୪୮ ଘଣ୍ଟାରେ ୧୧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଜି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ ଉତ୍ତର ଓ ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବହୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ସୋନପୁର, ସମ୍ବଲପୁର, ବୌଦ ଓ ବଲାଙ୍ଗିର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଅନୁଗୁଳ, ଢେଙ୍କାନାଳ, କଟକ, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ମଧ୍ୟ ଆଗାମୀ ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଏହି ସମୟ ମଧ୍ୟରେ ସମୁଦ୍ର ଭିତରକୁ ମାଛ ମାରିବା ଲାଗି ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ୧୬ ତାରିଖ ରାତି ଯାଏ ଲଘୁଚାପ ଜନିତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିଲା । ଭବାନୀପାଟଣାରେ ସର୍ବାଧିକ୨୦୨ ମିଲିମିଟର୍ ଓ ପାରାଦୀପରେ ସର୍ବନିମ୍ନ ୦.୧ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଛି । ସେପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ନଦୀମାନଙ୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁ ରାୟଗଡ଼ାରେ ବନ୍ୟା ପାଣି ପଶି ହାଟ ମୁନିଗୁଡ଼ା ରାସ୍ତା ବିଚ୍ଛିନ୍ନ ହୋଇଛି । ଜିଲ୍ଲାର ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ରାୟଗଡ଼ା ଓ ମୁନିଗୁଡ଼ା ସହରରେ ପାଣି ପଶି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ରଥଯାତ୍ରାରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ବେଳେ ବ୍ରହ୍ମଗିରିର ବହୁ ସ୍ଥାନ ଜଳମଗ୍ନ ହୋଇଛି ଓ ଅଲାରନାଥଙ୍କ ମନ୍ଦିରର ରତ୍ନସିଂହାସନ ପର୍ଯ୍ୟନ୍ତ ବର୍ଷା ପାଣି ପଶି ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି । ପମ୍ପ୍ ଯୋଗେ ପ୍ରଶାସନ ପକ୍ଷରୁ ସେଠାରେ ପାଣି ନିଷ୍କାସନ କରାଯାଇଛି । ପୁର ମନ୍ଦିର ପରିସର ଆଜି ବର୍ଷା ପାଣିରେ ବୁଡ଼ି ରହିଛି । ବିଦ୍ୟୁତ ସେବା ବ୍ୟାହତ ମଧ୍ୟ ହୋଇଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ପୌରାଞ୍ଚଳ ଜଳମଗ୍ନ ହୋଇଯାଇଛି । ଏହା ବ୍ୟତୀତ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here