ଶକ୍ତି ପରୀକ୍ଷା ପୂର୍ବରୁ ଆସ୍ଥା ଭୋଟ ଜିତିଲେ କୁମାରସ୍ବାମୀ

1

ବାଙ୍ଗାଲୁର : ଶକ୍ତି ପରୀକ୍ଷା ପୂର୍ବରୁ ଆସ୍ଥା ଭୋଟ ଜିତିଲେ କୁମାରସ୍ବାମୀ । କର୍ଣ୍ଣାଟକ ବିଧାସଭାରେ ବହୁମତ ସାବ୍ୟସ୍ତ କଲେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାର । ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ସପକ୍ଷରେ ୧୧୭ ବିଧାୟକ ନିଜର ସମର୍ଥନ ଜଣାଇଛନ୍ତି । ତେବେ ଆସ୍ଥାଭୋଟ ପୂର୍ବରୁ ୟେଦୁରପ୍ପାଙ୍କ ନେତୃତ୍ବରେ ବିଜେପି ବିଧାୟକମାନେ ହଟ୍ଟଗୋଳ କରିବା ସହ ସଦନରୁ ଓ୍ବାକ୍‌ ଆଉଟ୍‌ କରିଥିଲେ । ଏମିତିରେ ଶକ୍ତି ପରୀକ୍ଷା ପୂର୍ବରୁ ସରେଣ୍ଡର କରିସାରିଥିଲା ବିଜେପି । କାରଣ ଫ୍ଲୋରଟେଷ୍ଟ ପୂର୍ବରୁ ବାଚସ୍ପତି ନିର୍ବାଚନରେ ନିଜ ଆଡ଼ୁ ଓହରି ଯାଇଥିଲେ ବିଜେପିର ବାଚସ୍ପତି ପ୍ରାର୍ଥୀ ସୁରେଶ କୁମାର । ଫଳରେ କଂଗ୍ରେସର ବରିଷ୍ଠ ନେତା ରମେଶ କୁମାର ନିର୍ଦ୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ ।  ବିଧାନସଭାରେ ବିଜେପିର ୧୦୪ ସଦସ୍ୟ ଥିବା ବେଳେ କଂଗ୍ରେସର ୭୮ ଏବଂ ଜେଡିଏସର ୩୭ ସଦସ୍ୟ ଅଛନ୍ତି । କଂଗ୍ରେସ ଓ ଜେଡିଏସ୍‌ ସଦସ୍ୟଙ୍କ ସହ ନିର୍ବାଚିତ ୨ ନିର୍ଦ୍ଦଳୀୟ ବିଧାୟକ ମିଶିଯିବାରୁ ସେମାନଙ୍କ ସଂଖ୍ୟା ୧୧୭ ହୋଇଛି । ଏମିତିରେ ଏହି ବିଧାୟକଙ୍କ ଭିତରୁ କାହାରି ସମର୍ଥନ ନମିଳିବାରୁ ଗଲା ୧୭ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିବା ବିଏସ ୟେଦ୍ଦୁରପ୍ପା ଅଢ଼େଇ ଦିନ ପରେ ଅର୍ଥାତ୍‌ ୧୯ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୨୩ରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ ଜେଡିଏସ୍‌ ନେତା କୁମାରସ୍ବାମୀ । ଆଜି ସଦନରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ କହିଛନ୍ତି ଯେ, ତାଙ୍କ ସରକାର ଜେଡିଏସ ଓ କଂଗ୍ରେସ ପକ୍ଷରୁ ନିଜ ନିର୍ବାଚନୀ ଇସ୍ତାହାରରେ ଲୋକମାନଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବ ।

LEAVE A REPLY

Please enter your comment!
Please enter your name here