ବିଜେପି ମୋ ପ୍ରସ୍ତାବରେ ରାଜି ହେଲେ ମିଶିବି: ଦାମ

ଭୁବନେଶ୍ୱର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ବିଜେପି ମୁହାଁ ହୋଇଛନ୍ତି । ଏକଦା ଯେଉଁ ନେତା ତାଙ୍କ ପାରାଦୀପ ଅଂଚଳ ଲୁଣି ପାଣି ବୋଲି କହି ପଦ୍ମ ସେଠାରେ ଫୁଟିପାରିବ ନାହିଁ ବୋଲି କହୁଥିଲେ ଏବେ ସେ ସମ୍ପୂର୍ଣ୍ଣ ଓଲଟି ଯାଇଛନ୍ତି । ସେ ଚାହିଁଲେ ପଦ୍ମ ଫୁଟାଇ ପାରିବେ ବୋଲି କହିଛନ୍ତି । ଲୁଣି ପାଣିକୁ ସେ କିଭଳି ଭାବରେ ମଧୁର କରି ପଦ୍ମ ଫୁଟାଇବେ ସେ କଳା କେବଳ ସେ ଜାଣନ୍ତି । ବିଜେପି ନେତାମାନଙ୍କ ସହ ସେ ଏନେଇ ଆଲୋଚନା ଆରମ୍ଭ କରିଦେଇଛନ୍ତି । କିଛି ସର୍ତ୍ତ ସେ ବାଢ଼ିଛନ୍ତି । ତାହା ପୂରଣ ହେଲେ ସେ ପଦ୍ମ ଫୁଟାଇବାକୁ ତାଙ୍କ ନିର୍ବାଚନମଣ୍ଡଳୀ ପାରାଦୀପରେ ଲାଗି ପଡ଼ିବେ । ବିଜେପିକୁ ଯିବା ପାଇଁ ତାଙ୍କୁ ଦଳୀୟ ନେତାଙ୍କ ଡାକରା ଆସିଥିବା କଥା ସେ କହିଛନ୍ତି । ରାଜନୀତିରେ ସବୁକିଛି ସମ୍ଭବ । ଏଥିରେ କେତେବେଳେ ଯେ, ଋତୁ ବଦଳେ ତାହା କାହା ହାତରେ ନ ଥାଏ । ନେତାମାନେ କେବଳ ସାଧାରଣ ଲୋକଙ୍କୁ ବୋକା ବନାଇବାକୁ ଚାହିଁଥାନ୍ତି । ନୀତି ଓ ନୈତିକତା ବୋଲି କିଛି ନାହିଁ ଏ ବିଷୟ ଯାହା ବିଭିନ୍ନ ସମୟରେ କୁହାଯାଉଥିଲା ତାହା ଏବେ ପୁଣି ପ୍ରମାଣିତ ହେବାକୁ ଯାଉଛି । ଡାକ୍ତର ରାଉତ କଂଗ୍ରେସ ଅପେକ୍ଷା ବିଜେପିକୁ ଅଧିକ ଢ଼ଳୁଥିବା ତାଙ୍କ କଥାରେ ସ୍ପଷ୍ଟ ସୂଚନା ଦେଉଛନ୍ତି ।
କିଛିଦିନ ହେଲା ରାଜ୍ୟ ରାଜନୀତିରେ ଏଭଳି ଚର୍ଚ୍ଚା ଚାଲିଛି ଯେ, ଡାକ୍ତର ରାଉତ ପଦ୍ମ ଧରିବେ । କିନ୍ତୁ କେବେ ଧରିବେ ତାହା ଆକଳନ କରାଯାଇ ପାରୁ ନ ଥିଲା । ଏବେ ଡାକ୍ତର ରାଉତଙ୍କ କଥାରୁ ସ୍ପଷ୍ଟ ହେଉଛି ସେ ବିଜେପିରେ ମିଶିବା ନେଇ କିଛି ପ୍ରସ୍ତାବ ଦଳୀୟ ନେତାମାନଙ୍କୁ ଦେଇଛନ୍ତି ତାହାର ଉତ୍ତର ୩/୪ ଦିନ ଭିତରେ ମିଳିବ ବୋଲି ଆଶା । ଏହାପରେ ସେ ତାଙ୍କ ନିଷ୍ପତ୍ତି ନେବେ । କିନ୍ତୁ ବିଜେପି ନେତା ଓ ଦଳକୁ ଯେଉଁଭଳି ଭାବରେ ସେ ଏବେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ସେଥିରୁ ତାଙ୍କର ମନୋଭାବ ସ୍ପଷ୍ଟ ବୁଝାପଡ଼ିଯାଉଛି ।
ଡାକ୍ତର ରାଉତଙ୍କୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହେବା ପରେ ସେ ତାଙ୍କ ପ୍ରତିକ୍ରୀୟା ରଖିଛନ୍ତି । ହେଉଥିବା ଚର୍ଚ୍ଚାକୁ ସେ ଅସ୍ୱୀକାର କରୁନାହାଁନ୍ତି । ଡାକ୍ତର ରାଉତ କହିଛନ୍ତି ମୋର କାମ ଥିଲା ମୁଁ ଦିଲ୍ଲୀ ଯାଇଥିଲି । ଗତକାଲି ସଂଯୋଗକ୍ରମେ ମୋର ଦେଖା ହୋଇଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କନକବର୍ଦ୍ଧନ ସିଂହଦେଓଙ୍କ ସହ । ବିଜେପିରେ ମିଶିବା ପାଇଁ ଉଭୟ ମୋତେ କହୁଥିଲେ । ମୁଁ ମୋର କେତେଟା କଥା ତାଙ୍କୁ କହିଲି । ମୋର ଏହି ଏହି କଥା ହେଲେ ତ ମୁଁ ଯାଇ ମିଶିବି । ଏହା ଉପରେ ନିଷ୍ପତ୍ତି ନେଇ କହିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ମଧ୍ୟ କଥା ହୋଇଛି । ସେ ବି କହୁଛନ୍ତି ଆପଣ କଂଗ୍ରେସକୁ ଆସନ୍ତୁ । ମୁଁ ତାଙ୍କୁ କହିଲି ଦଳରେ ମିଶିବା ପାଇଁ ମୋର ଇଚ୍ଛା ନାହିଁ । ମୁଁ ଗୋଟିଏ ନୂଆ ଆଂଚଳିକ ଦଳ ଗଢ଼ିବାକୁ ଚେଷ୍ଟାରେ ଅଛି । ସେଇଟା ଯଦି ହୋଇଯିବ ତାହାହେଲେ ଆମେ କଥାବର୍ତ୍ତା ହେବା ମେଣ୍ଟ କରିବା ପାଇଁ ।
ଏହି ଉଭୟ କଥାରେ ମୋର ମନଟା ପୁରା ଖୋଲା । ଦୁଇଟି ଜାତୀୟ ଦଳ ବିଜେପି ଓ କଂଗ୍ରେସ ଏହା ଭିତରୁ ଯେଉଁ ଦଳ ରାଜ୍ୟରେ ଚାଲିଥିବା ଦୁର୍ନୀତି ଭ୍ରଷ୍ଟାଚାର ନବୀନ ପଟ୍ଟନାୟକ ସରକାରର ତାକୁ ଗାଦିଚ୍ୟୁତ କରିବା ପାଇଁ ଯିଏ ଅନ୍ତରିକ୍ତା ସହକାରେ ଲାଗିବ ମୋର ସମର୍ଥନ ତାକୁ ରହିବ । ଏଇଠି ବସିଲେ ବି ମୁଁ ଲାଗିଲେ କଣ ପଦ୍ମ ଫୁଟିବନି, ଯିବା କଣ ଦରକାର । ମୁଁ କହିଥିଲି ମୁଁ ଯେପର୍ଯ୍ୟନ୍ତ ନ ଚାହିବି ସେ ପର୍ଯ୍ୟନ୍ତ ପାରାଦୀପରେ ପଦ୍ମ ଫୁଟାଇ ଦେବି ନାହିଁ । ଲୁଣି ପାଣିରେ ପଦ୍ମକୁ ପଚାଇ ଦେବି । ନବୀନଙ୍କୁ ହଟାଇବା ପାଇଁ ଯିଏ ଲାଗି ପଡ଼ିବ ମୁଁ ତାକୁ ସମର୍ଥନ ଦେବି । ବିଜେପି ଯଦିବି ବିକାଶ ସହ ଦୁର୍ନୀତି ହଟାଇବାକୁ ଆଗେଇ ଆସିବ ତାହାହେଲେ ବିଜେପିରେ ମିଶିବାରେ କିଛି ଆପତ୍ତି ନାହିଁ । କଂଗ୍ରେସ ଦୁର୍ନୀତି ଗ୍ରସ୍ତ ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କଲେ ସହଯୋଗ କରିବି । କେଉଁ ଦଳରେ ମିଶିବି ନିଷ୍ପତ୍ତି ଏଯାଏଁ ନେଇ ନାହାଁନ୍ତି । ମୋର ଏକ ମାତ୍ର ଲକ୍ଷ୍ୟ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଅବସାନ ।

ବିଜେପିରେ ଦାମ ମିଶିବା ନେଇ ଚାଲିଛି ଦ୍ୱନ୍ଦ