ହାଇକୋର୍ଟ ବାର ସଦସ୍ୟରୁ ୩ ଓକିଲ ବହିଷ୍କୃତ

କଟକ: ହାଇକୋଟ ବାର ଆସୋସିଏସନ ସାଧାରଣ ପରିଷଦରୁ ୩ ଜଣ ସଦସ୍ୟଙ୍କୁ ବହିଷ୍କୃତ କରାଯାଇଛି । ଆଜି ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ବସି ଏହି ନିଷ୍ପତି ନିଆଯାଇଛି । ବହିଷ୍କୃତ ଆଇନଜୀବୀ ହେଲେ ବଂଶୀଧର ଶତପଥୀ, ଅସୀମ ଅମିତାଭ ଦାସ ଓ ମିଲନ କାନୁନଗୋ । ଏମାନେ ହେଉଛନ୍ତି ବିଜୁ ଆଇନ ସାମ୍ମୁଖ୍ୟର ସଦସ୍ୟ । ପୁଲିସ ମାଡ଼ ଘଟଣାରେ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଧର୍ମଘଟକୁ ବିରୋଧ କରି ବିଜୁ ସାମ୍ମୁଖ୍ୟ ଓହରିଯାଇଥିଲା । ଏମାନେ ଜୋର ଜବରଦସ୍ତ କୋର୍ଟ କାର୍ଯ୍ୟରେ ଯୋଗଦେବା ପାଇଁ ଉଦ୍ୟମ କରିଥିଲେ । ଫଳରେ ସାଥୀ ଓକିଲଙ୍କ ସହ ସେମାନଙ୍କର ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ଅସୀମ ଅମିତାଭ ଦାସ ଅନ୍ୟ ସାଥୀ ଓକିଲଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏପରି କରାଯାଇଥିବା ଓ ଦଳୀୟ ଭିତ୍ତିରେ କାର୍ଯ୍ୟ କରୁଥିବା ସେମାନଙ୍କ ବିରୋଧରେ ଅଭିଯୋଗ ଆସିଛି । ଗତକାଲି ହାଇକୋର୍ଟ ବାର ପକ୍ଷରୁ ରାଜ୍ୟର ସମସ୍ତ ବାରର ପ୍ରତିନିଧିମାନଙ୍କୁ ଏ ସମ୍ପର୍କରେ ଆଲୋଚନା ପାଇଁ ଡକାଯାଇଥିଲା । ୭୫ଟି ବାରର ପ୍ରତିନିଧି ଯୋଗ ଦେଇଥିଲେ । ସେମାନେ ହାଇକୋର୍ଟ ବାର ଉପରେ ନିଷ୍ପତ୍ତି ଛାଡ଼ିଥିଲେ । ଆଜି ପରିଷଦର ବୈଠକ ବସି ଆସନ୍ତା ୯ ତାରିଖ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହ ଏହି ୩ ଓକିଲଙ୍କୁ ପରିଷଦରୁ ବହିଷ୍କାର କରାଯାଇଛି । ଏହାଛଡ଼ା ଟହଲି ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏ ସମ୍ପର୍କରେ ବାରର ସମ୍ପାଦକ ସତ୍ୟବ୍ରତ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।