ଆଇଏଏସ ଅଫିସର ଅପରାଜିତାଙ୍କ ହଠାତ ସ୍ୱେଚ୍ଛାକୃତ ଅବସର ଚର୍ଚ୍ଚାରେ

ଭୁନନେଶ୍ୱର: ବରିଷ୍ଠ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ ହଠାତ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିବା ଘଟଣା ଏବେ ପ୍ରଶାସନିକ ମହଲରେ ଜୋରଦାର ଚର୍ଚ୍ଚା ଧରିଛି । ଓଡ଼ିଶା କ୍ୟାଡେରର ଏହି ଅଫିସର ବର୍ତମାନେ କେନ୍ଦ୍ର ଡେପୁଟେସନରେ ଅଛନ୍ତି । ସେ ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ଖୁବଶୀଘ୍ର ଫେରୁଛନ୍ତି ବୋଲି ସୂଚନା ଦେଇଥିଲେ । କେନ୍ଦ୍ର ଡେପୁଟେସନ ସାରି ଓଡ଼ିଶାକୁ ଫେରିବା ପାଇଁ କହୁଥିବା ଶ୍ରୀମତୀ ଷଡ଼ଙ୍ଗୀ ହଠାତ ଅବସର ପାଇଁ ଆବେଦନ କରିବା ସମସ୍ତଙ୍କୁ ଚକିତ କରିଛି । କ’ଣ ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଏକଦା ପ୍ରଶାସନରେ ବେଶ ଗୁରୁତ୍ୱ ବହନ କରୁଥିବା ଶ୍ରୀମତୀ ଷଡ଼ଙ୍ଗୀ କୌଣସି କାରଣ ରହିଛି ଯାହା ପାଇଁ ସେ ଏଭଳି ପଦକ୍ଷେପ ନେବାକୁ ଯାଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଶ୍ରୀମତୀ ଷଡ଼ଙ୍ଗୀ ଗତ ୧୫ ତାରିଖରେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି । ସେ ଆବେଦନ କରିଥିବା ସ୍ୱୀକାର କରିଛନ୍ତି, ତେବେ କାରଣ ସଂପର୍କରେ କିଛି କହୁନାହାନ୍ତି । ଅପରାଜିତା ଓଡ଼ିଶାରେ ବିଭିନ୍ନ ପ୍ରଶାସନିକ ପଦବିରେ ରହି ବେଶ ଚର୍ଚ୍ଚିତ ହୋଇଥିଲେ । ବିଶେଷ କରି ବିଏମ୍ସି କମିସନର ଭାବେ ତାଙ୍କ କାର୍ଯ୍ୟ ପ୍ରଶଂସନୀୟ ଥିଲା । ଗଣଶିକ୍ଷା ବିଭାଗ ଓ ପଂଚାୟତିରାଜ ବିଭାଗର ସଚିବ ଭାବେ ବିଭିନ୍ନ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥିଲେ । ୨୦୧୩ ମସିହାରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । ଚଳିତ ବର୍ଷ ତାଙ୍କର ଡେପୁଟେସନ ଅବଧି ଶେଷ ହୋଇଛି । ମାସେ ଦୁଇ ମାସ ଭିତରେ ସେ ସଚିବାଳୟରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବାକୁ ଆସିଥିଲାବେଳେ ଓଡ଼ିଶା ଫେରୁଥିବା ନେଇ ସୂଚନା ଦେଇଥିଲେ । ଅପରାଜିତାଙ୍କ ସ୍ୱାମୀ ସନ୍ତୋଷ ଷଡ଼ଙ୍ଗୀ ମଧ୍ୟ ଓଡ଼ିଶା କ୍ୟାଡରର ଜଣେ ଆଇଏଏସ ଅଫିସର । ପ୍ରଶାସନିକ ସ୍ତରରେ କାର୍ଯ୍ୟଦକ୍ଷତା ପାଇଁ ଶ୍ରୀମତୀ ଷଡ଼ଙ୍ଗୀଙ୍କର ବେଶ ସୁନାମ ରହିଛି । କେଉଁ ପରିସ୍ଥିତିରେ ପଡ଼ି ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ତାକୁ ନେଇ ଆଲୋଚନା ଚାଲିଛି ।

LEAVE A REPLY

Please enter your comment!
Please enter your name here