦ ପରିମାଣ ୧ଲକ୍ଷ ୧୯ ହଜାର ୧୭୨ ଲିଟର ପିଉଛନ୍ତି । ତେବେ ବିଅର ଓ ବିଦେଶୀ ମଦ ତୁଳନାରେ ଦେଶୀ ମଦ ଚାହିଦା କମ୍ । ତଥାପି ଦିନକୁ ୨୪ ହଜାର ୬୯୫ ଲିଟର ଦେଶୀ ମଦ ବିକ୍ରି ହେଉଛି ।
ଚଳିତ ୨୦୧୮-୧୯ ଆର୍ଥିକ ବର୍ଷର ଗତ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ମୋଟ ୬ କୋଟି ୩୪ ଲକ୍ଷ ୬୭ ହଜାର ୫୦୭ ଲିଟର ମଦ ବିକ୍ରି ହୋଇଛି । ଏଣୁ ଦିନକୁ ହାରାହାରି ୪ଲକ୍ଷ ୧୪ ହଜାର ୮୨୦ ଲିଟର ମଦ ବିକ୍ରି ହେଉଛି । ଏହି ୫ମାସରେ ୧କୋଟି ୮୨ ଲକ୍ଷ ୩୩ ହଜାର ୪୧୧ ଲିଟର ବିଦେଶୀ ମଦ ବିକ୍ରି ହୋଇଛି । ଅର୍ଥାତ ଦିନକୁ ୧ଲକ୍ଷ ୧୯ ହଜାର ୧୭୨ ଲିଟର ବିଦେଶୀ ମଦ ବିକ୍ରି କରାଯାଇଛି ।
ବିଦେଶୀ ମଦ ତୁଳନାରେ ପ୍ରାୟ ଦୁଇ ଗୁଣରୁ ଅଧିକ ବିକ୍ରି ହୋଇଛି ବିଅର । ଗତ ଏପ୍ରିଲ ପହିଲାରୁ ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ୪ କୋଟି ୧୪ ଲକ୍ଷ ୫୫ ହଜାର ୬୪୧ ଲିଟର ବିଅର ବିକ୍ରି ହୋଇଛି । ଦିନକୁ ଯାଉଛି ୨ ଲକ୍ଷ ୭୦ ହଜାର ୯୫୨ ଲିଟର ବିଅର । ହେଲେ ଦେଶୀ ମଦର ଚାହିଦା ସେତେଟା ନାହିଁ । ତଥାପି ଏଇ ଅବଧି ଭିତରେ ୩୭ ଲକ୍ଷ ୭୮ ହଜାର ୪୫୫ ଲିଟର ଦେଶୀ ମଦ ବିକ୍ରି ହୋଇଛି ।
୨୦୧୩-୧୪ରୁ ୨୦୧୭-୧୮ ଏହି ୫ ବର୍ଷରେ ରାଜ୍ୟରେ ମୋଟ ୬୦ କୋଟି ୮୫ ଲକ୍ଷ ୯୪ ହଜାର ୨୧୦ ଲିଟର ମଦ ବିକ୍ରି ହୋଇଛି । ସର୍ବାଧିକ ୩୩ କୋଟି ୧୯ ଲକ୍ଷ ୪୭ ହଜାର ୨୨୮ ଲିଟର ବିଅର ବିକ୍ରି ହୋଇଛି । ସେହିପରି ଏହି ସମୟ ଭିତରେ ୨୨ କୋଟି ୬୭ ଲକ୍ଷ ୨୮ ହଜାର ୩୪୫ ଲିଟର ବିଦେଶୀ ମଦ ବିକ୍ରି ହୋଇଛି । ଏହି ୫ ବର୍ଷରେ ୪ କୋଟି ୯୯ ଲକ୍ଷ ୧୮ ହଜାର ୬୩୭ ଲିଟର ଦେଶୀ ମଦ ବି ପିଇଛନ୍ତି । ମଦ ବ୍ୟବସାୟ ବଢ଼ୁଥିବାରୁ ଅବକାରୀ ରାଜସ୍ୱ ବି ବଢ଼ି ଚାଲିଛି । ସରକାରୀ ତଥ୍ୟ ଅନୁସାରେ, ଅବକାରୀ ଟିକସରୁ ୨୦୧୩-୧୪ରେ ୧୭୮୦ କୋଟି ୨୯ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା । ୨୦୧୭-୧୮ରେ ଏହା ବୃଦ୍ଧି ପାଇ ୩୨୨୧ କୋଟି ୩ ଲକ୍ଷ ଟଙ୍କାରେ ପହଁଚିଛି । ୨୦୧୮-୧୯ରେ ୩୮୦୦ କୋଟି ଟଙ୍କା ଅବକାରୀ ରାଜସ୍ୱ ସଂଗ୍ରହ କରିବାକୁ ଲକ୍ଷ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here