ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟସେବା ବଜାୟ ରଖିବାକୁ ନିର୍ଦ୍ଦେଶ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର :  ତିତିଲି ପରବର୍ତି ଲଗାଣ ବର୍ଷାରେ ପ୍ରଭାବିତ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ପ୍ରଭାବିତ ଜିଲ୍ଲାମାନଙ୍କରେ ବନ୍ୟା ଓ ବନ୍ୟା ପରବର୍ତି ସ୍ୱାସ୍ଥ୍ୟସମସ୍ୟା ପ୍ରତି ସତର୍କ ନଜର ରଖିବାକୁ ଏବଂ କୌଣସି ସ୍ଥାନରେ ଯେପରି ମହାମାରୀ ନବ୍ୟାପେ ସେଥିପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁସ୍ଥାନରେ ଆବଶ୍ୟକୀୟ ଔଷଧ , ସାଲାଇନ , ସାପକାମୁଡା ଇଂଜେକସନ୍ , ବିଚିଂ , ଓ.ଆର୍.ଏସ୍ ଏବଂ ହାଲୋଜେନ ବଟିକା ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ କହିଛନ୍ତି । ଆବଶ୍ୟକ ଅନୁଯାୟୀ ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲିବା , ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ୍ ମୁତୟନ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ନୋଡାଲ ଅଧିକାରୀମାନଙ୍କ ବ୍ୟତିତ ବିଭାଗର ବରିଷ୍ଠ ପଦାଧିକାରୀମାନେ ପ୍ରଭାବିତ ଜିଲ୍ଲାମାନଙ୍କୁ ଯାଇ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ତଦାରଖ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ସମେତ ଅତିରିକ୍ତ ନିର୍ଦ୍ଦେଶକ ମାନେ ଆସନ୍ତା କଲି ଠାରୁ ଗଞ୍ଜାମ , ଗଜପତି , ରାୟଗଡା ଜିଲ୍ଲା ଗସ୍ତରେ ଯାଉଛନ୍ତି । ଆଜି ସୁଦ୍ଧା ୨୨୨ଟି ମେଡିକାଲ ରିଲିଫ୍ କେନ୍ଦ୍ର କାର୍ଯ୍ୟକରୁଥିବା ବେଳେ ୮୪ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ନିୟୋଜିତ ହୋଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ୨୧୨ ଜଣ ବର୍ଭବତୀ ମହିଳାଙ୍କୁ ସୁରକ୍ଷିତ ପ୍ରସବ ପାଇଁ ସ୍ଥାନାନ୍ତର କରାଯାଇ ମା’ଗୃହ ଏବଂ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ଆଣି ରଖାଯାଇଛି । ଆଗାମୀ ଦିନମାନଙ୍କରେ ଦେଖା ଦେବାକୁ ଥିବା ସ୍ୱାସ୍ଥ୍ୟ ଜନିତ ସମସ୍ୟାର ମୁକାବିଲା ନିମନ୍ତେ ସତର୍କ ରହିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ସଚିବାଳୟ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ ,ସ୍ୱତନ୍ତ୍ର ସଚିବ ଡାଃ ବି.କେ.ବ୍ରହ୍ମା , ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ହର ପ୍ରସାଦ ପଟ୍ଟନାୟକ , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ସ୍ୱପ୍ନେଶ୍ୱର ଗଡନାୟକ , ଆଇ.ଡି.ଏସ୍.ପି ଉପନିର୍ଦ୍ଦେଶକ ଡାଃ ଅର୍ଘ୍ୟ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here